ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ମଧ୍ୟମଧରଣର ବନ୍ୟା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୧ଟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ବୋହିଥିବାବେଳେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଦିନ ୩ଟା ସୁଦ୍ଧା ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ | ତଳମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ | ମଧ୍ୟମଧରଣର ବନ୍ୟା ହେବାକୁ ଥିବାବେଳେ ୬ଟି ଜିଲ୍ଲାରେ ପ୍ରଭାବ ପଡିବ | ଏହି ୬ଟି ଜିଲ୍ଲା ହେଉଛି ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା |

Advertisment

ସେହିପରି ସେ କହିଛନ୍ତି ଯେ ତଳମୁଣ୍ଡରୁ ପାଣି ନ କମିବା ଯାଏଁ ହୀରାକୁଦର ଅଧିକ ଗେଟ ଖୋଲିବନାହିଁ | ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି | ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ଅଛି ଓ ପାଣି ବଢୁଛି | କିନ୍ତୁ ଏବେ ଆଉ ହୀରାକୁଦ ଗେଟ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି | ତଳମୁଣ୍ଡରୁ ପାଣି ନ ଛାଡିବା ଯାଏଁ ହୀରାକୁଦର ଅଧିକ ଗେଟ ଖୋଲିବ ନାହିଁ | ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି ଯେ ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀ ବିପଦସଂକେତ ଉପରେ ରହିଛି | ଏବେ ବୈତରଣୀ ଜଳସ୍ତର କମିବାରେ ଲାଗୁଥିବାରୁ ବିପଦ ଆଶଙ୍କା ନାହିଁ | କିନ୍ତୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି |