ବିପଦ ସଙ୍କେତ ଉପରେ ମହାନଦୀ, ଅନ୍ୟ ସବୁ ନଦୀର ଜଳସ୍ତର କମୁଛି

ଭୁବନେଶ୍ବର : ବର୍ଷା କମିବା ସହ ହୀରାକୁଦ ଜଳଭଣ୍ଡା‌ର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୨୩.୬୦ ମିଟର ରହିଛି। ଉପରମୁଣ୍ଡରେ ବର୍ଷା ପରିମାଣ ହ୍ରାସ ପାଇଥିବାରୁ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରିବା ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ନଦୀର ଜଳସ୍ତର ଗତକାଲି ଅପେକ୍ଷା ହ୍ରାସ ପାଇଛି। ମହାନଦୀର ଜଳସ୍ତର ନରାଜଠାରେ ବିପଦସଙ୍କେତ ୨୬.୪୧ ମିଟର ଉପରେ ପ୍ରବାହିତ ହେଉଛି। ଅପରାହ୍ନ ୩ଟା ବେଳେ ଏଠାରେ ଜଳସ୍ତର ୨୭ ମିଟରରେ ପହଞ୍ଚିଥିଲା। ମାତ୍ର ସନ୍ଧ୍ୟା ବେଳକୁ ୨୬.୯୮ ମିଟରକୁ କମିଛି। ମହାନଦୀର ଶାଖା ନଦୀ ଓ ଉପ ନଦୀରେ ମଧ୍ୟ ଜଳସ୍ତର ବିପଦସଙ୍କେତ ଉପରେ ଆଜି ବି ପ୍ରବାହିତ ହେଉଛି। ଆସନ୍ତା ଦୁଇ ଦିନ ଓଡ଼ିଶାର ଲଘୁଚାପ ଜନିତ ବର୍ଷା ହେବାକୁ ଥିବାରୁ ନଦୀଗୁଡ଼ିକର ଜଳସ୍ତର ପୁଣିଥରେ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେବୀ, କୁଶଭଦ୍ରା, ଇବ୍‌, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣ‌ରେଖା, ବଂଶଧାରା, ରୁଷିକୂଲ୍ୟା, ଜଳକା ନଦୀର ଜଳସ୍ତର ଏବେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ଯେ ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିଛି। ହୀରାକୁଦ ଜଳ ମିଶିବା ପରେ ମୁଣ୍ଡଳୀରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ମୁଣ୍ଡଳୀରେ କିପରି ୮ରୁ ୯ କ୍ୟୁସେକ୍ ଜଳ ପ୍ରବାହିତ ହେବ ସେନେଇ ଚେଷ୍ଟା କରିବୁ। ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି। ବର୍ଷା କମିବା ପରେ ଏହି ଘାଇର ମରାମତି କରାଯିବ। ଲଘୁଚାପ ପ୍ରଭାବରେ ୨୦ ଓ ୨୧ ତାରିଖରେ ମହାନଦୀର ଉପରମୁଣ୍ଡରେ ବର୍ଷା ହେବ। ୧୯ ଓ ୨୦ ତାରିଖରେ ମହାନଦୀରେ ତଳମୁଣ୍ଡରେ ବର୍ଷା ହେବ। ମହାନଦୀକୁ ଛାଡ଼ି ନେଲେ ଅନ୍ୟ ନଦୀମାନଙ୍କର ଜଳସ୍ତର କମୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର