ଭଟ୍ଟାରିକା: ଭଗବାନଙ୍କ ଷଷ୍ଠ ଅବତାର ପର୍ଶୁରାମ ମାତୃହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ଓ ଦୁଷ୍ଟ କ୍ଷତ୍ରିୟମାନଙ୍କୁ ବିନାଶ କରିବା ପାଇଁ ମାତୃଶକ୍ତିର କାମନା କରିଥିଲେ। ନାନା ସ୍ଥାନ ଭ୍ରମଣ କରିସାରିବା ପରେ ସେ ଉତ୍କଳର ରତ୍ନଗିରି ପାହାଡ଼ରେ ପହଞ୍ଚିଥିଲେ। ଏଠାକାର ପ୍ରକୃତିରାଜିରେ ବିଭୋର ହେଲେ ଓ ପାହାଡ଼ରେ ମା’ଙ୍କୁ ତପସ୍ୟା କଲେ। ତପସ୍ୟାରେ ମୁଗ୍ଧ ହୋଇ ମା’ ଦର୍ଶନ ଦେଇଥିଲେ ଓ ଅଭୟ ବର ପ୍ରଦାନ କରି ଅନ୍ତର୍ଧ୍ୟାନ ହୋଇଗଲେ। ମା’ଙ୍କୁ ସେ ଯେଉଁ ରୂପରେ ଦେଖିଲେ, ପାଷାଣରେ ଧନୁ-ତୀର ମୁନରେ ସେହି ମୂର୍ତ୍ତି ଅଙ୍କନ କଲେ ଏବଂ ମା’ଙ୍କ ନାଁ ରଖିଲେ ଭଟ୍ଟାରିକା। ଭଟ୍ଟ ଅର୍ଥାତ୍ କ୍ଷତ୍ରିୟ, ଅରି ଅର୍ଥାତ୍ ଶତ୍ରୁ; (ଭଟ୍ଟ+ଅରିକା= ଭଟ୍ଟାରିକା)। ସେହିଦିନଠାରୁ ଏହା ଏକ ଶକ୍ତିପୀଠରେ ପରିଗଣିତ ହୋଇଆସୁଛି।
ମାଳି ସମ୍ପ୍ରଦାୟର ଲୋକେ ରାଜରାଜେଶ୍ବରୀ ସିଦ୍ଧ ଭଟ୍ଟାରିକା ଉଚ୍ଚାରଣ କରି ଦୁର୍ଗାମନ୍ତ୍ରରେ ମା’ଙ୍କୁ ପୂଜା କରନ୍ତି। ୧୪୦୦ ଶତାବ୍ଦୀରେ ମା’ଙ୍କ ମନ୍ଦିରର ଜଗମୋହନ ନିର୍ମାଣ ହୋଇଥିବା କିମ୍ବଦନ୍ତୀ କହେ। ମା’ଙ୍କ ବହୁ ପୂଜା ମଧ୍ୟରୁ ଶାରଦୀୟ ନବରାତ୍ର ପୂଜା ଅନ୍ୟତମ। ଦ୍ବିତୀବାହନ ଓଷା ଠାରୁ ମା’ ଷୋଡ଼ଶ ଉପଚାରରେ ପୂଜା ପାଆନ୍ତି ଓ ବିଭିନ୍ନ ଦିବସରେ ସୁନା ବେଶ ସହ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ବେଶଗୁଡ଼ିକ ମଧ୍ୟରୁ ବନଦୁର୍ଗା, ରାଜରାଜେଶ୍ବରୀ, ଜଗଦ୍ଧାତ୍ରୀ, ହରଚଣ୍ଡୀ, ସିଂହବାହିନୀ, କମଳା, ମାତଙ୍ଗୀ, ତ୍ରିପୁରା ଭୈରବୀ, ଭୁବନେଶ୍ବରୀ ଅନ୍ୟତମ।
ପ୍ରତ୍ୟେକ ଦିନ ମାଛ ଭୋଗ ହେଉଥିଲେ ମଧ୍ୟ ପାର୍ବଣ ସମୟରେ ମାଛ ବଳି ଦିଆଯାଇଥାଏ। ମୁଖ୍ୟ ପୂଜକ ୧୬ଦିନ ଯାଏଁ ଚଣ୍ଡୀ ପୁରାଣ ଓ ଅପରାଜିତା ଚଣ୍ଡୀପାଠ କରିଥାଆନ୍ତି। ମା’ଙ୍କୁ ଖେଚୁଡ଼ି, କାକରା, ଏଣ୍ଡୁରି, ମଣ୍ଡୁଆଳ, ଦହି-ପଖାଳ ଅର୍ପଣ କରାଯାଇଥାଏ। ପ୍ରତ୍ୟେକ ଦିନ ରାତିରେ ମା’ଙ୍କ ବଡ଼ସିଂହାର ବେଶ କରାଯାଇଥାଏ। ଏହାପରେ ଶାନ୍ତିପଣା ଦେଇ, ତାମ୍ବୁଳ ଅର୍ପଣ କରିବା ପରେ ମା’ଙ୍କୁ ଖଟ ଶେଯକୁ ନିମନ୍ତ୍ରଣ କରାଯାଇ ପହୁଡ଼ ବନ୍ଦ ହୋଇଥାଏ।