ମହାନଦୀ ବସ୍‌ ଦୁର୍ଘଟଣା : ଆଉ ଜଣେ ମୃତ

କଟକ : ମହାନଦୀ ପୋଲରେ ଘଟିଥିବା ବସ୍‌ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ପୂର୍ବରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଆହତ ପୁରୀ କୃଷ୍ଣଶାସନପୁର ଅଞ୍ଚଳର ଉମାକାନ୍ତ ଭଟ୍ଟଙ୍କର ଆଜି ମୃତ୍ୟୁ ଘଟିଛି। ଆହତ ଉମାକାନ୍ତଙ୍କ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମ ଦିନରୁ ଭେଣ୍ଟିଲେଟରରେ ରଖାଯାଇଥିଲା। କଟକ ବଡ ମେଡିକାଲ ସେଣ୍ଟ୍ରାଲ ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ। ଦୁର୍ଘଟଣାରେ ଆହତ ଅନ୍ୟ ୭ଜଣ ଏବେବି ମେଡିକାଲ୍‌ରେ ଚିକିତ୍ସିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଟ୍ରମା ଆଇସିୟୁରେ, ଜଣେ ସେଣ୍ଟ୍ରାଲ ଆଇସିୟୁରେ ଏବ˚ ୪ଜଣ ଡିଜାଷ୍ଟର ଵାର୍ଡରେ ଚିକିତ୍ସିତ ହେଉଥିବା ଏସ୍‌ସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ନଭେମ୍ବର ୨୦ ତାରିଖରେ ତାଳଚେର ବଲଣ୍ଡାରୁ ଭୁବନେଶ୍ବର ଯାଉଥିବା ଯାତ୍ରୀବାହୀ ଏସି ସ୍ଲିପର ବସ୍୍ ‘ଜଗନ୍ନାଥ’ (ଓଡି ୩୫ଏ ୦୨୧୧) ମହାନଦୀ ପୋଲର ବାଡା ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ଖସି ପଡିବା ଫଳରେ ସେହି ଦିନ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଏସସିବିରେ ଆଉ ଜଣେ ଆହତଙ୍କର ମୃତ୍ୟୁ ଘଟିଥିଲା। ବସରେ ସେଦିନ ୫୮ ଜଣ ଯାତ୍ରୀ ଆସୁଥିବା ବେଳେ ଜଗତପୁର ଦିଗରୁ କଟକ ଆଡକୁ ଆସୁଥିବା ଗାଡ଼ିଟି ମଇଁଷି ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର