ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ। ମା’ ସମଲେଇ ବା ସମଲେଶ୍ବରୀ ଓଡ଼ିଶାର ସେହି ଦେବୀ ଯିଏ କେବଳ ପଶ୍ଚିମ ଓଡ଼ିଶା ନୁହେଁ; ଛତିଶଗଡ଼, ଝାଡ଼ଖଣ୍ଡ ଭଳି ଏକ ବିଶାଳ ଭୂଖଣ୍ଡର ଲୋକମାନଙ୍କ ଆସ୍ଥାର କେନ୍ଦ୍ର। ଓଡ଼ିଶାର ଜୀବନରେଖା ମହାନଦୀ କୂଳରେ ଶେମେଲ (ଶିମୁଳି) ଗଛ ତଳେ ମା’ ସମଲେଇ ଦେବୀଙ୍କ ଆସ୍ଥାନ ରହିଥିବାରୁ ତାଙ୍କ ନାମ ସମଲେଇ ଏବଂ ପରବର୍ତ୍ତୀ ସମୟରେ ସମଲେଶ୍ବରୀ ହୋଇଛି। ମା’ଙ୍କ ନାମରେ ଗଢ଼ି ଉଠିଛି ପ୍ରାଚୀନ ସଂସ୍କୃତିର ସହର ସମ୍ବଲପୁର। ୧୪ ତାରିଖ ରବିବାର ମୂଳାଷ୍ଟମୀ ତିଥିରେ ମା’ ସମଲେଶ୍ବରୀଙ୍କ ପୀଠରେ ଷୋଡ଼ଶ ପୂଜା ଆରମ୍ଭ ହେବା ସହ ‘ପୁଅ ଜିଉଁନ୍ତିଆ’ ବି ପାଳିତ ହୋଇଛି। ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଅନୁସାରେ ଷୋଡ଼ଶ ପୂଜା ଅବସରରେ ସମଲେଶ୍ବରୀଙ୍କୁ ୧୬ ଜ୍ୟୋତିରୂପରେ ପୂଜା କରାଯାଇଥାଏ। ଦୁର୍ଗା, ନାରାୟଣୀ, ଇଶାନି, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ସର୍ବାଣୀ, ସର୍ବମଙ୍ଗଳା, ଅମ୍ବିକା, ବୈଷ୍ଣବୀ, ଗୌରୀ, ପାର୍ବତୀ ଓ ସନାତନୀ ରୂପରେ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିଦିନ ଅଲଗା ପ୍ରକାର ଭୋଗ ଲାଗି ହୋଇଥାଏ। ପୂଜକଙ୍କୁ ସ୍ବତନ୍ତ୍ର ନୀତି ପାଳନ କରିବାକୁ ପଡ଼ିଥାଏ।
ମୂଳାଷ୍ଟମୀରୁ ମହାଳୟା ପର୍ଯ୍ୟନ୍ତ କେବଳ ଗୋଟିଏ ଓଳି ଅନ୍ନ ଗ୍ରହଣ ଏବଂ ସନ୍ଧ୍ୟା ଆଳତି ପରେ ଦେବୀଙ୍କୁ ଲାଗି ହେଉଥିବା ଭୋଗ ଖାଇବା ବିଧି ରହିଛି। ଚା’ ପାଣିଠାରୁ ଆରମ୍ଭ କରି ବାହାରର କୌଣସି ଜିନିଷ ଖାଇବା ପୂଜକଙ୍କ ପାଇଁ ବାରଣ ରହିଛି। ଶଯ୍ୟାରେ ଶୋଇବା ମନା ଥିବାରୁ ତଳେ ଶୋଇବାକୁ ପଡ଼ିଥାଏ। ମନ୍ଦିର ନିର୍ମାଣ କରିଥିବା ରାଜା ବଳରାମଦେବ ଷୋହଳ ପୂଜା ସମୟରେ ନିଜେ ଉପବାସ ରହି ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କରୁଥିଲେ। ବିଭିନ୍ନ ଜାଗାରୁ ବିଭିନ୍ନ ଗୋତ୍ରର ନୈଷ୍ଠିକ ବ୍ରାହ୍ମଣମାନଙ୍କୁ ଡକାଇ ମାଁ’ଙ୍କୁ ଲାଗି ହେଉଥିବା ଭୋଗ ପ୍ରଥମେ ସେମାନଙ୍କୁ ଅର୍ପଣ କରୁଥିଲେ। ବର୍ତ୍ତମାନ ଭକ୍ତମାନଙ୍କୁ ଭୋଗ ପ୍ରଥମେ ଅର୍ପଣ କରାଯାଉଛି ବୋଲି ମୁଖ୍ୟ ପୂଜକ ଶ୍ରୀ ରାୟ କହିଛନ୍ତି।
ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି, ସର୍ବଦା ସିନ୍ଦୂର ବର୍ଣ୍ଣ ଧାରଣ କରୁଥିବା ମା’ ସମେଲଶ୍ବରୀ ଆସନ୍ତା ୨୧ ତାରିଖ ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ। ଏହାକୁ ଗଙ୍ଗାଦର୍ଶନ ବେଶ ବି କୁହାଯାଏ। ଆସନ୍ତା ୨୮ ତାରିଖ ପୀଠେ ମହାସପ୍ତମୀ ପୂଜା ସହିତ ତ୍ରିଦିନାତ୍ମକ ଦୀପ ପ୍ରଜ୍ବଳନ ଆରମ୍ଭ ହେବ। ୨୯ ତାରିଖ ମହାଷ୍ଟମୀ ପୂଜା ଅବସରରେ ଭାଇ ଜିଉଁନ୍ତିଆ ପାଳନ ସହିତ ସମଲେଶ୍ବରୀଙ୍କର ‘ଖଣ୍ଡାଧୁଆ’ ବିଧି ସଂପାଦନ କରାଯିବ। ସେହିଦିନ ରାତିରେ ସହରର ଆଖଡ଼ା ଦଳଗୁଡ଼ିକ ମନ୍ଦିରକୁ ଆସି ଆଖଡ଼ା ପ୍ରଦର୍ଶନ କରିବେ। ୩୦ ତାରିଖ ମହାନବମୀ ଦିନ ମା’ ସମେଲଶ୍ବରୀଙ୍କ ଆଖଡ଼ା ନଗର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। ୧ ଅକ୍ଟୋବର ଦିନ ‘ପୀଠେ ବିଶ୍ରାମ’, ୨ ଅକ୍ଟୋବର ଦଶହରାରେ ରଣଜିତା ଉତ୍ସବ ହେବ। ସେହିପରି ୬ ଅକ୍ଟୋବର କୁମାର ପୂର୍ଣ୍ଣିମାରେ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବା ସହିତ ମନ୍ଦିରରେ ନୂତନ ଧ୍ବଜା ଆରୋହଣ କାର୍ଯ୍ୟକ୍ରମ ରହିଛି।