ହୀରାକୁଦର ୬ଗେଟ୍ ବନ୍ଦ ହେଲା
ଆଜି ଆକାଶରୁ ଦେଖିବେ ମୁଖ୍ୟମନ୍ତ୍ରୀ

Advertisment

ଭୁବନେଶ୍ୱର : ମହାନଦୀର ମହାକାୟା ତାର କାୟା ମେଲାଇବା ଆରମ୍ଭ କରିଛି। ପ୍ରଳୟ ରଚାଇବା ଭଳି ବନ୍ୟା ଜଳ (ସେକେଣ୍ଡ ପିଛା ୧୦ ଲକ୍ଷ ୦୨ହଜାର ଘନଫୁଟ) ଭୀଷଣ ବେଗରେ ଆସି ମାଡ ହେଉଛି ମୁଣ୍ଡୁଳି ବ୍ୟାରେଜରେ। ମହାନଦୀର ଅଧିକାଂଶ ଶାଖା ନଦୀ (କାଠଯୋଡ଼ି, କୂଆଖାଇ, କୁଶଭଦ୍ରା, ଭାର୍ଗବୀ, ଦୟା, ଦେବୀ, ଲୁଣା, ଚିତ୍ରତ୍ପୋଳା, ପାଇକା) ବନ୍ୟା ପାଣିରେ ଉବୁଟୁବୁ ହେଉଛନ୍ତି। ବିପଦ ସଙ୍କେତ ଉପରକୁ ବଢିବାରେ ଲାଗିଛନ୍ତି। କଟକ, ଖୋର୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଲୋକେ ଏବେ ବନ୍ୟାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନଦୀର ଜଳପତ୍ତନ ସୀମା ଲଂଘି ଅତି ଉଚ୍ଚକୁ ଯିବ ନାହିଁ ସତ କିନ୍ତୁ ପାଖାପାଖି ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଭାବେ ଫୁଲି ରହିବ। ଯେହେତୁ ଆଗକୁ ପୂର୍ଣ୍ଣିମା ରହିଛି, ଏଣୁ ଟଳମଟଳ ଅବସ୍ଥାରେ ନଦୀମାନେ ଦୁଇ ଚାରିଦିନ ରହିବା ସମ୍ଭାବନା ଅଧିକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ। ପରେ ବରିଷ୍ଠ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ନେବେ। ବନ୍ୟା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ସରକାର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ଅନ୍ୟପଟରେ ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପରିମାଣ କମିଛି। ଏଣୁ କର୍ତୃପକ୍ଷ ଆଜି ରାତି ସୁଦ୍ଧା ୬ଟି ଗେଟ୍ ବନ୍ଦ କରିଛନ୍ତି। ଫଳରେ ଏବେ ୪୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି।

ବନ୍ୟା ସ୍ଥିତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ଲଘୁଚାପ ଜନିତ ଭୀଷଣ ବର୍ଷା ଯୋଗୁଁ ରାଜ୍ୟରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀରେ ୫ଟି ବଡ଼ ନଦୀରେ ବନ୍ୟା ପରିସ୍ଥିତି ଆସିଥିଲା। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀର ପ୍ରଭାବ ନାହିଁ। ବ୍ରାହ୍ମଣୀ ନଦୀ ବରୀରେ ଭୀଷଣ କ୍ଷତି କରିଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ବି। ଧର୍ମଶାଳା ଅଞ୍ଚଳରେ ଗୋଟିଏ ମୁଖ୍ୟ ନଦୀବନ୍ଧରେ ଘାଇ ସୃଷ୍ଟି କରିଥିବା ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି।

ଏପଟେ ଛତିଶଗଡ ଏବଂ ଇବ୍‌-ଭେଡେନ୍ ଜରିଆରେ ଆସିଥିବା ବନ୍ୟା ଜଳ (ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ୍ ଜଳ) ଏବେ କମିବା ଆରମ୍ଭ କରିଛି। ରାତି ୯ଟା ସୁଦ୍ଧା ହୀରାକୁଦ (ଜଳସ୍ତର ୬୨୭.୭୯ଫୁଟ) କୁ ସେକେଣ୍ଡ ପ୍ରତି ୬ଲକ୍ଷ ୫୧ହଜାର ୮୪୩ ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟରେ ସେକେଣ୍ଡ ପ୍ରତି. ୬ଲକ୍ଷ ୮୯ ହଜାର ୬୬୨ଘନଫୁଟ ଜଳ ୪୦ଟି ଗେଟ୍ ନେଇ ମହାନଦୀକୁ ନିଷ୍କାସିତ ହେଉଛି। ପରିଣାମରେ ଖଇରମାଳ ଠାରେ ୯ଲକ୍ଷ ୮୪ହଜାର ଘନଫୁଟ ସେକେଣ୍ଡ ପ୍ରତି ଜଳ ପ୍ରବାହିତ ହେଉଥିବା ବେଳେ ବରକୁଳରେ ୯ଲକ୍ଷ ୩୩ହଜାର ୫୦୦ ଘନଫୁଟ ରହିଛି ଓ ବଢିବାେର ଲାଗିଛି।

ମୁଣ୍ଡୁଳିରେ ସେକେଣ୍ଡ ପ୍ରତି ୧୦ଲକ୍ଷ ୨ ହଜାର ୮୨୩ ଘନଫୁଟ ଜଳ ଅତିକ୍ରମ କରି ଆଗକୁ ବଢୁଛି। ଆସନ୍ତାକାଲି ବି ସମ ପରିମାଣ ବା ତା ଠାରୁ ସାମାନ୍ୟ ଅଧିକ ଜଳ ପ୍ରବାହିତ ହୋଇପାରେ। ତେବେ ଏହାର ପ୍ରଭାବରେ କଟର ନରାଜ ଠାରେ ବିପଦ ସଙ୍କେତ (୨୬.୪୧ମିଟର) ଉପରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଦୟା, ଭାର୍ଗବୀ ଆଦି ନଦୀ ବିପଦ ସଙ୍କେତ ଉପରେ ରହିଛି। ଅନ୍ୟ ଶାଖା ନଦୀରେ ବି ସମାନ ଅବସ୍ଥା।

ମିଳିଥିବା ସୂଚନା ଅନୁସାରେ, ବନ୍ୟା ପ୍ରଭାବରେ କଟକ ଜିଲ୍ଲାର ସଦର ବ୍ଲକ ସମେତ ନରସିଂହପୁର, ଆଠଗଡ, ତିଗିରିଆ, ଡମପଡା, ବାଙ୍କୀ, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଭଳି ୮ଟି ବ୍ଲକ ଅନ୍ତର୍ଗତ ୬୯ଟି ଗାଁର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୧୧ଟି ଗାଁ ଜଳବନ୍ଦୀ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ଓ ଖରସ୍ରୋତା ପ୍ରଭାବ ଜବରଦସ୍ତ ରହିଛି। ଏପଟେ ମହାନଦୀ କାରଣରୁ ଲୁଣା, ଚିତ୍ରୋତ୍ପଳା ଆଦି ଫୁଲିବାରେ ଲାଗିଛନ୍ତି। ଜଗତସିଂହପୁରରେ ମହାନଦୀ ପ୍ରଭାବରେ କୁଜଙ୍ଗ, ତିର୍ତ୍ତୋଲ ଅଞ୍ଚଳରେ ୧୪ଟି ପଞ୍ଚାୟତ ପ୍ରଭାବିତ ହେଲେଣି। ନାଉଗାଁରେ ୩ଟି ସ୍ଥାନରେ ଦେବୀ ନଦୀରେ ଘଳିଆ ପଡ଼ିଛି। ଦଳେଇ ଘାଇ ଠାରେ ଦେବୀ ବିପଦ ସଙ୍କେତ ଉପରେ ରହିଛି। ପାଇକା ବି ଉଛୁଳୁଛି। ମହାନଦୀ ତାରପୁର ଠାରେ ବିପଦ ସଙ୍କତ ଠାରୁ ଯଥେଷ୍ଟ ଉପରେ ଅତିକ୍ରମ କରୁଛି।

ପୁରୀ ଜିଲ୍ଲାରେ ଦୟାନଦୀର ବନ୍ୟା ଯୋଗୁଁ ଅଧା କଣାସ ବ୍ଲକ ଉବୁଟୁବୁ ହେଉଛି। ଦୟା ନଦୀର ଆଁରେ ୪ ପଞ୍ଚାୟତର ୩୦ ଗାଁ ରହିଛି। ଗତକାଲି ଗଡମାଟିଆପଡାର, ନୂଆସାହି ନିକଟରେ ଘାଇ ଯୋଗୁଁ ସ୍ଥିତି ସଂଗୀନ ରହିଥିଲା। ଘାଇ ମରାମତି ହୋଇନଥିବାରୁ ଶହେ ଫୁଟର ଘାଇ ୫୦୦ ଫୁଟ ଛୁଇଁଲାଣି। ସେପଟେ ଧନୁଆଁ ବ୍ରିଜ୍‌ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଛି। ଯାନ ବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଭୁବନେଶ୍ୱର ସହର ତଳି ତଥା ଉପକଣ୍ଠରେ ବି ଦୟା ପ୍ରଭାବରେ ପାଣି ଧୀରେ ଧୀରେ ବଢ଼ୁଛି।