ଭୁବନେଶ୍ୱର : ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ନେଇ ଗୃହ କମିଟିର ପ୍ରଥମ ବୈଠକ ବିନା କୌଣସି ନିଷ୍ପତ୍ତିରେ ସରିଛି। ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ଆଉ ଚାରିଜଣ ସଦସ୍ୟ ଅନୁପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରୁ କିଛି ସଦସ୍ୟ ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ଗୃହ କମିଟିର ପରବର୍ତୀ ବୈଠକ ଡାକିବାକୁ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ।

Advertisment

ଆଜି ଗୃହ କମିଟି ବୈଠକରେ ଜଳସଂପଦ ବିଭାଗ ତରଫରୁ ପ୍ରସ୍ତୁତ ମହାନଦୀ ଜଳର ସ୍ଥିତି ନେଇ ବିସ୍ତତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ରିପୋର୍ଟକୁ ଅନୁପସ୍ଥିତ ସମସ୍ତ ସଦସ୍ୟଙ୍କୁ ପହଞ୍ଚାଇଦେବାକୁ ବାଚସ୍ପତି ଶ୍ରୀ ଅମାତ୍‌ ବିଧାନସଭା ସଚିବଙ୍କୁ ନିର୍ଦେଶ ଦେଇଥିଲେ। ସଦସ୍ୟମାନେ ରିପୋର୍ଟ ପଢ଼ିବା ପରେ ତା’ ଉପରେ ପରବର୍ତୀ ବୈଠକରେ ତର୍ଜମା କରାଯିବ ବୋଲି ବାଚସ୍ପତି କହିଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଦିଲ୍ଲୀ ଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ପ୍ରଥମେ ମହାନଦୀ ଉପରେ ଆଲୋଚନା ସରୁ, ତା’ପରେ ଦିଲ୍ଲୀ ଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମତ ଦେଇଥିଲେ।
ବୈଠକରେ ବିଜେଡି ସଦସ୍ୟ ବିକ୍ରମ କେଶରୀ ଆରୁଖ, ଅମର ପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ଅରୁଣ ସାହୁ, ଡା. ରାସେଶ୍ୱରୀ ପାଣିଗ୍ରାହୀ, କଂଗ୍ରେସ ସଦସ୍ୟ ଶ୍ରୀ ବାହିନୀପତି, ବିଜେପି ସଦସ୍ୟ ଶ୍ରୀ ସିଂହଦେଓ, ନୀତିନ୍‌ ଗଙ୍ଗଦେବ, ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗୃହ କମିଟିରେ ସଦସ୍ୟ ସଂଖ୍ୟା ୧୬।