ଅସନ୍ତୋଷ ଝାଡ଼ିଲେ, ଶ୍ବେତପତ୍ର ମାଗିଲେ ବିଜୟ
ତୁରନ୍ତ ସର୍ବଦଳୀୟ ବୈଠକ ଡକାଯାଉ: କଂଗ୍ରେସ
ଯାହା ହେବ ରାଜ୍ୟ ସରକାର ଦାୟୀ: ବିଜେପି
ଟ୍ରିବ୍ୟୁନାଲ ରାୟ ଆମ ସପକ୍ଷରେ ଯିବ: ପଦ୍ମନାଭ
ଭୁବନେଶ୍ବର : ମହାନଦୀ ପ୍ରତି ହୋଇଥିବା ସାଂଘାତିକ ପ୍ରତାରଣା ଶେଷରେ ରାଜନୈତିକ ନେତାଙ୍କୁ ଭେଦିଛି। ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଏବେ ବି ଚୁପ୍ ରହିଛନ୍ତି। ହେଲେ ‘ରାଜନେତାଙ୍କ ଚକ୍ରବ୍ୟୂହରେ ମହାନଦୀ’ ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହି ପ୍ରସଙ୍ଗରେ ଏକାଥରକେ ସବୁ ଦଳର ନେତା ଗର୍ଜନ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବତନ ଜଳସଂପଦ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ମହାନଦୀର ସ୍ଥିତି, ଟ୍ରିବ୍ୟୁନାଲରେ ମାମଲାର ଅଗ୍ରଗତି ଆଦି ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ତୁରନ୍ତ ଏକ ଶ୍ବେତପତ୍ର ରଖନ୍ତୁ। ସର୍ବଦଳୀୟ ବୈଠକ ପାଇଁ ଦାବି କରିଛି କଂଗ୍ରେସ। ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ ବୋଲି ବିଧାୟକ ତାରା ବାହିନୀପତି କହିଛନ୍ତି। ବିଜେପି ସମୁଦାୟ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି। କୌତୂହଳ କଥା ହେଲା, ଗଣମାଧ୍ୟମ ସାମ୍ନାରେ ପରିବହନ ମନ୍ତ୍ରୀ କହିଛନ୍ତି, ଟ୍ରିବ୍ୟୁନାଲ ରାୟ ଓଡ଼ିଶା ସପକ୍ଷରେ ଯିବ।
ରବିବାର ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମହାନଦୀକୁ ନେଇ କଣ ଚାଲିଛି, ରାଜ୍ୟବାସୀ ଏକଥା ଜାଣିପାରୁ ନାହାନ୍ତି। ଗତ ୩ବର୍ଷ ମଧ୍ୟରେ ରାଜ୍ୟ ଜଳ ସଂପଦ ବିଭାଗ, ଆଇନ ବିଭାଗ, ପଦସ୍ଥ ଅଧିକାରୀଙ୍କ ଭିତରେ ଏହି ମାମଲା ସଂକ୍ରାନ୍ତରେ କୌଣସି ବୈଠକ ହେବାର ନଜିର ନାହିଁ। ମନେ ହେଉଛି, ଯେମିତି ସରକାର ମହାନଦୀ ପ୍ରସଙ୍ଗଟିକୁ ଭୁଲିଗଲେଣି। ତଥ୍ୟ ରଖିପାରୁନାହାନ୍ତି କିମ୍ବା ଲଢେଇ କରିପାରୁନାହାନ୍ତି? ଯାହା ଫଳରେ ଏବେ ଯାଏ କୌଣସି ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଆସିପାରିଲା ନାହିଁ। ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବାର ୩ବର୍ଷ ସମୟସୀମା ଆସନ୍ତା ମାର୍ଚ୍ଚ ମାସରେ ସରିଯିବ। ଏବେ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି, ରାଜ୍ୟ ସରକାର ଏଠାରେ କି ପ୍ରକାର ଯୁକ୍ତି ରଖିଲେ? ଏହି ତିନି ବର୍ଷ ଭିତରେ ଓଡ଼ିଶା ତା’ ଅଧିକାରକୁ ସାବ୍ୟସ୍ତ କରିବାକୁ କେତେଦୂର ସଫଳ ହେଲା? ଯେହେତୁ ରାଜ୍ୟ ସରକାର ଏ ସଂପର୍କରେ କିଛି ବି କହୁନାହାନ୍ତି, ଅତଏବ ରାଜ୍ୟବାସୀ ଏବେ ମହାନଦୀ ପ୍ରସଙ୍ଗରେ ଅନ୍ଧାରରେ ଅଛନ୍ତି। ମହାନଦୀ ସହିତ ଯୋ଼ଡ଼ି ହୋଇଥିବା ୧୬ଟି ଜିଲ୍ଲାର ଲୋକେ ଏବେ ଚିନ୍ତାରେ ପଡ଼ିଲେଣି।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଆସନ୍ତା ୨ମାସ ସମୟସୀମା, ମହାନଦୀ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଯଦି ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲରେ ଓଡ଼ିଶା ଜୋରଦାର ଦାବି ନ ରଖେ, ତେବେ ସମ୍ଭବତଃ ନ୍ୟାୟ ମିଳିପାରେ। ମହାନଦୀ ପ୍ରସଙ୍ଗରେ ଅଣ ମୌସୁମୀ ଜଳ ପ୍ରବାହ ଏକ ମୁଖ୍ୟ ସମସ୍ୟା ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ମହାନଦୀ ଏବଂ ଏହାର ଶାଖା ନଦୀମାନଙ୍କରେ ଜଳପ୍ରବାହ ଏବେ କମିଗଲାଣି। ଏବେ ଠାରୁ ସ୍ଥିତି ବିପଜ୍ଜନକ ମନେ ହେଉଛି। ଏପ୍ରିଲ, ମେ’ ମାସ ବେଳକୁ ପରିସ୍ଥିତି କଣ ହେବ ତାହା ଏବେଠାରୁ ଆକଳନ ଲଗାଇବା ମୁସ୍କିଲ୍। ସେ କହିଥିଲେ ଯେ ମହାନଦୀକୁ ନେଇ ସବୁ ରାଜନୈତିକ ଦଳ ଓ ସଂଗଠନ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ରାଜ୍ୟ ସରକାର ମହାନଦୀର ତଳମୁଣ୍ଡରେ ୬ଟି ବ୍ୟାରେଜ୍ କଥା କହିଥିଲେ। ଏହା ମଧ୍ୟ ଏଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାନଦୀର ଧାର ଉପରମୁଣ୍ଡରେ କମିଗଲାଣି ଓ ଚାଷୀ ପ୍ରତିକ୍ରିୟା ପ୍ରକାଶ କଲେଣି। ଉପରମୁଣ୍ଡରେ ଇବ୍ ଓ ତେଲିଜୋର ପ୍ରକଳ୍ପକୁ ବି ଟ୍ରିବ୍ୟୁନାଲ ଆଳରେ କେନ୍ଦ୍ର ଅନୁମତି ଦେଉନାହିଁ। ଏବେ ମହାନଦୀର ଉପରମୁଣ୍ଡ ଯେଭଳି କ୍ଷତିଗ୍ରସ୍ତ, ତଳମୁଣ୍ଡ ବି। ଏବେ ସଂସଦ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ବିଜେଡି ଓ ବିଜେପି ସାଂସଦ ଏହି ପ୍ରସଙ୍ଗ ଉଭୟ ଗୃହରେ ଉତ୍ଥାପନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ ବିଜେଡି ଓ ବିଜେପି ରାଜ୍ୟର ସ୍ୱାର୍ଥ ଦେଖୁନାହାନ୍ତି। କେବଳ ରାଜନୀତି କରୁଛନ୍ତି। ବିଜେପି କହିଲେ ବିଜେଡି ଚୁପ ଆଉ ବିଜେଡି କହିଲେ ବିଜେପି ଚୁପ । ମହାନଦୀକୁ ନେଇ ବିଜେଡି ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ କରୁଥିଲା। କିନ୍ତୁ ନିର୍ବାଚନ ପରେ ଚୁପ କାହିଁକି? ଆମେ ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲୁ। ଏଥର ବିଧାନସଭାରେ ଏହି ପ୍ରସଙ୍ଗ ନିଶ୍ଚୟ ଉଠିବ। ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀ ସହ ତୁରନ୍ତ ବୈଠକ ଡାକି ଆଲୋଚନା କରନ୍ତୁ। କଂଗ୍ରେସ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଆସିବାର ବ୍ୟବସ୍ଥା କରିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।
ସେହିଭଳି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ମହାନଦୀ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହେଉ। ଏକଥା କେନ୍ଦ୍ର ସରକାର ଚାହୁଁଥିଲେ। ହେଲେ ରାଜ୍ୟ ସରକାର ଅଯଥା ଏହାକୁ ରାଜନୀତି ପ୍ରସଙ୍ଗ କରିବାକୁ ଚାହିଁଲେ। କେନ୍ଦ୍ର ମଧ୍ୟସ୍ଥତା କରିବାକୁ ଚାହିଁଲେ ବି ରାଜ୍ୟ ପ୍ରତିନିଧି ମାନେ ସହଯୋଗ କଲେନି। ଠିକଣା ଓ ବଳିଷ୍ଠ ତଥ୍ୟ ଦେଇପାରିଲେନି। ଏବେ ମହାନଦୀ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ଅଛି। ଯାହା ସମସ୍ୟା ହେବ ରାଜ୍ୟ ସରକାର ଶତ ପ୍ରତିଶତ ଦାୟୀ ରହିବେ।
ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଆମର ବିଶ୍ୱାସ ଟ୍ରିବ୍ୟୁନାଲର ରାୟ ଆମ ସପକ୍ଷରେ ଯିବ। ଟ୍ରିବ୍ୟୁନାଲ ଏକ ବ୍ୟବସ୍ଥା। ଚୂଡାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରାଯାଉ।