ଭଞ୍ଜନଗର : ଗ୍ରୀଷ୍ମ ଆସିଲେ ସହରଠୁ ଆରମ୍ଭ କରି ଗାଁ ସବୁଠି, ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିବା କିଛି ନୂଆ କଥା ନୁହେଁ। ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ‘ବସୁଧା’ ଯୋଜନା ହାତକୁ ନେଇଥିବା ବେଳେ କେନ୍ଦ୍ର ସରକାର ‘ଜଳଜୀବନ ଜୀବିକା ମିସନ୍’ ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ତୃଣମୂଳସ୍ତରରେ କୌଣସି ଯୋଜନା ୫୦ ପ୍ରତିଶତ ମଧ୍ୟ ଲକ୍ଷ୍ୟ ହାସଲ କରିପାରୁନି।

Advertisment

ଏଭଳି ପରିସ୍ଥିତିରେ ପ୍ରତି ବ୍ୟକ୍ତି ପିଛା ଦୈନିକ ୭୦ ଲିଟର ଜଳଯୋଗାଣ ଲକ୍ଷ୍ୟରେ ୨୦୨୪ ସୁଦ୍ଧା ରାଜ୍ୟ ସରକାର ସବୁ ଘରକୁ ପାଇପ୍ ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୧୦ଟି ବ୍ଲକ୍ ଓ ୩ଟି ଏନ୍‌ଏସିକୁ ମେଗା ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ନୟାଗଡ଼ ଜିଲ୍ଲା ଗଣିଆ ନିକଟରୁ ମହାନଦୀରୁ ପାଣି ଅଣାଯିବ। ଏଥିପାଇଁ ୧୯ ଶହ ୩୭ କୋଟି ୮ ଲକ୍ଷ ୪୮ ହଜାର ୭୯୧ ଟଙ୍କା ବ୍ୟୟଅଟକଳ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬ ଶହ ୭୭ କୋଟି ୬୮ ଲକ୍ଷ ଟଙ୍କା ପାଇଁ ଟେଣ୍ଡର୍ ପ୍ରକ୍ରିୟା ଶେଷ ହୋଇଛି। ଆଉ କ୍ୟାବିନେଟ୍‌ର ନିଷ୍ପତ୍ତି ପରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

publive-image Down To Earth

ଭଞ୍ଜନଗର ଆରଡବ୍ଲୁଏସଏସ୍ ବିଭାଗ ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଆସିକା, ପୋଲସରା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବୁଗୁଡ଼ା ଓ ପୁରୁଷୋତ୍ତମପୁର ବ୍ଲକ୍ ଏବଂ କୋଦଳା, ବୁଗୁଡ଼ା ଓ ବେଲଗୁଣ୍ଠା ଏନ୍‌ଏସିର ଜନସାଧାରଣ ଉପକୃତ ହେବେ। ଯେଉଁଠି ବିଦ୍ୟୁତ୍‌ ସୁବିଧା ନାହିଁ, ସେଠାରେ ସୋଲାର୍ ମାଧ୍ୟମରେ ଜଳଯୋଗାଣ ହେବ। ଆଗାମୀ ୩୦ ବର୍ଷକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ଗଣିଆ ନିକଟ ମହାନଦୀରୁ ପାଣି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ, ଉକ୍ତ ସ୍ଥାନରେ କୁମ୍ଭୀର ରହୁଥିବାରୁ ବଡ଼ ଟର୍ବାଇନ୍ ପମ୍ପ୍ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଥିଲା। ଫଳରେ ଆରଡବ୍ଲୁଏସଏସ୍, ଜଳସମ୍ପଦ ଓ ବନ ବିଭାଗ ଅଧିକାରୀମାନେ ପରିଦର୍ଶନ କରି ଗଣିଆରୁ ସିଦ୍ଧମୂଳ ଆଡ଼କୁ କିଛି ଦୂରକୁ ସ୍ଥାନ ପରିଦର୍ଶନ କରିଛନ୍ତି।

‌ମହାନଦୀରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରି ପାଇପ୍‌ ଯୋଗେ ପାଣି ଯୋଗାଣ ହେବ। ଏଥିପାଇଁ ଦଶପଲ୍ଲା ଓ ଜଗନ୍ନାଥପ୍ରସାଦ ବ୍ଲକ୍‌ର ସୀମାନ୍ତ ଅଞ୍ଚଳ ଗାୟାଗଣ୍ଡା ନିକଟରେ ଜଳ ବିଶୋଧାନାଗାର ନିର୍ମାଣ ହେବ। ସେଠାରୁ ବିଶୁଦ୍ଧ ପାଣି ପାଇପ୍ ଯୋଗେ ବ୍ଲକ୍ ଓ ଏନ୍‌ଏସିକୁ ଯାଇ ସେଠାରେ ନିର୍ମିତ ସମ୍ପ୍‌ରେ ଗଚ୍ଛିତ ରହିବ। ସେଠାରୁ ଓଭରହେଡ୍ ଟାଙ୍କି ଦ୍ବାରା ବିଭିନ୍ନ ଗ୍ରାମକୁ ଜଳଯୋଗାଣ ହେବ। ମହାନଦୀରେ ହେବାକୁ ଥିବା ମୁଖ୍ୟ ପମ୍ପହାଉସ୍‌ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ୩୧୪ କୋଟି ୩୧ ଲକ୍ଷ ଟଙ୍କା, ଜଳ ବିଶୋଧାନଗାର ପାଇଁ ୧୧୭ କୋଟି ୬ ଲକ୍ଷ ଟଙ୍କା, ପାଇପ୍‌ ବିଛାଇବା ପାଇଁ ୯୫୬ କୋଟି ୧୨ ଲକ୍ଷ ଟଙ୍କା, ପାଣିଟାଙ୍କି ପାଇଁ ୧୨୮ କୋଟି ୪୭ ଲକ୍ଷ ଟଙ୍କା, ବିଦ୍ୟୁତ୍‌ କାର୍ଯ୍ୟ ପାଇଁ ୩୯୮ କୋଟି ୨୦ ଲକ୍ଷ ଟଙ୍କା, ଘରୋଇ ପାଇପ୍‌ ସଂଯୋଗ ପାଇଁ ୩୧ କୋଟି ୪୨ ଲକ୍ଷ ଟଙ୍କା, ଜମି ଅଧିଗ୍ରହଣ ପାଇଁ ୨୫ କୋଟି,‌ ସୋଲାର୍ ପାୱାର ପ୍ଲାଣ୍ଟ୍ ପାଇଁ ୧୩ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏଥିସହ ଟେଣ୍ଡର ନେଇଥିବା କମ୍ପାନି ଏହି ମେଗା ପ୍ରକଳ୍ପର ୫ ବ‌ର୍ଷ ପର୍ଯ୍ୟନ୍ତ ରକ୍ଷଣା‌ବେକ୍ଷଣା କରିବାକୁ ୧୦୪ କୋଟି ୫୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି।