କଟକ: ଓଡ଼ିଶାର ଶକ୍ତିପୀଠମାନଙ୍କ ମଧ୍ୟରେ ମା’ କଟକ ଚଣ୍ଡୀଙ୍କ ପୀଠର ସ୍ବତନ୍ତ୍ର ମହିମା ରହିଛି। ମା’ କଟକ ଚଣ୍ଡୀ କଟକର ଆରାଧ୍ୟା ଦେବୀ ଭାବେ ସର୍ବମାନ୍ୟ। ସଂପ୍ରତି ମା’ ଯେଉଁଠି ପୂଜା ପାଉଛନ୍ତି, ସେଠାରେ ମାଟିତଳେ ପୋତି ହୋଇ ରହିଥିଲେ। ଏକଦା ପଣ୍ଡିତ ହଂସ ପଣ୍ଡା ସେହିଠାରେ ବସିଥିବା ବେଳେ ମା’ଙ୍କ ଦିବ୍ୟ ଉପସ୍ଥିତିକୁ ଅନୁଭବ କରିଥିଲେ। କନିକା ରାଜାଙ୍କ ସହାୟତାରେ ସେହି ସ୍ଥାନ ଖୋଳାଯିବାରୁ ୪୦ ଓଦର ସିନ୍ଦୂର ବାହାରିବା ପରେ ମା’ କଟକ ଚଣ୍ଡୀଙ୍କ ପ୍ରତୀମାକୁ ଉଦ୍ଧାର କରାଯାଇଥିଲା। ପଣ୍ଡିତ ହଂସ ପଣ୍ଡା ପ୍ରଥମ କରି ମା’ଙ୍କ ନୀତିକାନ୍ତି ଆରମ୍ଭ କରିଥିଲେ। ଏହାପରେ ତାଙ୍କ ଉତ୍ତରପିଢ଼ି ମା’ଙ୍କ ଦୈନିକ ସେବା ଓ ନୀତିକାନ୍ତି କରୁଛନ୍ତି। ସଂପ୍ରତି ହଂସ ପଣ୍ଡାଙ୍କ ପଞ୍ଚମ ପିଢ଼ି ତଥା ସେବକ ପଣ୍ଡିତ ମନୋଜ କୁମାର ପଣ୍ଡାଙ୍କ ସମେତ ତାଙ୍କ ଭାଇମାନେ ମା’ଙ୍କ ନୀତିସେବା, ପୀଠର ଯାନିଯାତ୍ରା ପରିଚାଳନା କରୁଛନ୍ତି।
କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ
ପ୍ରତିଦିନ ଭୋର୍ ୫ଟା ୧୫ରୁ ମା’ କଟକ ଚଣ୍ଡୀଙ୍କ ମନ୍ଦିର ପହଡ଼ ଖୋଲାହୁଏ। ପ୍ରଥମେ ମା’ଙ୍କ ମଙ୍ଗଳ ଆଳତି ସଂପନ୍ନ ହୁଏ। ବର୍ଷ ତମାମ ମଙ୍ଗଳ ଆଳତି ଦେଖିବାକୁ ବହୁ ଭକ୍ତ ଅପେକ୍ଷା କରି ରହିଥାନ୍ତି। ମଙ୍ଗଳବାର ଓ ଶନିବାର ମଧ୍ୟାହ୍ନରେ ମା’ଙ୍କ ପାଖରେ ମତ୍ସ୍ୟ ଭୋଗ ଲାଗି ହୁଏ। ମା’ଙ୍କ ପୀଠରେ ବଡ଼ ଆଳତିର ସ୍ବତନ୍ତ୍ର ମହତ୍ବ ରହିଛି। ସଂକ୍ରାନ୍ତି, ପୂର୍ଣ୍ଣିମା, ଗୁରୁବାର ସମେତ ବିଶେଷ ଦିବସରେ ପୀଠରେ ବଡ଼ ଆଳତି ହୁଏ। ସେହିପରି ରାଧାଷ୍ଟମୀରେ ମା’ଙ୍କର ଶୟନ ଉତ୍ସବ କରାଯାଏ। ୧୫ଦିନ ପରେ ମୂଳାଷ୍ଟମୀ ଦିନ ମା’ଙ୍କ ୧୦୦୮କୁମ୍ଭାଭିଷେକ କରାଯାଇ ନିଦରୁ ଉଠାଯାଏ। ପରମ୍ପରା ଅନୁସାରେ, ମହାନଦୀର ଗଡ଼ଗଡ଼ିଆ ଘାଟରୁ ଘଟ ଆସି ପୀଠରେ ସ୍ଥାପନ ହୁଏ। ନୀତି ଅନୁସାରେ ମୂଳାଷ୍ଟମୀରେ ମା’ ଧରାବତରଣ କରନ୍ତି ଓ ଦଶମୀରେ ଘଟ ବିସର୍ଜନ ହୁଏ। ମା’ କଟକ ଚଣ୍ଡୀ ପ୍ରକୃତରେ ଭୁବନେଶ୍ବରୀ। ସେ ଚତୁର୍ଭୁଜା। ତାଙ୍କର ଉପର ଦୁଇ ହସ୍ତରେ ପାଶ, ଅଙ୍କୁଶ(ଅସ୍ତ୍ର) ଓ ତଳ ଦୁଇ ହସ୍ତରେ ଅଭୟ ଓ ବର ରହିଥାଏ। ଏଥିପାଇଁ ଭୁବନେଶ୍ବରୀ ବେଶରୁ ମା’ଙ୍କ ପ୍ରଥମ ବେଶ ଆରମ୍ଭ ହୁଏ। ତା’ ପରକୁ ପର ସିଦ୍ଧେଶ୍ବରୀ, ଉଗ୍ରତାରା, ରାଜ ରାଜେଶ୍ବରୀ, ଜୟଦୁର୍ଗା, ତ୍ରିପୁରା ଭୈରବୀ, ନାରାୟଣୀ, ହରଚଣ୍ଡୀ, ଷୋଡ଼ଶୀ, ବନଦୁର୍ଗା, ଗାୟତ୍ରୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ, ମହିଷାମର୍ଦ୍ଧିନୀ ଆଦି ବେଶ ସଂପନ୍ନ ହୁଏ। ମହାଷ୍ଟମୀରେ ମହାସ୍ନାନ ପରେ ମା’ ମହାକାଳୀ ରୂପ ଧାରଣ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/18/dsgdjdgjdgj-2025-09-18-01-42-24.jpg)