ନରସିଂହପୁର: କଟକ ଜିଲ୍ଲାର ନରସିଂହପୁର ବ୍ଲକରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ବ୍ଲକର ଓଡ଼ସିଙ୍ଗା, ମନ୍ଦାଣିଆଁ, ସାନ ଗାଁ, ରାଣୀଭୁଇଁ, ନୂଆପାଟଣା, ଡିମିରିଆ, ବାସେଳିହତା, ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ ହେଉଛି।ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ଆଣିବା, ଡାକ୍ତରଖାନା ସେବା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ଏକ ପ୍ରକାର ଠପ ହୋଇଯାଇଛି।
ଆଜି ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀ, ଅତିରିକ୍ତ ତହସିଲଦାର ରୁବିନା ନାହିଦ, ବିଡ଼ିଓ ପ୍ରଦୀପ କୁମାର ସାହୁ ଗାଁକୁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଶୁଖିଲା ଖାଦ୍ୟ, ବିସ୍କୁଟ, ଚୁଡା, ଗୁଡ଼, ମହମବତୀ, ଦିଆସିଲି ଆଦି ଯୋଗାଇ ଦିଆଯାଇଛି। ସେହିପରି ଯେଉଁ ସ୍ଥାନରେ ଆବଶ୍ୟକ ପଡିବ ସେଠାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହି ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ବନ୍ୟାଜଳ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ଅନ୍ୟ ଗାଁ ଗୁଡିକ ଉପରେ ତୀକ୍ଷଣ ନଜର ରଖାଯାଇଛି। ଯେ କୌଣସି ସମୟରେ ବନ୍ୟା ପ୍ଲାବିତଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀ, ନିକଟସ୍ଥ ବିଦ୍ୟାଳୟ ଓ ଯେ କୌଣସି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀମାନେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।