ମହାନଦୀ, ଗୋଦାବରୀ ନଦୀର ପୁନରୁଦ୍ଧାର ପାଇଁ ଯୋଜନା, ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପାଇଁ କର୍ମଶାଳା

ଭୁବନେଶ୍ବର : ଦେଶର ପ୍ରମୁଖ ୧୩ଟି ନଦୀର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିଷ୍ପତ୍ତି ‌େନଇଛି। ଏହି ୧୩ଟି ମଧ୍ୟ‌େର ଓଡ଼ିଶାର ମହାନଦୀ ଓ ଗୋଦାବରୀ ନଦୀ ରହିଛି। ଉଭୟ ନଦୀର ପୁନରୁଦ୍ଧାର ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି। ଏ ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତି ନିମନ୍ତେ ଆଜି ପ୍ରାଥମିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ରାଞ୍ଚିସ୍ଥିତ ଜଙ୍ଗଲ ଉତ୍ପାଦିକତା ପ୍ରତିଷ୍ଠାନକୁ ମହାନଦୀର ଡିପିଆର୍‌ ଏବଂ ହାଇଦ୍ରାବାଦସ୍ଥିତ ଜଙ୍ଗଲ ଜୈବ ବିବିଧତା ପ୍ରତିଷ୍ଠାନକୁ ଗୋଦାବରୀର ଡିପିଆର୍ ପ୍ରସ୍ତୁତି ଦାୟିତ୍ବ ଦିଆଯାଇଛି। ଜଙ୍ଗଲ ବିଭାଗ ସହଯୋଗରେ ଏହି ଦୁଇଟି ସଂସ୍ଥା ପକ୍ଷରୁ କର୍ମଶାଳାର ଆ‌ୟୋଜନ କରାଯାଇଥିଲା। ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଥିଲା, ସମତଳ ଅଞ୍ଚଳରେ ଜଳ ନିଷ୍କାସନ, ପୃଥିବୀ ପୃଷ୍ଠରେ ଜୀବଜଗତ ଓ ଉଦ୍ଭିଦ ଜଗତ ଏବଂ ସମସ୍ତ ପ୍ରାଣୀଙ୍କ ବାସସ୍ଥାନ, ଖାଦ୍ୟଯୋଗାଣ, କୃଷି ପାଇଁ ଉର୍ବର ସମତଳ ଜମି ଯୋଗାଇ ଦେବା ତଥା ଜଳ ବିଦ୍ୟୁତ ଶକ୍ତି ସୃଷ୍ଟି ପାଇଁ ନଦୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। କିନ୍ତୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନଦୀ ଅବବାହିକାରେ ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ, ବାଲି ପଥର ଖନନ, ରାସ୍ତା ନିର୍ମାଣ ଓ ସଫେଇ କାର୍ଯ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ, ଜଳବିଦ୍ୟୁତ ଓ ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଜଳ, ଜଳଗ୍ରହଣ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁଁ ନଦୀଗୁଡ଼ିକର ଜଳପ୍ରବାହ ବ୍ୟାହତ ହେବା ସହ ନଦୀ ଜଳ ନିମ୍ନମାନର ହୋଇଯାଉଛି। ତେଣୁ ନଦୀଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାରର ଆବଶ୍ୟକତା ରହିଛି।

କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା କହିଲେ, ପ୍ରାକୃତିକ ଜଳସ୍ରୋତର ଅବରୋଧକୁ ହଟାଇବା ସହ ନିମ୍ନ ଭୂମିରେ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି। ଢାଞ୍ଚାଗତ ପରିବର୍ତ୍ତନ ଅପେକ୍ଷା ଆମ୍ଭମାନଙ୍କ ସ୍ବଭାବଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ଭୂତଳ ଜଳସ୍ତରର ବୃଦ୍ଧି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ସହ ଜଳର ଅପଚୟକୁ ପ୍ରତିହତ କରିବା ଦରକାର। କର୍ମଶାଳାର ପ୍ରଥମ ଅଧିବେଶନରେ ପି କେ ମାଥୁର୍, ଶରତ ତିୱାରୀ ଓ ପି କେ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏ କେ ପାଠକ ନୋଡାଲ୍‌ ଅଧିକାରୀ ଭାବେ ମହାନଦୀ ଅବବାହିକା‌ରେ ଥିବା ଜଙ୍ଗଲ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ପି ଏଚ୍ ଚୌହାନ, ଆର୍ ଜୌହେରୀ, ଏସ୍ ପଟ୍ଟନାୟକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର