ମହାନଦୀ ପାଣି: ଛତିଶଗଡ଼ ପଟେ ଲହଡ଼ି ମାରୁଛି, ଓଡ଼ିଶା ପଟେ ନଦୀ ଶୁଖିଲା
ଏକ ରାଷ୍ଟ୍ରୀୟ ନଦୀର ମୃତ୍ୟୁ ଲଜ୍ଜାଜନକ: ରାଜେନ୍ଦ୍ର ସିଂ
ଝାରସୁଗୁଡ଼ା : ମହାନଦୀ ଏକ ରାଷ୍ଟ୍ରୀୟ ନଦୀ ହୋଇଥିବା ବେଳେ ଆଖି ଆଗରେ ଏହି ନଦୀର ଅକାଳ ମୃତ୍ୟୁ ଆମପାଇଁ ଲଜ୍ଜାଜନକ। କଟକରୁ ଛତିଶଗଡ଼ର କଲମା ପର୍ଯ୍ୟନ୍ତ ମହାନଦୀ ଯାତ୍ରାରେ ସାମିଲ୍ ହୋଇଥିବା ଜଳପୁରୁଷ ଡ. ରାଜେନ୍ଦ୍ର ସିଂ ଏହା କହିଛନ୍ତି। ଏଥିସହିତ, ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀକୁ ନେଇ ଚାଲିଥିବା ବିବାଦ କିଛିଦିନ ଧରି ଥମି ଯାଇଥିବାବେଳେ ଏବେ ପୁଣି ଏହି ପ୍ରସଙ୍ଗ ତାଜା ହୋଇ ଉଠିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ବରେ ମହାନଦୀ ଯାତ୍ରା ଅନୁଷ୍ଠିତ ହୋଇଛି। ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନର ୪ ବର୍ଷ ପୂର୍ତ୍ତି ପରେ ନଦୀର ସ୍ଥିତି ଅନୁଧ୍ୟାନ ପାଇଁ ଏହି ମହାନଦୀ ଯାତ୍ରା ଆୟୋଜିତ ହୋଇଛି। ଆଜି ଏହି ଆନ୍ଦୋଳନର ସଦସ୍ୟ କଲମାଠାରେ ମହାନଦୀ ପରିଦର୍ଶନ କରିବା ପରେ ମହାନଦୀର ପ୍ରବେଶ ପଥ ଶୁଖାସୋଡ଼ାଠାରେ ମହାନଦୀର ଶୁଖିଲା ନଦୀଶଯ୍ୟା ଦେଖିଥିଲେ। ଛତିଶଗଡ଼ ପଟେ ପାଣି ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟେ ନଦୀ ଶୁଖିଲା ପଡ଼ିଛି।
ଏହି ଯାତ୍ରା ପରେ ଡ. ସିଂ ଓ ଅନ୍ୟ ସହଯୋଗୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବିବାଦ ସମାଧାନ ନେଇ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଥିଲେ। ଡ. ସିଂ କହିଥିଲେ ଯେ ସେ ଜୀବନବ୍ୟାପୀ ଜଳ ଉପରେ କାମ କରିଥିବା ପରିପ୍ରେକ୍ଷୀରେ ଅନେକ ଛୋଟ ନଦୀର ମୃତ୍ୟୁ ଦେଖିଛନ୍ତି। ବହୁ ମୃତନଦୀକୁ ପୁନଃଜୀବିତ କରିଛନ୍ତି। ତେବେ ମହାନଦୀ ପରି ଏକ ରାଷ୍ଟ୍ରୀୟ ନଦୀକୁ ଜାଣିଶୁଣି ମୃତ୍ୟୁମୁଖକୁ ଠେଲି ଦେବାର ସେ ଦେଖିନାହାନ୍ତି ବୋଲି କହିଥିଲେ। ଏକ ପରିବାରର ଛୋଟ ସଦସ୍ୟର ମୃତ୍ୟୁରେ ଆମେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ୁଥିବା ବେଳେ କୋଟି କୋଟି ଲୋକଙ୍କ ଜୀବନଧାରା ଏହି ମହାନଦୀର ମୃତ୍ୟୁକୁ ଦେଖି ଆଖିରୁ ଲୁହ ବାହାର ନକରିବା ଏକ ଲଜ୍ଜାକର ଘଟଣା ବୋଲି ଡ. ସିଂ କହିଥିଲେ। ଏଥିସହିତ, ଏହି ମହାନଦୀ ବିବାଦକୁ ଉଭୟ ଛତିଶଗଡ଼ ଓ ଓଡ଼ିଶା ନିଜେ ସମାଧାନ ନକଲେ କେହି ଏହାକୁ ସମାଧାନ କରି ପାରିବେ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆବାହକ ଶ୍ରୀ ଦାସ କହିଥିଲେ ଯେ କେବଳ ରାଜନୈତିକ ସୁବିଧାବାଦ ପାଇଁ ମହାନଦୀ ବଞ୍ଚାଇବାକୁ ଉଦ୍ୟମ କଲେ ହେବନାହିଁ। ଏଥିପାଇଁ ଏକ ଦୃଢ଼ ପଦକ୍ଷେପ ଆବଶ୍ୟକ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଯେପରି ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଉଥିଲେ ନିର୍ବାଚନ ପରେ କାହିଁକି ଏହି ପ୍ରସଙ୍ଗ ପ୍ରତି ଅଣଦେଖା କଲେ ତାହା ସରକାରଙ୍କ ଆନ୍ତରିକତା ସୂଚାଇ ଦେଉଛି। ମହାନଦୀର ଏହି ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ। ମହାନଦୀ ପ୍ରତି ସରକାର ଚରମ ଅବହେଳା କରିଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ଓଡ଼ିଶାର ଚାଷୀ, ମତ୍ସ୍ୟଜୀବୀ ଏବେ ଗୁରୁତର ସଂକଟର ସମ୍ମୁଖୀନ ହେଉଛନ୍ତି। ଛତିଶଗଡ଼ କଲମା ଠାରେ ଅତି କମ୍ରେ ୫ଟା ଗେଟ୍ ଖୋଲି ଦେବାକୁ ସେମାନେ ଦାବି କରିଥିଲେ।