ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ବନ୍ଦ ହେଉନି ଛତିଶଗଡ଼ର ବେଆଇନ ନିର୍ମାଣ

ଭୁବନେଶ୍ବର : ତିନି ବର୍ଷ ବିତିଲା, ବନ୍ଦ ହେଉନି ଛତିଶଗଡ଼ର ବେଆଇନ ନିର୍ମାଣ। ଅଣମୌସୁମୀ ସମୟରେ ଶୁଖିଲା ପଡ଼ୁଛି ହୀରାକୁଦ। ୧୦ ତାରିଖରେ ହେବ ମହାନଦୀ ଟ୍ରିବୁନାଲର ୨୧ ତମ ଶୁଣାଣି। ଏହି ପରିପ୍ରେକ୍ଷୀରେ ଅନ୍ତରୀଣ ଆଦେଶ ସମେତ ବିଭିନ୍ନ ଦାବି ନେଇ ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ। କଟକର ଜୋବ୍ରା, ପାରାଦ୍ୱୀପ, ବାଙ୍କୀ, ବୈଦେଶ୍ଵର, ଆଠଗଡ, କରବର, କଣ୍ଟିଲୋ, ବୌଦ୍ଧ, ସୋନପୁର, କନକତରା, ସୁଖାସୋଡ଼ାରେ ଆସନ୍ତାକାଲି ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ସତ୍ୟାଗ୍ରହ କରାଯିବ ବୋଲି ଘୋଷଣା କରିଛି ସଙ୍ଗଠନ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କ‌ରେ ସୂଚନା ଦେଇ ସଙ୍ଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ମାର୍ଚ ୧୨ ତାରିଖରେ ମହାନଦୀ ଟ୍ରିବୁନାଲକୁ ୩ ବର୍ଷ ପୂରଣ ହୋଇଛି। ଅଣମୌସୁମୀ ସମୟରେ ହୀରାକୁଦ ପାଇଁ ଆବଶ୍ୟକ ୧.୭୪ ମିଲିୟନ ଏକର ଫୁଟ୍‌ ପାଣିର ଆବଶ୍ୟକତାକୁ ଦୃଷ୍ଟି ଦିଆଯାଉ ନାହିଁ। ଏହି ତିନିବର୍ଷ ଭିତରେ ମହାନଦୀ ଟ୍ରିବୁନାଲ ଓଡିଶାର ସ୍ୱାର୍ଥ ଓ ନଦୀର ଅଧିକାରକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି l ହୀରାକୁଦ ତଳମୁଣ୍ଡରେ ୭ ବ୍ୟାରେଜ ନିର୍ମାଣ ଘୋଷଣା ପ୍ରତାରଣାରେ ପରିଣତ ହୋଇଛି। ବରଂ ମହାନଦୀ ପାଣି, ଜମି ଉଭୟ ଜବରଦଖଲରେ ରହିଛି। ସବୁଜ ମିସନ ଫମ୍ପା ସ୍ଲୋଗାନରେ ପରିଣତ ହୋଇଛି। ବର୍ତ୍ତମାନ ସ୍ଥିତିରେ କଲମା ବ୍ୟାରେଜ୍‌ ଖୋଲି ମହାନଦୀର ନିରନ୍ତନ ପ୍ରବାହ ବ୍ୟବସ୍ଥା, ସବୁଜ ମିସନ ଅଗ୍ରଗତି ନେଇ ଶ୍ବେତପତ୍ର ପ୍ରକାଶ, ହୀରାକୁଦ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଜଳ ସଂରକ୍ଷଣ ବ୍ୟବସ୍ଥା, ମହାନଦୀକୁ ପ୍ରଦୂଷଣମୁକ୍ତ ପାଇଁ ସଙ୍ଗଠନ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ପ୍ରବକ୍ତା ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ଉମାବଲ୍ଲଭ ରଥ, ଅଶୋକ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର