ଗ୍ରିନ ଟ୍ରିବ୍ୟୁନାଲରେ ମହାନଦୀ ପ୍ରସଙ୍ଗ : ନିର୍ମାଣାଧୀନ ପ୍ରକଳ୍ପ ଉପରୁ ରହିତାଦେଶ ଉଠିଲାନି

ନଭେମ୍ବର ୨୪କୁ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର : ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୩୧ଟି ପ୍ରକଳ୍ପ ଉପରୁ ଗ୍ରିନ ଟ୍ରିବ୍ୟୁନାଲ ରହିତାଦେଶ ଉଠାଇନାହାନ୍ତି। ଆଜି ଏହି ମାମଲାର ଶୁଣାଣି ଥିବାବେଳେ ଛତିଶଗଡ଼ ଆଡଭୋକେଟ୍‌ ଜେନେରାଲ ଅସୁସ୍ଥତା କାରଣରୁ କୋର୍ଟରେ ଅନୁପସ୍ଥିତ ଥିଲେ। ଏହି ମାମଲାର ଆଜି ଶୁଣାଣି ନକରିବାକୁ ଛତିଶଗଡ଼ ସରକାର ମାନ୍ୟବର ଟ୍ରିବ୍ୟୁନାଲଙ୍କୁ ନିବେଦନ କରିବା ପରେ ଆସନ୍ତା ନଭେମ୍ବର ୨୪ତାରିଖ ପର୍ଯ୍ୟନ୍ତ ନିର୍ମାଣାଧୀନ ପ୍ରକଳ୍ପ ଉପରେ ସ୍ଥଗିତାଦେଶ ବଳବତ୍ତର ରହିଛି। ଏହାସହ ଆସନ୍ତା ୨୪ତାରିଖରେ ଆଗାମି ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ ଭାବେ ନିର୍ମାଣ କରୁଥିବା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବା ପାଇଁ ଆଗାମୀ ଓଡ଼ିଶାର ଆବାହକ ସୁଦର୍ଶନ ଦାସ କୋଲକତାସ୍ଥିତ ଗ୍ରିନ ଟ୍ରିବ୍ୟୁନାଲରେ ମାମଲା ଦାୟର କରିଛନ୍ତି। ଏହାର ଶୁଣାଣି କରି ଟ୍ରିବ୍ୟୁନାଲ ୩୧ଟି ନିର୍ମାଣାଧୀନ ପ୍ରକଳ୍ପ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଛତିଶଗଡ଼ ସରକାର ଗତ ଅଗଷ୍ଟ ୩୧ରେ ସ୍ଥଗିତାଦେଶ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ। କିନ୍ତୁ ଟ୍ରିବ୍ୟୁନାଲ ସ୍ଥଗିତାଦେଶ ଉଠାଇ ନଥିଲେ। ଆଜି ସେହି ଆଦେଶକୁ ନଭେମ୍ବର ୨୪ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି।

ସେହିପରି ଆଜି ଗ୍ରିନ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଶ୍ରୀ ଦାସଙ୍କ ମୂଳ ଆବେଦନ ଉପରେ ଜବାବ ରଖାଯାଇଛି। ଓଡ଼ିଶା ସରକାର ମଧ୍ୟ ତାଙ୍କର ଜବାବ ରଖିଛନ୍ତି। ଏହି ସବୁ ଜବାବଗୁଡ଼ିକୁ ଅନୁଧ୍ୟାନ କରି ପ୍ରତି ଜବାବ ଆସନ୍ତା ୨୪ତାରିଖ ପୂର୍ବରୁ ଦିଆଯିବ ବୋଲି ମୂଳ ଆବେଦନକାରୀ ଶ୍ରୀ ଦାସ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗ୍ରିନ ଟ୍ରିବ୍ୟୁନାଲଙ୍କ ଏହି ରହିତାଦେଶ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଛତିଶଗଡ଼ ସରକାର କଲିକତା ହାଇକୋର୍ଟରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ଗ୍ରିନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଗତ ଅଗଷ୍ଟ ୩୦ତାରିଖରେ ସ୍ପଷ୍ଟ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ତାରିଖରେ ହେବ।

ମହାନଦୀ ସୁରକ୍ଷା ପାଇଁ ନ୍ୟାୟିକ ଲଢ଼େଇ ସହ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବ୍ୟାପକ ଜନଆନ୍ଦୋଳନ ଜାରି ରହିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୁଦର୍ଶନ ଦାସ, ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ ପ୍ରମୁଖ ଜଣାଇଛନ୍ତି।

ସମ୍ବନ୍ଧିତ ଖବର