ସମ୍ବଲପୁର: ସମ୍ବଲପୁରରେ ମହାନଦୀ ଆଉ ନଦୀ ହୋଇ ରହି ନାହିଁ। ଏହା ଏକ ନାଳରେ ପରିଣତ ହୋଇଗଲାଣି। ଜଳ ପ୍ରବାହ ଯେତେ କମୁଛି ମହାନଦୀ ନିଜକୁ ସଫା କରିବାର କ୍ଷମତା ହରାଉଛି। ସେଥିରେ ପୁଣି ଡ୍ରେନ୍ ପାଣି ବିନା ବିଶୋଧନରେ ସିଧାସଳଖ ମହାନଦୀରେ ମିଶୁଥିବାରୁ ଏହାର ପାଣି ଜହର ପାଲଟୁଛି। ଧନୁପାଲିରେ ଥିବା ୪୦ ଏମ୍ଏଲ୍ଡି ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସ୍ଥିତି ଏଭଳି ହୋଇଛି ଯେ କାହିଁ କେତେ ବର୍ଷ ହେଲା ମହାନଦୀ ‘ସି’ ଶ୍ରେଣୀଭୁକ୍ତ ହୋଇ ରହିଛି। ମହାନଦୀ ସ୍ଥିତିକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଓଡ଼ିଶାରେ ୪୯୪ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହୋଇଛି ମହାନଦୀ। ସମ୍ବଲପୁରରେ ପ୍ରବାହିତ ମହାନଦୀର ବିଭିନ୍ନ ସ୍ଥାନ ଯଥା ଧମା, ଅଯୋଧ୍ୟା ସରୋବରାହ ନିକଟସ୍ଥ, ଭିସୁଟ୍ ନିକଟସ୍ଥ ଘାଟରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରିଥାଏ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହା ସହିତ ପାୱାର୍ ଚ୍ୟାନେଲ୍ ଏବଂ ହୀରାକୁଦ ଜଳଭଣ୍ଡାରରୁ ନିୟମିତ ଜଳ ନମୁନା ପରୀକ୍ଷଣ ହୁଏ। ଧମା ତୁଳନାରେ ସମ୍ବଲପୁର ସହରରୁ ସଂଗୃହୀତ ଜଳ ନମୁନା ଅଧିକ ପ୍ରଦୂଷିତ। ଏହାର ବଡ଼କାରଣ ହେଲା, ସମ୍ବଲପୁର ସହରର ୫ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଦୁର୍ଗାପାଲି, ମନ୍ଦଲିଆ, ବାଲିବନ୍ଧା ଓ ହରଡ଼ଜୋର ସହିତ ୭ କ୍ଷୁଦ୍ର ନାଳର ବର୍ଜ୍ୟ ପାଣି ସିଧାସଳଖ ମହାନଦୀରେ ମିଶୁଛି। କେବଳ ଧୋବିଜୋରରୁ ୧୨୯.୬ କିଲୋଲିଟରର ବର୍ଜ୍ୟ ପାଣି ମହାନଦୀରେ ମିଶୁଥିବା ନେଇ ୧୯୯୯ ମସିହାରେ ଜାରି ରିପୋର୍ଟ କୁହାଯାଇଥିଲା। ବର୍ତ୍ତମାନ ଏହି ନାଳ ପାଣିର ପରିମାଣ କାହିଁ କେତେ ପରିମାଣ ବୃଦ୍ଧି ପାଇଛି।
କମୁଛି ବିଶୋଧନ କ୍ଷମତା, ଜଳ ଏବେ ଜହର
କାର୍ଯ୍ୟକ୍ଷମ ହେଉନି ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ
ଗ୍ରୀଷ୍ମ ସମୟରେ ଯେତେବେଳେ ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସନ ହ୍ରାସ ପାଇଥାଏ, ମହାନଦୀ ପାଣି ଆହୁରି ପ୍ରଦୂଷିତ ହୋଇଯାଏ। କିଛି ବର୍ଷ ହେଲା ଶୁଷ୍କ ମହାନଦୀରେ ଏହିଭଳି ସ୍ଥିତି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ସମୁଦାୟ ମହାନଦୀର ସ୍ଥିତି ‘ସି’ ଶ୍ରେଣୀଭୁକ୍ତ କୁହାଯାଉଥିଲେ ମଧ୍ୟ ସହରର ତଳି ଅଞ୍ଚଳରେ ଏହା ‘ଡି’ କିମ୍ବା ‘ଇ’ ଶ୍ରେଣୀଭୁକ୍ତ ହୋଇ ସାରିଛି। ସେଥିରେ ପୁଣି ଖୋଲାରେ ମଳତ୍ୟାଗ ଏହି ସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ମହାନଦୀରେ ସିଧାସଳଖ ବର୍ଜ୍ୟ ପଡ଼ିବା ନେଇ ନ୍ୟାୟାଳୟ ପକ୍ଷରୁ ମ୍ୟୁନିସିପାଲଟି ବିରୋଧରେ ମାମଲା ରୁଜୁ ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ସତ୍ତ୍ବେ ସରକାର ଚେତି ନାହାନ୍ତି। ଏହାର ବିଶୋଧନ ନେଇ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି।
ଏତିକିରେ ମହାନଦୀ ଉପରେ ଅତ୍ୟାଚାର ଥମି ନାହିଁ। ବାଲିବନ୍ଧାରେ ମହାନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ ଯୋଗୁଁ ପାଣିର ପ୍ରବାହ ଆହୁରି ସୀମିତ ହୋଇଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟନାରାୟଣ ନନ୍ଦଙ୍କ କହିବାନୁସାରେ, ପ୍ରତ୍ୟେକ ନଦୀ ଭଳି ମହାନଦୀର ନିଜସ୍ବ ବିଶୋଧନ କ୍ଷମତା ରହିଛି। କିନ୍ତୁ ପାଣିର ପ୍ରବାହକୁ ସୀମିତ କରି ଦିଆଯିବା ଫଳରେ ଏହାର ଜଳ ବିଶୋଧନ ହୋଇପାରୁ ନାହିଁ। ବିଶେଷଜ୍ଞଙ୍କ ମତ ଅନୁସାରେ, ମହାନଦୀ ପାଣି ବିଷ ହୋଇଯିବା ଯୋଗୁଁ ହେପାଟାଇଟିସ୍, ଜଣ୍ଡିସ୍, ଡାଇରିଆ ଭଳି ଜଳବାହିତ ରୋଗ ସମ୍ବଲପୁରରେ ବଢ଼ି ଚାଲିଛି। ୨୦୧୪ ମସିହାରେ ଜଣ୍ଡିସ୍ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯିବା ପରେ ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ହେଲା। ତେବେ ପମ୍ପ୍ ଷ୍ଟେସନ୍ କରାଯାଉ ନଥିବାରୁ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଓଡ଼ିଶାର ଜୀବନ ରେଖା ମହାନଦୀକୁ ପ୍ରଦୂଷଣମୁକ୍ତ କରିବା ଦିଗରେ କେବେ ପଦକ୍ଷେପ ନିଆଯିବ ବୋଲି ପ୍ରଶ୍ନ ଉଠୁଛି।