ମହାନଦୀ ବିବାଦ : ଏବେ ଏକାଠି ଲଢ଼ିବେ

ମୁଖ୍ୟମନ୍ତ୍ରୀ ସବୁ ଦଳକୁ ଲୋଡ଼ିବେ

ପାଣି ସମସ୍ୟା ନେଇ ଗୃହ କମିଟି ଗଠନ ନିଷ୍ପତ୍ତି

ଭୁବନେଶ୍ୱର : କୁମ୍ଭୀର ନେଇ ମଝି ନଈରେ କରିବା ପରେ ଶେଷରେ ସହମତି ହୋଇଛି। ସବୁ ଦଳ ମିଶି ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବେ। ଆଜି ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସବୁ ଦଳକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ସଂପର୍କରେ ସକାରାତ୍ମକ ମତ ପୋଷଣ କରିଛନ୍ତି। ହେଲେ ସୁପ୍ରିମକୋର୍ଟରେ ମାମଲାର ପରିବର୍ତୀ ଶୁଣାଣି ଶେଷ ପରେ ଯାଇ ସର୍ବଦଳୀୟ ବୈଠକ ଡକାଯାଇପାରେ। ଏହି ବୈଠକର ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ସରକାର।

ତେବେ ଏହା ପୂର୍ବରୁ ପାଣି ସମସ୍ୟା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରାଯିବ। ଯେ କୌଣସି ମୁହୂର୍ତରେ ବାଚସ୍ପତି ଗୃହ କମିଟିର ରୂପରେଖ ସଂପର୍କରେ ଗୃହକୁ ଅବଗତ କରିପାରନ୍ତି। ଏହି କମିଟିରେ ସବୁ ଦଳର ସଦସ୍ୟ ରହିବେ।

ଗତକାଲି ବିଧାନସଭାରେ ମହାନଦୀ ସଂପର୍କରେ ହୋଇଥିବା ୫ଘଣ୍ଟିଆ ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରସ୍ତାବ ରଖିଥିଲେ ଯେ ମହାନଦୀ ଆନ୍ଦୋଳନର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଓ ବିରୋଧୀ ସହଯୋଗ କରିବାକୁ ପ୍ରସ୍ତୁତ। ଏହା ଉପରେ କିନ୍ତୁ ଉଁ କି ଚୁଁ କିଛି ବି ସରକାରଙ୍କ ପକ୍ଷରୁ କୁହାଯାଇନଥିଲା। ସେହିପରି ସରକାରୀ ଦଳ ପକ୍ଷରୁ ଗୃହ କମିଟି ଗଠନ ଲାଗି ଦାବି ରଖାଯାଇଥିଲା। ସମସ୍ତେ ଏକାଠି ଲଢ଼ିବା ପାଇଁ ବି ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ କିଛି ନିର୍ଣ୍ଣୟ ହୋଇପାରିନଥିଲା।

ପରିଣାମ ହେଲା ପାଞ୍ଚ ଘଣ୍ଟାର ମହାନଦୀ ଆଲୋଚନା ଫଳଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ମହାନଦୀ ସଂପର୍କରେ ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା ସରକାରଙ୍କ ନିଦ ଭାଙ୍ଗିଦେଇଛି। ଆଜି ସରକାର ହେଜିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ପ୍ରତିହତ କରିବାକୁ ହେଲେ ସମ୍ମିଳିତ ଭାବେ ଲଢ଼ିବାକୁ ହେବ। ସର୍ବଦଳୀୟ ବୈଠକର ଏହି ନିଷ୍ପତ୍ତି ସହିତ ଆଜି ସନ୍ଧ୍ୟା ପରଠାରୁ ବିଧାନସଭା କାର୍ଯ୍ୟ ପୁଣି ସ୍ୱାଭାବିକ ହୋଇଛି।

ଆଜି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ଡକାଯିବା ପ୍ରସ୍ତାବ ଦୋହରାଇଥିଲେ। ବିଜେପି ପକ୍ଷରୁ ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଯୁକ୍ତି ରଖିଥିଲେ ଯେ ସତ୍ୟପାଠରେ ଟ୍ରିବ୍ୟୁନାଲ ଗଠନ ହେବ ନାହିଁ ବୋଲି କେଉଁଠି କୁହାଯାଇନାହିଁ। ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା।

ବୈଠକ ପରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରେ ଗୃହ କମିଟି ନେଇ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚାଇଥିଲେ। ମହାନଦୀ ପ୍ରସଙ୍ଗରେ ନିଜ ଅସନ୍ତୋଷ ରଖି କହିଥିଲେ, କେନ୍ଦ୍ର ସରକାର ନିରପେକ୍ଷ ରେଫରି ହିସାବରେ ଦାୟିତ୍ୱ ତୁଲାଇନାହାନ୍ତି। ଏଣୁ ମହାନଦୀ ସଂପର୍କରେ ଭବିଷ୍ୟତ କାର୍ଯ୍ୟକ୍ରମ କଣ ହେବ, ତାହା ଅନ୍ୟ ସବୁ ରାଜନୈତିକ ଦଳର ପରାମର୍ଶ କ୍ରମେ ହିଁ ନିର୍ଧାରିତ ହେବ।

ମିଳିଥିବା ସୂଚନା ମୁତାବକ, ଆଜିର ବୈଠକରେ ସବୁ ଦଳକୁ ସାଙ୍ଗରେ ନେଇ ଲଢିବା ଲାଗି ମୁଖ୍ୟମନ୍ତ୍ରୀ ହଁ ମାରିଥିଲେ। ତେବେ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଚାଲିଥିବା ପରିପ୍ରେକ୍ଷୀରେ ଏ ନେଇ କୋର୍ଟକୁ ଅପେକ୍ଷା କରିବା ଲାଗି ସ୍ଥିର ହୋଇଥିଲା। ଏହା ପରେ ସର୍ବଦଳୀୟ ବୈଠକ ଡକାଯିବ।

ଉଲ୍ଲେଖଯୋଗ୍ୟ, ମହାନଦୀ ମହାବିବାଦ ପ୍ରସଙ୍ଗରେ ବିରୋଧୀଙ୍କୁ ବିଶ୍ୱାସକୁ ନ ନେଇ ଏକା ଏକା ଚାଲିଥିଲା ବିଜେଡି ଓ ରାଜ୍ୟ ସରକାର। ଏମିତି ଯେ ବିରୋଧୀ ଯେତେବେଳେ ବି ମିଳିତ ଭାବେ ଲଢିବା ପାଇଁ ପ୍ରସ୍ତାବ ଦେଉଥିଲେ, ତାହାକୁ ଫାଙ୍କି ପବନରେ ଉଡ଼ାଇ ଦେଉଥିଲେ ସରକାର। ହେଲେ ସରକାରଙ୍କ ଏଭଳି ଦମ୍ଭୋକ୍ତିର ଫଳ ଏତେ ଭୟାନକ ହୋଇଛି ଯେ ରାଜ୍ୟର ୧୬ଟି ଜିଲ୍ଲାର ୨ କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଛତିଶଗଡ଼ ସରକାର କରିଥିବା ବେଆଇନ ନିର୍ମାଣକୁ ବନ୍ଦ କରିବା ଲାଗି ତ ନିର୍ଦ୍ଦେଶ ଦେଇନାହାନ୍ତି, ଓଲଟା ଟ୍ରିବ୍ୟୁନାଲ ଗଠନ ପାଇଁ ଅମଙ୍ଗ ହୋଇଛନ୍ତି। ସବୁ ଦୋଷ ସରକାରଙ୍କ ଉପରେ ଲଦି ଖସି ଚାଲିଯିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର