ଫିକା ପଡ଼ିଲା ମହାନଦୀ ପ୍ରସଂଗ : ଶୁଖିଲା ପଡ଼ିଛି ନଦୀ ଶଯ୍ୟା

ଝାରସୁଗୁଡ଼ା : ଗତ ବର୍ଷ ଏହି ସମୟରେ ଛତିଶଗଡ଼ ମହାନଦୀ ପ୍ରସଙ୍ଗ ଉଗ୍ରରୂପ ନେଇଥିଲା। ପ୍ରଚଣ୍ଡ ଖରକୁ ଖାତିର ନକରି ମାଳ ମାଳ ନେତା ମହାନଦୀ ପ୍ରବେଶ ପଥ ଶୁଖାସୋଢ଼ା ଗ୍ରାମରେ ଏକତ୍ରିତ ହୋଇଥିଲେ। ଗତ ବର୍ଷ ମେ’ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମହାନଦୀ ବଞ୍ଚାଅ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ଶୁଭାରମ୍ଭ କରିଥିଲେ। ଛତିଶଗଡ଼ ବିଜେପି ସରକାରଙ୍କୁ ଏଠାରେ ତୀବ୍ର ସମାଲୋଚନା କରାଯାଇଥିଲା। ଏହି ପ୍ରସଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ପ୍ରସଙ୍ଗ କରିଥିଲେ ମଧ୍ୟ ଏହାର କିଛି ମାସ ଏହା ଶାନ୍ତ ପଡ଼ି ଯାଇଥିବା ଲକ୍ଷ୍ୟ କରାଯାଇଥିଲା। ଇତିମଧ୍ୟରେ ଛତିଶଗଡ଼ର ସରକାର ବଦଳି ଯାଇଛି। ମହାନଦୀ ସମସ୍ୟା କିନ୍ତୁ ଯେପରି ଥିଲା ସେପରି ଅଛି। ତେବେ, ଏହି ପ୍ରସଙ୍ଗକୁ ନେଇ ଏବେ ସମସ୍ତେ ଚୁପ୍ ।

ଏବେବି ଛତିଶଗଡ଼ ପଟେ ବିଶାଳ ଜଳରାଶି ମହାନଦୀରେ ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟେ ଶୁଖିଲା ପଡ଼ିଛି। ଛତିଶଗଡ଼ର ରାୟଗଡ଼ ଜିଲ୍ଲା କଲ୍‌ମା ଠାରେ ମହାନଦୀ ଉପରେ ନିମାର୍ଣ ହୋଇଥିବା କଳମା ବ୍ୟାରେଜର ୬୬ ଗୋଟି ଗେଟ୍‌ ମହାନଦୀର ଜଳରାଶିକୁ ଅଟକାଇ ରଖିଛି। ପ୍ରଚଣ୍ତ ଗ୍ରୀଷ୍ମରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ମଣିଷ ଠାରୁ ଗୋରୁ ପର୍ଯ୍ୟନ୍ତ ଗୋଟିଏ ପଟେ ଡହଳବିକଳ ହେଉଥିବା ବେଳେ ଅନ୍ୟପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଦୁଇଟି ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ଅବ୍ୟାହତ ରହିଛି। ମହାନଦୀ ତଳ ମୁଣ୍ତରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ଚାରିବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିଲେ ମଧ୍ୟ ତାଙ୍କ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଛତିଶଗଡ଼ ସରକାର ଶିଳ୍ପର ସ୍ବାର୍ଥ ପାଇଁ ଜନସାଧାରଣଙ୍କ ସ୍ବାର୍ଥକୁ ସ˚ପୂର୍ଣ୍ଣ ଜଳାଞ୍ଜଳି ଦେଇ ମହାନଦୀର ପାଣିକୁ ଅଟକାଇ ଥିଲେ ମଧ୍ୟ ଏହି ପାଣି ସେଠାରେ ଚ‌ାଷୀକୁ ଦିଆଯାଉ ନାହିଁ। ତଳମୁଣ୍ଡରେ ଥିବା ଅନେକ ଗ୍ରାମ ଏଥିଯୋଗୁଁ ଜଳକଷ୍ଟ ଭୋଗୁଛି। ଏହି ଗ୍ରାମ ଗୁଡ଼ିକରେ ଚାରି ବର୍ଷ ହେଲା ରବି ଚାଷ ବନ୍ଦ ହୋଇଯାଇଛି। ପନିପରିବା ଚାଷ ମଧୢ ବନ୍ଦ ହୋଇଯାଇଛି। ସର୍ବତ୍ର ପାଣି ପାଇଁ ହାହାକାର ପଡ଼ିଛି। ନଦୀରେ ପାଣି ନଥିବା ଯୋଗୁଁ ଭୂତଳ ଜଳସ୍ତର ମଧୢ କମି ଯାଇଛି। ଛତିଶଗଡ଼ରେ ମହାନଦୀକୁ ନେଇ ଯେଉଁ ଅସନ୍ତୋଷର ସ୍ବର ଉଠିଥିଲା ତାହା ଏବେ ଶାନ୍ତ ପଡ଼ି ଯାଇଛି। ଶୁଖାସୋଢ଼ା ନିକଟ ମହୁଲପାଲି ଠାରେ ଖାଲୁଆ ସ୍ଥାନରେ ଜମି ରହିଥିବା ନଦୀ ଜଳ ହିଁ ‌ଏବେ ଲୋକଙ୍କ ସାହା ଭରସା ପାଲଟିଛି।

ସମ୍ବନ୍ଧିତ ଖବର