ଭୁବନେଶ୍ବର : ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲର ବିଚାରାଧୀନ ଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ ଏକ ବଡ଼ ମନ୍ତବ୍ୟ ରଖିଛନ୍ତି। ଆଜି ଶ୍ରୀ ସାହୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେଥିରେ ମହାନଦୀ ପ୍ରସଙ୍ଗ ସ୍ଥାନ ପାଇନଥିଲା। ତେବେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ମହାନଦୀ ଜଳ ବିବାଦ ମାମଲାର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ। ଏଥିପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି। ଦୁଇ ପକ୍ଷ ବସି ଏ ଦିଗରେ ଆଲୋଚନା କରିପାରିବେ। କଂଗ୍ରେସ ସରକାର ଏଥିପାଇଁ ତତ୍ପର ଥିବା ସେ ସୂଚନା ଦେଇଥିଲେ।
ଶ୍ରୀ ସାହୁ ଆହୁରି କହିଥିଲେ, ମହାନଦୀ ଜଳବିବାଦ ମାମଲାର ସମାଧାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଏକ ବଡ଼ ଭୂମିକା ରହିଛି। ହେଲେ ଛତିଶଗଡ଼ରେ ପୂର୍ବରୁ ଥିବା ସରକାର ଭଳି ତାଙ୍କ ସରକାର ସେତିକି ଅସହଯୋଗ କରୁଛି ବୋଲି କହିବା ଠିକ୍ ହେବ ନାହିଁ। ଶ୍ରୀ ସାହୁ କହିଥିଲେ, ଉଭୟ ରାଜ୍ୟର ଜଳସଂପଦ ମନ୍ତ୍ରୀ ଓ କେନ୍ଦ୍ରୀୟ ଜଳଆୟୋଗକୁ ନେଇ ନୂଆଦିଲ୍ଲୀରେ ଖୁବ୍ ଶୀଘ୍ର ଏକ ବୈଠକ ହେବ। ନିର୍ଦିଷ୍ଟ କି ପଦକ୍ଷେପ ନେଲେ ଉଭୟ ରାଜ୍ୟ ପାଇଁ ଲାଭଦାୟକ ହେବ, ସେ ସଂପର୍କରେ ବିଚାର ଆଲୋଚନା ହେବ। ଏହା ପୂର୍ବରୁ ମଧ୍ୟ ଉଭୟ ରାଜ୍ୟ ମଧ୍ୟରେ ବୈଠକ ହୋଇଥିବା ସେ ସୂଚନା ଦେଇଥିଲେ।
ଉଲ୍ଲେଖ ଥାଉ କି, ଆଜି ଶ୍ରୀ ସାହୁ ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଛତିଶଗଡ଼ ସରକାରଙ୍କ ଦ୍ବାରା ଆୟୋଜିତ ଜନଜାତି ନୃତ୍ୟ ଉତ୍ସବରେ ଯୋଗଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିସହିତ ଏ ସଂକ୍ରାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ। ଛତିଶଗଡ଼ ସରକାର ୨୦୧୯ ଡିସେମ୍ବର ୨୭ରୁ ୨୯ ପର୍ଯ୍ୟନ୍ତ ଜାତୀୟ ଜନଜାତି ଉତ୍ସବ ଆୟୋଜନ କରିଥାନ୍ତି।