‘ବିଜେଡି ଓ ବିଜେପିର ଷଡ଼୍‌ଯନ୍ତ୍ର ପାଇଁ ଓଡ଼ିଶାରେ ମହାନଦୀ ଶୁଖିଯାଉଛି’

ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କଲେ ନରସିଂହ

ବଲାଙ୍ଗୀର : ମହାନଦୀ ପ୍ରସଂଗରେ ପୂର୍ବ ମନ୍ତ୍ରୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶା ସରକାର ଏହି ସମସ୍ୟାର ସମାଧାନ ପ୍ରତି କୌଣସି ଆନ୍ତରିକତା ଦେଖାଉ ନାହାନ୍ତି। ଛତିଶଗଡ଼ର ଗତ ବିଜେପି ସରକାର ରାଜ୍ୟରେ ଅନେକ ବ୍ୟାରେଜ ନିର୍ମାଣ କରି ସେଠାରେ ସମ୍ପୂର୍ଣ୍ଣ ଭାବେ ବାନ୍ଧି ଦେଇଛିନ୍ତି। ଓଲଟା ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାର ରାଜନୀତୀକରଣ କରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟମାନଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆକ୍ଷେପ କରୁଛନ୍ତି। କିନ୍ତୁ ଯେତେବେଳେ ମହାନଦୀ ଜଳ ବିବାଦକୁ ନେଇ ବାଚସ୍ପତିଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ଅନୁରୋଧ କରାଯାଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଥିଲେ। ଏଥିରୁ ଲୋକେ ବୁଝିଯିବା ଦରକାର ଯେ କୁମ୍ଭୀର କାନ୍ଦଣା କଂଗ୍ରେସ କରୁଛି ନା ବିଜେପି। ଏହି ସମସ୍ୟାକୁ ନେଇ କେବଳ ନିର୍ବାଚନୀ ରାଜନୀତି କରୁଛି।

Alchetron

ପ୍ରକୃତରେ ମହାନଦୀ ସମସ୍ୟାକୁ ନେଇ କେବଳ ବିଜେପି ନୁହେଁ  ତା ସହ ବିଜେଡି ମଧ୍ୟ ହାତ ମିଳାଇ ହୀନ ରାଜନୀତି କରୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମହାନଦୀ ଜଳ ସମସ୍ୟାକୁ ନେଇ କଂଗ୍ରେସ ଦଳ ପ୍ରଥମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସମାଧାନ ପାଇଁ ବାରମ୍ବାର ଚିଠି ଦେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ଯୋଗୁ   ବିରୋଧୀ ଦଳ ନେତା ଭାବେ ମୁଁ ଏହି ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକର ଆହ୍ୱାନ ଦେଇଥିଲି। ଉକ୍ତ ବୈଠକରେ ବିଜେଡି, ବିଜେପି ସହ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ଏନ୍‌ଜିଓମାନେ ମଧ୍ୟ ଭାଗ ନେଇ ଏକତାର ସହ ଏହି ବିବାଦର ସମାଧାନ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ନେଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୁଇ ଦୁଇଟି କମିଟି ଗଠନ କରଯାଇଥିଲା। କିନ୍ତୁ ଦିନ ପରେ ଦିନ ଗଡ଼ିଥିଲେ ମଧ୍ୟ କୌଣସି ବୈଠକ ଡକାଗଲା ନାହିଁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଧ୍ୟ ହୋଇ କଂଗ୍ରେସର ଏକ ପ୍ରତିନିଧି ଦଳ ଛତିଶଗଡ଼ ଯାଇଥିଲା। କିନ୍ତୁ, ତତ୍କାଳୀନ ଛତିଶଗଡ଼ ସରକାର ଶିଳ୍ପପତିଙ୍କ ଖର୍ଚ୍ଚରେ କେବଳ ଶିଳ୍ପପତିଙ୍କ ଉଦ୍ଦେଶ୍ୟରେ କେଲୋ ନଦୀ ଉପରେ ୭ଟି ବ୍ୟାରେଜ ନିର୍ମାଣ କରି ଜଳରାଶିକୁ ବାନ୍ଧି ଦେଇଥିବା ଦେଖିବାକୁ ପାଇଥିଲା। ସେହି ଶିଳ୍ପପତିମାନଙ୍କ ବହୁ କୋଟି ଟଙ୍କାର ବ୍ୟବସାୟ ତଥା ସଂପର୍କ ଓଡ଼ିଶା ସରକାରଙ୍କ ସହ ଥିବା ଯୋଗୁ ଓଡ଼ିଶା ସରକାର ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିଲେ।

ଆହୁରି ମଧ୍ୟ ବିଧାୟକ ଶ୍ରୀ ମିଶ୍ର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୋଲା ଆହ୍ୱାନ କରିଛନ୍ତି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ମହାନଦୀ ଜଳ ସଂକଟକୁ ନେଇ କେନ୍ଦ୍ର ସରକାର, ଛତିଶଗଡ଼ ସରକାର ଏବଂ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ବିଶ୍ୱାସକୁ ନେଇ ଆଲୋଚନା ବାଟ ଫିଟାନ୍ତୁ। ହୁଏତ କୋଟି କୋଟି ଓଡ଼ିଶାବାସୀଙ୍କ ଜଳ କଷ୍ଟ ଦୂର ହୋଇ ପାରିବ, ନଚେତ ଆଗାମୀ ଦିନରେ ମହାନଦୀ ସଂପୂର୍ଣ୍ଣ ଭାବେ ଶୁଷ୍କ ହୋଇ ମରି ଯିବ ଏବଂ ଏଥିପାଇଁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କୁ ଷଡ୍‌ଯନ୍ତ୍ରକାରୀ ଆଖ୍ୟା ଦେବେ।

ସମ୍ବନ୍ଧିତ ଖବର