କଟକ: ହୀରାକୁଦ ଡ୍ୟାମ୍‌ରୁ ୪୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀର ଅନେକ ସ୍ଥାନରେ ବନ୍ୟା ଜଳ ଜନସାଧାରଣଙ୍କୁ କଲବଲ କରୁଛି। ଆଜି ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌କୁ ୮ ଲକ୍ଷ ୮୨ ହଜାର ୭୪୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଏଠାରୁ ୭ ଲକ୍ଷ ୬୨ ହଜାର ୩୪ କ୍ୟୁସେକ ଜଳ ନିଷ୍କାସନ ହେଉଛି। ମହାନଦୀର କଟକ ଜିଲ୍ଲା ମୁଣ୍ଡଳି ଠାରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜଠାରେ ୪ ଲକ୍ଷ ୭୮ ହଜାର ୯୪୧ କ୍ୟୁସେକ ଓ ଜୋବ୍ରା ୪ ଲକ୍ଷ ୬୫ ହଜାର ୭୬ କ୍ୟୁସେକ ଜଳ ପ୍ରବାହିତ ହେଉଛି।

Advertisment

ମହାନଦୀରେ ବନ୍ୟା ଆସିବା ଫଳରେ କଟକ ଜିଲ୍ଲାର ବାଙ୍କୀ, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକର ଅନେକଗୁଡ଼ିଏ ଗାଁ ପ୍ରଭାବିତ ହୋଇଛି। ତିଗିରିଆ ବ୍ଲକ ଅନ୍ତର୍ଗତ ବୁଢ଼ା ମନ୍ଦିର ପରିସରରେ ମହାନଦୀର ବନ୍ୟା ଜଳ ପ୍ରବେଶ କରିଥିବାରୁ ଆଜି ନୀତିକାନ୍ତିରେ ବିଳମ୍ବ ଘଟିଥିବା ବେଳେ ବଡମ୍ବା ପାର୍ଶ୍ୱ ମହାନଦୀରେ ଯଦିଓ ବନ୍ୟା ଜଳ ଫୁଲିଥିବା ସତ୍ତ୍ୱେ ଦ୍ଵିପ୍ରହର ସୁଦ୍ଧା ସ୍ଥିର ଅଛି। ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବି ପର୍ଯ୍ୟାପ୍ତ ବନ୍ୟାଜଳ ରହିଛି। ସେହିପରି ଚଷାବାଆଁରା ଗାଁ ୨ ଦିନ ହେବ ପାଣିଘେରରେ ରହିଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି।

publive-image

ମହାନଦୀର ଉପରମୁଣ୍ଡରେ ଯଦି ବର୍ଷା ଜାରି ରହେ ଏବଂ ହୀରାକୁଦ ଜଳଭଣ୍ଡାର ଅଧିକ ଜଳ ନିଷ୍କାସନ କରେ ତାହେଲେ ବର୍ତ୍ତମାନର ସ୍ଥିତି ବିଗିଡିଯାଇ ପାରେ। ଏହାରି ମଧ୍ୟରେ ଡମପଡା ବ୍ଲକ ଗୟଳବାଙ୍କ କଇଁମୁଣ୍ଡିରେ ୩୦ ଫୁଟୁର ଘାଇ ସୃଷ୍ଟି ହୋଇଛି।

publive-image

ମହାନଦୀରେ ଲକ୍ଷ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାରେ ପଞ୍ଚମା, ରାଣୀଭୂଇଁ, ସୁବଳୟା, ବାଲିଡିହ, ବସନ୍ତପୁର, ସାନଗାଁ, ମନ୍ଦାଣିଆ, ଡିମିରିଆ, ନୂଆପାଟଣା, କାକୁଡ଼ିଆ, ଓଡ଼ସିଙ୍ଗା, ପଦାମାଳ, ଏକଡ଼ାଳ, ତାମରା ପ୍ରଭୃତି ଅଂଚଳରେ ଚାଷଜମି ଜଳମଗ୍ନ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

publive-image

ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ସକାଳୁ ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ବାବୁ, ଜିଲ୍ଲାପରିଷଦ ସଭ୍ୟ ନିର୍ମଳ ଜେନାଙ୍କ ସହ ରାଣୀଭୂଇଁ, କମଳାଡିହ ସମେତ କିଛି ଗାଁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ତେଲେଣିଆ, ଇନ୍ଦ୍ରାଙ୍ଗ ଯାଇ ମୁଁ ବନ୍ୟାଜଳ ସ୍ଥିତି ଦେଖିଥିଲି। ବାଙ୍ଗିରିସିଂଘା-ତେଲେଣିଆ ବନ୍ଧରେ ଗଲାଥର ବନ୍ୟାରେ ନଦୀଜଳ ଯେଉଁଠି ୨ଟି ଘାଇ ହୋଇଥିଲା ତାର ସୁଦୃଢ଼ୀକରଣ ପଥର ପ୍ୟାକିଂ ଓ ସିମେଣ୍ଟ ଗ୍ରାଉଟିଙ୍ଗ ୨୩୦ ମିଟରର କରାଯାଇଥିବା ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମବାସୀ, ସରପଞ୍ଚଙ୍କ ଉପସ୍ଥିତିରେ ଦେଖିଛି। ବାଙ୍ଗିରିସିଂଘାରେ ଗୋଟିଏ ଦୁର୍ବଳ ନଦୀବନ୍ଧ ସ୍ଥାନରେ କାମ ଚାଲୁଥିବା ଦେଖିଲି କିନ୍ତୁ ମହାନଦୀ ଜଳ ସିଆରିଆରେ ଆସିବା ଦ୍ୱାରା ବାଙ୍ଗିରିସିଂଘା, ଯୋଡୁମ, ମୁଗଗହୀର, ଗୋପୀନାଥପୁର, ଗୋପମଥୁରା, ଗଡ଼ାପୋଖରୀ, ଦିନିଆରୀ, ରଗଡ଼ିପଡା, ଶଙ୍ଖାମେରୀ ଗ୍ରାମ ସଂଲଗ୍ନ ଚାଷଜମି ଜଳବନ୍ଦୀ ହୋଇରହିଛି। ମୁଁ ଆକଳନ କରିବା ପାଇଁ ତହସିଲଦାର କୃଷି ଅଧିକାରୀମାନଙ୍କୁ କହିଛି।