ଝାରସୁଗୁଡ଼ା/ବ୍ରଜରାଜନଗର : ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଘଟଣା ଖୋଦ୍ ଛତିଶଗଡ଼ ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବ୍ୟାରେଜ୍ ଯୋଗୁଁ ହଜାରହଜାର ମତ୍ସ୍ୟଜୀବୀ ଏବେ ଜୀବିକା ହରାଇ ସାରିଛନ୍ତି। ଯେଉଁଥିପାଇଁ ସେମାନେ ସରକାରଙ୍କୁ ବିରୋଧ କରିବା ସହିତ ‘ଗୃହଶତ୍ରୁ’ ବୋଲି କହୁଛନ୍ତି। ‘ସମ୍ବାଦ ଟିମ୍’ର ‘ଗ୍ରାଉଣ୍ଡଜିରୋ’ ରିପୋର୍ଟରୁ ଏହିଭଳି ଏକ ତଥ୍ୟ ସାମ୍ନାକୁ ଆସିଛି।
କଲ୍ମାରେ ବ୍ୟାରେଜ୍ ନିର୍ମାଣ କରି ଛତିଶଗଡ଼ ସରକାର ଅଟକାଇଥିବା ପାଣିକୁ ସେଠାକାର ଶିଳ୍ପକୁ ଯୋଗାଇ ଦେଉଛନ୍ତିି। ଫଳରେ କଲ୍ମାରୁ ଲାରା ପର୍ଯ୍ୟନ୍ତ ରାଜ୍ୟର ଅନେକ ଗ୍ରାମ ପ୍ରଭାବିତ ହୋଇଛନ୍ତି। ମହାନଦୀ କୂଳରେ ଥିବା ବହୁ ଗ୍ରାମରେ ଏବେ ନଦୀକୁ ଜୀବିକା କରିଥିବା ହଜାର ହଜାର ଲୋକ ବେକାର ହୋଇଗଲେଣି। ଝାରସୁଗୁଡ଼ା ସୀମାକୁ ଲାଗି ରହିଥିବା ରାୟଗଡ଼ ଜିଲ୍ଲା ପୁସୋର ବ୍ଲକ ନୂଆପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସୂରଜଗଡ଼ ଗାଁର ସବୁ ଅଧିବାସୀ ଗତ ତିନିବର୍ଷ ହେଲା କୌଳିକ ବୃତ୍ତି ହରାଇ ଦୟନୀୟ ଜୀବନଯାପନ କରୁଛନ୍ତି। ମହାନଦୀରେ ପାଣି ଅଟକାଇବା ପରେ ଛତିଶଗଡ଼ର ୩୦ରୁ ଅଧିକ ଗାଁର ବାସିନ୍ଦା କିଭଳି ଜୀବନଯାପନ କରୁଛନ୍ତି ସେ ନେଇ ସ୍ଥିତି ପରଖିଥିଲା ‘ସମ୍ବାଦ’ ଟିମ୍।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସୂରଜଗଡ଼ ଗାଁରେ ରହୁଛନ୍ତି ୫୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର। ପୁରୁଷ ପୁରୁଷ ଧରି ସେମାନେ ମହାନଦୀରୁ ମାଛ ଧରି ଜୀବିକାନିର୍ବାହ କରି ଆସୁଥିଲେ। ମାତ୍ର ଛତିଶଗଡ଼ ସରକାର ଉପର ମୁଣ୍ଡରେ ଡ୍ୟାମ୍ କରିବା ଦ୍ୱାରା ଗତ ୩ ବର୍ଷ ହେଲା ନଦୀରେ ଆଉ ପାଣି ଆସୁନାହିଁ। ଫଳରେ ତାଙ୍କ ମାଛ ଧରା ବ୍ୟବସାୟ ବନ୍ଦ ହୋଇଯାଇଛି।
ଶୁଖିଲା ନଦୀ ତାଙ୍କ ପରିବାର ମୁହଁରୁ ଆହାର ଛଡ଼ାଇ ନେଇଛି ବୋଲି କହିଛନ୍ତି ଗାଁର ଗମ୍ଭୀରା ମାଝୀ, ଶିଶୁପାଳ ମାଝୀ, ମଣି ଗୁପ୍ତା, କିରିତଲାଲ ମାଝୀ, ବିଳାସ ମାଝୀ, ଲଛମନ ମାଝୀ, ସୁନ୍ଦର ମାଝୀ, ବିକଳ ମାଝୀ, ଗୋପାଳ ମାଝୀ, ଶ୍ୟାମଲାଲ ମାଝୀ, ବିପ୍ର ମାଝୀ, ନାଏବ ସରପଞ୍ଚ ସନ୍ତୋଷ ରାଉତ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ।
ମାଛ ମରା କାମ ବନ୍ଦ ପରେ ଜୀବିକା ହରାଇଥିବା ଗ୍ରାମବାସୀ ଅନେକଥର ସୋସାଇଟି ମାଧ୍ୟମରେ ବିକଳ୍ପ କାମ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସରକାର ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରି ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭୋକର ଦାଉ ମେଣ୍ଟାଇବାକୁ ଯାଇ ଏବେ ଗାଁର ମତ୍ସ୍ୟଜୀବୀ କୁଲି ମଜୁରୀ କାମ ଆପଣେଇ ନେଇଛନ୍ତି। କିଛି ମତ୍ସ୍ୟଜୀବୀ ଆନ୍ଧ୍ରରୁ ମାଛ ଆଣି ବିକ୍ରି କରି ଚଳୁଛନ୍ତି। ନଦୀରେ ପାଣି ନଥିବାରୁ ପାଖରେ ଥିବା ଶତାଧିକ ମାଛମରା ଡଙ୍ଗା ଶୁଖି ନଷ୍ଟ ହୋଇଗଲାଣି। ଏବେ ସେହି ଡଙ୍ଗାର କାଠକୁ ଜାଳେଣି ଭାବେ ବ୍ୟବହାର କରୁଛୁ ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଜାଲ ବି ଘର କୋଣରେ ଭାଗ୍ୟ ଆଦରି ପଡ଼ି ରହିଛି। ନଦୀ ପାଣିରେ ଦିନ ରାତି ବୁଡ଼ି ରହୁଥିବା ଏହି ମତ୍ସ୍ୟଜୀବୀମାନେ ଏବେ ଗାଧୋଇବା ପାଇଁ ନଳକୂଅ ଉପରେ ନିର୍ଭରଶୀଳ। କେବଳ ସୂରଜଗଡ଼ ନୁହେଁ ନଦୀକୂଳରେ ଥିବା ଛତିଶଗଡ଼ ରାଜ୍ୟର ଚଙ୍ଘରି, ଖପରାପାଲି, ବାଲପୁର, ମହାଦେବପାଲି, ପଲସଦା, ତୋରନା, ପଚଡ଼ା, ସାହଂସପୁର, ଚନ୍ଦ୍ରପୁର, କାଂସଡିହି ଭଳି ଆହୁରି ଅନେକ ଗ୍ରାମର ହଜାର ହଜାର ମତ୍ସ୍ୟଜୀବୀ ଜୀବିକା ହରାଇ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/SBPHO13-JSG1.jpg)