ଝାରସୁଗୁଡ଼ା: ଓଡ଼ିଶାରେ ଛତିଶଗଡ଼ ନେତାଙ୍କ ମାରାଥନ୍ ପ୍ରଚାର ଚାଲିଛି। ଛତିଶଗଡ଼ ବିଜେପି ମନ୍ତ୍ରୀ ଆସି ଓଡ଼ିଶାରେ ସେଠାକାର ସରକାରର ତୁଳନାତ୍ମକ ଚିତ୍ର ବି ଦେଉଛନ୍ତି। କିନ୍ତୁ ଓଡ଼ିଶାର ଜୀବନରେଖା କହାଯାଉଥିବା ମହାନଦୀର ତଣ୍ଟିକୁ ଛତିଶଗଡ଼ ଚିପି ସାରିଥିବା ବେଳେ ସେ ପ୍ରସଙ୍ଗରେ ଏବେ ବିଜେପି କି ବିଜେଡି କେହି ମୁହଁ ଖୋଲୁନାହାନ୍ତି। ବିଗତ ନିର୍ବାଚନମାନଙ୍କରେ ମହାନଦୀ ପ୍ରସଙ୍ଗ ବେଶ୍ ତମ୍ବିତୋଫାନ କରିଥିଲା। କିନ୍ତୁ ଚଳିତ ନିର୍ବାଚନରେ ଉଭୟ ଦଳ ପାଇଁ ମହାନଦୀ ପ୍ରସଙ୍ଗ ଅଲୋଡ଼ା ହୋଇଯାଇଛି। ଛତିଶଗଡ଼ ମହାନଦୀ ଓ ଏହାର ଶାଖା ନଦୀ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚାଲିଥିବା ବେଳେ ଓଡ଼ିଶା ପଟକୁ ପାଣି ଆସୁନି। ସେପଟେ, ଓଡ଼ିଶା ସରକାର ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଯାଇଥିବା ବେଳେ ବିଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ ହୋଇପାରିଲାନି।
୨୦୧୮ ମେ’ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଲଖନପୁର ବ୍ଲକ୍ ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସ୍ଥାନରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନରେ ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ନେଇ ସଭାସମିତି ହୋଇଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିବା ପରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ୍ ଗଠିତ ହୋଇଥିଲା। ଗତ ମେ’ ମାସରେ ଅର୍ଥାତ୍ ୫ ବର୍ଷ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଗତ ନଭେମ୍ବରରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଉଭୟ ରାଜ୍ୟ ସାନି ସାକ୍ଷୀ ତାଲିକା ବି ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଛନ୍ତି। ଇତିମଧ୍ୟରେ ଟ୍ରିବ୍ୟୁନାଲଙ୍କ ଅବଧି ବି ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ଯାଏ ବୃଦ୍ଧି କରାଯାଇଛି। କିନ୍ତୁ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କୁ ଲୋକପାଳ କମିଟିର ଅଧ୍ୟକ୍ଷ ପଦ ଦିଆଯିବା ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ସେପଟେ ଛତିଶଗଡ଼ ସରକାର ଜଳସେଚନ ପ୍ରକଳ୍ପ ପାଇଁ ମହାନଦୀରେ ବିଭିନ୍ନ ବ୍ୟାରେଜ୍ ନିର୍ମାଣ ଶେଷ କରିଦେଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ବିଶେଷ କରି ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି।
ମହାନଦୀ ବେସିନ୍ରେ ଓଡ଼ିଶା ତୁଳନାରେ ଛତିଶଗଡ଼ର ଜଳଧାରଣ କ୍ଷମତା ୧୦ ପ୍ରତିଶତ ଅଧିକ ରହିଥିବାରୁ ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ କରିଚାଲିଛନ୍ତି। ସେପଟେ, ରାଜ୍ୟ ସରକାର ମଧ୍ୟ ୮ବର୍ଷରେ ହୀରାକୁଦ ତଳମୁଣ୍ଡରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରି ପାରିନାହାନ୍ତି। ଫଳରେ ମହାନଦୀ ଉପରେ ନିର୍ଭରଶୀଳ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡ଼ିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କେଲୋ ନଦୀ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ବିଗତ ୨ ବର୍ଷରେ ଛତିଶଗଡ଼ ସରକାର କେଲୋ ନଦୀର ନେତନାଗରଠାରେ ମଧ୍ୟ ୨ଟି ଡ୍ୟାମ୍ ତିଆରି କରିସାରିଲେଣି। ଫଳରେ କେଲୋ ନଦୀ ବି ଏବେ ଶୁଖିଲା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/mahanandi-river.jpg)