ଭୁବନେଶ୍ବର: ମହାନଦୀ ପାଣିକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବହୁ ବର୍ଷ ହେଲା ଜାରି ରହିଥିବା ବିବାଦର ଆପୋସ ସମାଧାନ ନେଇ ବାଟ ଫିଟୁଛି। ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.କେ ଗାଙ୍ଗୁଲି ଟ୍ରିବ୍ୟୁନାଲର ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ସମ୍ମୁଖରେ ପୃଥକ ପୃଥକ ଭାବେ କହିଛନ୍ତି ଯେ ଏ ପ୍ରସଙ୍ଗରେ ଆପୋସ ସମାଧାନ ପ୍ରସଙ୍ଗ ବିଚାରାଧୀନ ଅଛି। ଏହା ପରେ ଏହି ମାମଲାର ଶୁଣାଣିକୁ ସେପ୍ଟେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଛି। ଖଣ୍ଡପୀଠ କହିଛନ୍ତି ଯେ ଦୁଇ ପକ୍ଷର ବରିଷ୍ଠ ଆଇନଜୀବୀଙ୍କ ବିବୃତି ଓ ତଥ୍ୟ ଅନୁଯାୟୀ ଆମେ ଏହି ବିବାଦର ଆପୋସ ସମାଧାନ ପାଇଁ ଆଉ କିଛି ସମୟ ଦେବାକୁ ମନେକରୁଛୁ। ଆସନ୍ତା ଶୁଣାଣି ବେଳେ ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବେ। ଏହାସହ ଖଣ୍ଡପୀଠ କହିଛନ୍ତି ଯେ ଆସନ୍ତା ଶୁଣାଣି ବେଳେ ଦୁଇ ରାଜ୍ୟର ସଚିବମାନେ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଉପସ୍ଥିତ ରହି ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ନେଇ କ’ଣ କଥାବାର୍ତ୍ତା ହୋଇଛି ତାହା ବି ଜଣାଇବେ।
ଓଡ଼ିଶାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପ୍ରସ୍ତାବ ବିଚାରାଧୀନ ଅଛି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ମୋହନଙ୍କୁ ଚିଠି ଲେଖି ଜଣାଇଲେ ବିଷ୍ଣୁ ଦେଓ
ଟ୍ରିବ୍ୟୁନାଲ ଶୁଣାଣି ସେପ୍ଟେମ୍ବର ୬କୁ ଘୁଞ୍ଚିଲା
ଟ୍ରିବ୍ୟୁନାଲଙ୍କୁ ଦୁଇ ରାଜ୍ୟର ସଚିବ ଜଣାଇବେ ସମାଧାନ ପାଇଁ କ’ଣ କରିଛନ୍ତି
ଆଜି ଟ୍ରିବ୍ୟୁନାଲରେ ଶୁଣାଣିବେଳେ ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକର ବିବରଣୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବ ବିଚାରାଧୀନ ଥିବା ନେଇ ଜଣାଇଥିବା ଚିଠିକୁ ଉପସ୍ଥାପନ କରିଥିଲେ। ସେହିପରି ଛତିଶଗଡ଼ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.କେ ଗାଙ୍ଗୁଲି କହିଥିଲେ, ବିବାଦଗୁଡ଼ିକର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସକ୍ରିୟ ବିଚାରାଧୀନ ଅଛି। ମହାନଦୀ ଜଳ ବିବଦାକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ଦୀର୍ଘ ବର୍ଷ ହେଲା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି ଆପୋସ ସମାଧାନ ନେଇ ଏକ ସକାରାତ୍ମକ ଆଶା ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୂର୍ବରୁ ବିଭିନ୍ନ େଫାରମ୍ରେ ହୋଇଥିବା ଔପଚାରିକ, ଅନୌପଚାରିକ ଆଲୋଚନା ବିଷୟରେ ମନେପକାଇ ଦେଇଥିଲେ। ଏହାସହ ଜୁଲାଇ ୧୦ତାରିଖରେ କୋଲକାତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ଓ ଓଡ଼ିଶା ବିବାଦର ଗଠନାତ୍ମକ ଆଲୋଚନା ମାଧ୍ୟମରେ ସମାଧାନ କରିବା ନେଇ ଦେଇଥିବା ପ୍ରସ୍ତାବକୁ ବି ମନେପକାଇ ଦେଇଥିଲେ। ଶ୍ରୀ ମାଝୀ ଏହାସହ ତାଙ୍କ ଚିଠିରେ ଲେଖିଥିଲେ ଯେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଆମର ସାମୂହିକ ପ୍ରୟାସ, ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ସକ୍ରିୟ ସହଯୋଗ ମାଧ୍ୟମରେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଏକ ନ୍ୟାୟସଙ୍ଗତ, ସମାନ ଏବଂ ସମୟୋଚିତ ସମାଧାନ କରିପାରିବା। ଏହି ସମାଧାନ କେବଳ ଶାନ୍ତି ଓ ସ୍ଥିରତା ଆଣିବ ନାହିଁ, ବରଂ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଅଧିକ ସହଯୋଗ, ବିଶ୍ୱାସ ଏବଂ ସଦ୍ଭାବନା ବଢ଼ାଇବ। ଯାହା ଭବିଷ୍ୟତରେ ସହଯୋଗ ପାଇଁ ପଥ ପ୍ରଶସ୍ତ କରିବ। ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ଶୁଣାଣି ଥିବାବେଳେ ଦୁଇ ରାଜ୍ୟ କ’ଣ ଆଲୋଚନା କରିଛନ୍ତି ତାହା ଜଣାଇବାକୁ କୁହାଯାଇଛି। ତେଣୁ ଦୁଇ ରାଜ୍ୟର ହିତ ପାଇଁ ଏହି ପ୍ରସ୍ତାବକୁ ସକାରାତ୍ମକ ଭାବେ ବିଚାର କରନ୍ତୁ। ଏହାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଅଗଷ୍ଟ ୧ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉତ୍ତର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/J69hufdHjwZJDGmMvKrY.jpg)