ମହାନଦୀ ପାଇଁ ଗୃହ ଅଚଳ, ଆଲୋଚନା ଦାବି କଲେ ନରସିଂହ

ବିଜେପି-କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ହେଲାନି

ଭୁବନେଶ୍ବର : ଗତକାଲି ଶାସକ ଦଳ ଉଠାଇଥିଲେ ମହାନଦୀ ପ୍ରସଙ୍ଗ। ଅଣମୌସୁମୀ ସମୟରେ ମହାନଦୀରେ ପାଣି କମୁଥିବାରୁ ଉଭୟ କଂଗ୍ରେସ ଓ ବିଜେପିକୁ ଦାୟୀ କରିଥିଲେ। ଗୁରୁବାର ଦିନ ବିରୋଧୀ ପାଲଟା ଆକ୍ରମଣ କରିଥିଲେ। ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସି ଗୃହରେ ହୋହଲ୍ଲା କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା।

ଗୁରୁବାର ଦିନ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ ମହାନଦୀ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ବାଚସ୍ପତି ଅନୁମତି ଦେଇ ନଥିଲେ। ବଜେଟ୍ ଅଧିବେଶନରେ ବ୍ୟୟମଞ୍ଜୁରି ବିଲ୍ ପାରିତ ନହେବା ପର୍ଯ୍ୟନ୍ତ ମୋସନ ଅଣାଯିବାର ନିୟମ ନାହିଁ ବୋଲି କହିଥିଲେ। କିନ୍ତୁ ମହାନଦୀ ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟିରୁ ଆଲୋଚନା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ବାଚସ୍ପତି ଅନୁମତି ନଦେବାରୁ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କଲେ। ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲିଆସିଲେ। ଉଭୟ ଦଳର ସଦସ୍ୟଙ୍କ ହୋହଲ୍ଲାରେ ଗୃହ କମ୍ପିଥିଲା। ଏହି ସମୟରେ ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ବିଜେପି ଓ କଂଗ୍ରେସକୁ ଭାଇ-ଭାଇ ବୋଲି ଆକ୍ଷେପ କରିଥିଲେ।

ଏମିତି ହୋହଲ୍ଲା ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡାକିଥିଲେ। କିନ୍ତୁ ହୋହଲ୍ଲା ଭିତରେ ମନ୍ତ୍ରୀଙ୍କ କଥା ଶୁଣାଯାଉ ନଥିଲା। ଗୃହ ସ୍ବାଭାବିକ ନହେବାରୁ ବାଚସ୍ପତି ମାତ୍ର ୫ ମିନିଟ୍ ପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ। ଅପରାହ୍ନ ୪ଟାରେ ମଧ୍ୟ ବିରୋଧୀ ଦଳ ସଭ୍ୟମାନେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି କହିଥିଲେ ଯେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେଲା ପରେ ମହାନଦୀ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ହେବ। ଏହା ପରେ ଗୃହ ସ୍ବାଭାବିକ ଭାବେ ଚାଲିଥିଲା।

ସମ୍ବନ୍ଧିତ ଖବର