ଯାଜପୁରସଦର: ଶାରଦୀୟ ପୂଜା ନିମନ୍ତେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ବିଶେଷ ଷୋଡ଼ଶୋପଚାର ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ମା’ବିରଜାଙ୍କ ପଶ୍ଚିମ ପାର୍ଶ୍ବରେ ଥିବା ବ୍ରହ୍ମାକୁଣ୍ଡରୁ ଜଳ ନିଆଯାଇ ମା’ଙ୍କ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ହୋଇଥିଲା। ଦ୍ୱିତୀୟାଷ୍ଟମୀରେ ମା’ବିରଜାଙ୍କୁ ପ୍ରାତଃରୁ ଶ୍ରୀଅଙ୍ଗଲାଗି ସେବାୟତ ସ୍ନାନ କରାଇ ବେଶ କରିବା ସହ ରୀତିନୀତି ଅନୁଯାୟୀ ଦିବା ଗୋଟାଏରେ ପହୁଡ଼ କରିଥିଲେ। ଅପରାହ୍ଣ ୩ଟାରେ ପହୁଡ଼ ଖୋଲିବା ପରେ ସନ୍ଧ୍ୟାରେ ମା’ଙ୍କର ଆଳତି ହୋଇଥିଲା। ବିଶେଷ ଷୋଡ଼ଶୋପଚାର ପୂଜା ନିମନ୍ତେ ରାତ୍ର ୭.୨୦ ପରେ ଘଣ୍ଟ, ବାଦ୍ୟ, ଦୁନ୍ଦୁଭି, ତୁରୀ, ମଶାଲ, ଛତା, ତରାଶ ଗହଣରେ ପୁରୋଧା, ପୂଜକ ମା’ଙ୍କ ଶ୍ରୀଅଙ୍ଗ ଲାଗି ସେବାୟତଙ୍କ ସହିତ ଆର୍ଶା-ଅଶୋକ କୁମାର ପାଣି, ଚରୁ-ସୀତାକାନ୍ତ ପାଣି, ସମିଧ-ଚନ୍ଦ୍ରଶେଖର ପାଣି, ଜ୍ୟୋତିଷ-ଗୋବିନ୍ଦ ମହାରଣା, ମଶାଲ-ଭାଗବତ ବାରିକ, ଚାମର-ଶରତ ସିଂ, ଛତା-ମୁନି ରଣା, ତରାଶ-ରବି ରଣା, ଶଙ୍ଖୁଆ-ନଟବର ବେହେରାଙ୍କ ସମେତ ମା’ଙ୍କ ପଶ୍ଚିମ ପଟେ ଥିବା ବ୍ରହ୍ମାକୁଣ୍ଡରେ ଘଟ ନିମଜ୍ଜନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ୧୦ଟି ପିତଳ କଳସରେ ଜଳନେଇ ମା’ଙ୍କ ମନ୍ଦିର ପରିସରସ୍ଥିତ ଯଜ୍ଞକୁଣ୍ଡରେ ସ୍ଥାପନ କରିବା ପରେ ବିଶେଷ ଷୋଡ଼ଶୋପଚାର ପୂଜା ଆରମ୍ଭ ହୋଇଥିଲା।
ଗଣପତି, ବ୍ରାହ୍ମୀ, ମାହେଶ୍ୱରୀ, କୁମାରୀ, ବୈଷ୍ଣବୀ, ବରାହୀ, ମାହେନ୍ଦ୍ରୀ, ଚାମୁଣ୍ଡା, ମହାଲକ୍ଷ୍ମୀଙ୍କ ନାମରେ ୯ଟି କଳସ ଯଜ୍ଞ ମଣ୍ଡପରେ ସ୍ଥାପନ ହେବା ସହ ମଝିରେ ମା’ବିରଜାଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥିଲା। ରାତ୍ର ୮ଟା ପରେ ମା’ଙ୍କୁ ବୈତରଣୀ ପଣ୍ଡାଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମହାସ୍ନାନ କରାଯାଇଥିଲା। ବେଶ କରାଯାଇ ଗର୍ଭ ଗୃହରେ ପୂଜା ସହ ଯଜ୍ଞ ମଣ୍ଡପରେ ଯଜ୍ଞ କର୍ମ ହୋଇଥିଲା। ଏହି ବିଶେଷ ଷୋଡ଼ଶୋପଚାର ପୂଜା ୧୫ ଦିନ ଧରି ଚାଲିବ ଏବଂ ଦ୍ୱିତୀୟାଷ୍ଟମୀରେ ୧୦ କଳସ ସ୍ଥାପନା ସହ ପଞ୍ଚମୀ ଦିନରେ ୫ କଳସ ଓ ମହାଷ୍ଟମୀ ଦିନ ୧ କଳସ ସ୍ଥାପନା ହୋଇ ଷୋଡ଼ଶୋପଚାର ପୂଜା ଶେଷ ହେବ। ପ୍ରତିପଦଠାରୁ ମା’ଙ୍କର ନବଦିନ ବ୍ୟାପୀ ରଥଯାତ୍ରା ଆରମ୍ଭ ହୋଇ ମହାନବମୀରେ ସମାପନ ହେବ। ଏହିଦିନ ରାତ୍ରରେ ମା’ଙ୍କର ଦିଗ୍ବିଜୟ ଯାତ୍ରା ଅନୁଷ୍ଠିତ ହେବ। ଦ୍ୱିତୀୟାଷ୍ଟମୀ ଦିନ ଘଟ ନିମଜ୍ଜନ ଏବଂ ବିଶେଷ ଷୋଡ଼ଶୋପଚାର ପୂଜାକୁ ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ଡ. ଜ୍ଞାନରଞ୍ଜନ ପତି, ପ୍ରମୋଦ କୁମାର ପତି, ମନୋରଞ୍ଜନ ପତି, ମୋହିନୀ ମୋହନ ପତି, ବିରଜା କିଙ୍କର ପତି, ସରୋଜ ପତି, ପ୍ରତାପ କୁମାର ପତି, ପ୍ରଭାତ ରଞ୍ଜନ ପତି, ବିରଜା ଶଙ୍କର ପତି, ଶଶାଙ୍କ ପତି, ପୂଜକ ସତ୍ୟରଞ୍ଜନ କର ପ୍ରମୁଖ ସମ୍ପନ୍ନ କରିଥିଲେ। ମ୍ୟାନେଜିଂ ଟ୍ରଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୂଜାବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର କର୍ମଚାରୀ ସୁଧାରଞ୍ଜନ ପଣ୍ଡା, ପ୍ରଭାତ କୁମାର ପତି, ନାଗେନ୍ଦ୍ର ଭୂଷଣ କର, ମଳୟ କୁମାର ପଣ୍ଡା, ଚନ୍ଦନ ଦିକ୍ଷୀତ, ମନ୍ଦିର ପୁଲିସ ସୂର୍ଯ୍ୟକାନ୍ତ ନାୟକ, ଆଲୋକ ଓଝା, ନିରଞ୍ଜନ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ।