ମୁଣ୍ଡଳିରେ ବୃଦ୍ଧି ହେଲା ଜଳସ୍ତର, ବନ୍ୟା ଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ିଲା

କଟକ:  ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର । ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି । ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି।

ନରାଜଠାରେ ମହାନଦୀରେ ବିପଦ ସଂକେତଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆଳି ପିଙ୍ଗଳଠାରେ ଜଳସ୍ତର ବଢ଼ିବାରେ ଲାଗିଛି । ଦୟା, ଭାଗର୍ବି, କୁଶଭଦ୍ରା, ଚିତ୍ରୋତ୍ପଳା ସମେତ ଶାଖା ନଦୀଗୁଡିକ ଟଳମଟଳ ହେଲାଣି । ନଦୀ ଗୁଡିକର ଏପରି ରୂପ ଦେଖି ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଛାନିଆ ହୋଇ ଯାଇଛନ୍ତି । ଏବେଠାରୁ ବିଭିନ୍ନ ଜିଲ୍ଲାର କେତେକ ଗାଁରେ ପାଣି ପଶିବା ଆରମ୍ଭ ହୋଇଗଲାଣି ।

ଖାଲି ସେତିକି ନୁହେଁ, ମହାନଦୀର ବନ୍ୟା ଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ିଯାଇଥିବାର ଖବର ମିଳିଛି। ପାର୍କରେ ୮ରୁ ୧୦ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଏଣେ କଟକ ଜିଲ୍ଲାର ଉତ୍ତର ବାଙ୍କୀ ଓ ତିଗିରିଆ ବ୍ଲକର ୯ ପଞ୍ଚାୟତ ପାଣି ଘେରରେ ଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର