ସାଧୁସନ୍ଥଙ୍କୁ କେହି କେବେ ଅବହେଳିତ କରିପାରିବେ ନାହିଁ: ସୌମ୍ୟ

ବାଲିଯାତ୍ରାରେ ମହାନଦୀ ମହାଆଳତି

କଟକ : ବାଲିଯାତ୍ରା ଓଡ଼ିଶାର ସର୍ବପ୍ରାଚୀନ ଐତିହାସିକ ମେଳା। ପୂର୍ବାପେକ୍ଷା ବାଲିଯାତ୍ରାର ପରିସର ବଢ଼ିଛି, ରୂପରେଖ ମଧ୍ୟ ବଦଳାଇବାକୁ ଉଦ୍ୟମ କରାଯାଇଛି। ଏଭଳି ଧାରା ଚାଲିଲେ, ଆମର ଉତ୍ତରପିଢ଼ି ବାଲିଯାତ୍ରା ବିଷୟରେ ତଥା ଆମ ନୌବାଣିଜ୍ୟ ବିଷୟର ଅନେକ କଥା ଜାଣିପାରିବେ। ଏହା କୌଣସି କଳ୍ପନା ନୁହେଁ, ବରଂ ବାସ୍ତବ ଘଟଣା ଥିଲା ବୋଲି ବିଶ୍ବାସ କରିବେ। କଟକର ଐତିହାସିକ ବାଲିଯାତ୍ରା ଅବସରରେ ଚାଲିଥିବା ମହାନଦୀ ମହାଆଳତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଛତିଆସ୍ଥିତ ଉଦାସ ଆଶ୍ରମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ତଳପଡ଼ିଆରେ ମହାନଦୀ କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନଦୀ ଆଳତି କରିବା ସହିତ ଶ୍ରୀ ପଟ୍ଟନାୟକ ମହାନଦୀକୁ ‘ଉତ୍କଳର ଗଙ୍ଗା’ ‌ବୋଲି ସମ୍ବୋଧନ କରିଥିଲେ। ଭାରତର ସାଧୁଜନଙ୍କ ପାଖରେ ପ୍ରବଳ ସାମର୍ଥ୍ୟ ରହିଛି ଏବଂ ସେମାନଙ୍କୁ କେହି କେବେ ଅବହେଳିତ ବା ଅଣଦେଖା କରିପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବାଲିଯାତ୍ରାକୁ ଏଭଳି ବ୍ୟାପକ ଭାବେ ଆୟୋଜନ କରିଥିବାରୁ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ତାଙ୍କ ସାଥୀ, ସହଯୋଗୀଙ୍କୁ ପ୍ରଶଂସା କରିଥିଲେ । ଏଥିସହିତ, ପରବର୍ତ୍ତୀ ବର୍ଷ ମାନଙ୍କରେ ଅଧିକାରୀମାନେ ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ଆହ୍ବାନ ଦେଇଥିଲେ।

ମହାନଦୀ ଆଳତିକୁ ପରିଚାଳନା କରୁଥିବା ଉଦାସ ଆଶ୍ରମ ପୀଠାଧିଶ ସ୍ବାମୀ ଯଜ୍ଞେଶ୍ବରାନନ୍ଦ ମହାରାଜ କହିଥିଲେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଯଜ୍ଞ ବଳରେ ପୂଣ୍ୟତୋୟା ମହାନଦୀର ସୃ‌ଷ୍ଟି। ହେଲେ ସାଂପ୍ରତିକ ସମୟରେ ସାଧୁ, ନାରୀ, ନଦୀ ସର୍ବଦା ଅବହେଳିତ। ସାଧୁ ଅବହେଳିତ, ନାରୀ ନିର୍ଯାତିକ ଆଉ ନଦୀ ପ୍ରଦୂଷିତ। ଆଉ ଏବେ ବାପାମା’ଙ୍କ ସ୍ଥାନ ଜରାଶ୍ରମରେ ବୋଲି ପୀଠାଧିଶ ସ୍ବାମୀଜୀ କ୍ଷୋଭ ପ୍ରକାଶ କରି କହିଥିଲେ। ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଥିଲେ ଯେ ସମସ୍ତଙ୍କର ସହଯୋଗ ଓ ସଦିଚ୍ଛାରେ ଆୟୋଜିତ କାର୍ଯ୍ୟକ୍ରମ ସଫଳ ଓ ଚିରସ୍ଥାୟୀ ହୋଇଥାଏ। ଏବର୍ଷ ବାଲିଯାତ୍ରା ଆୟୋଜନ ଏହାର ଏକ ଉଦାହରଣ।

ସିଲିଭର ସିଟି ବୋଟିଂ କ୍ଲବ୍‌ ପାଖରୁ ମହାନଦୀ ଜଳରାଶିରେ ବୋଟ୍ ଯୋଗେ ଶ୍ରୀ ପଟ୍ଟନାୟକଙ୍କୁ ମହାନଦୀ କୂଳ ଆଳତି ସ୍ଥଳକୁ ପାଛୋଟି ନିଆଯାଇଥିଲା। ଉଦାସ ଆଶ୍ରମ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଶ୍ରୀ ପଟ୍ଟନାୟକଙ୍କୁ ବାଲିଯାତ୍ରାର ନୂଆ ଆକର୍ଷଣ କଟକ-ଇନ୍-କଟକ ପରିସର ବୁଲିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ, ସମାଜସେବୀ ସଞ୍ଜୟ କୁମାର ପାତ୍ର, ‘ସମ୍ବାଦ’ର ଏଜିଏମ୍(ବାର୍ତ୍ତା) କୃଷ୍ଣପ୍ରସାଦ ଦାସ, ଉଦାସ ଆଶ୍ରମ ପକ୍ଷରୁ ସତ୍ୟରଞ୍ଜନ ଦାସ, ସୁଧାଂଶୁ ଶେଖର ନାୟକ, ଖଗେଶ୍ବର ରଥ, ସିଲଭର ସିଟି ବୋଟିଂ କ୍ଲବ୍ କର୍ମକର୍ତ୍ତା ଓଡ଼ିଶା ପ୍ରୋଜେକ୍ଟ ସଭାପତି କମଲ୍ ଦେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୁଲଗ୍ନା ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର