ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀର ସମ୍ବିଧାନ କ୍ଲବ୍ରେ ଆସନ୍ତା ୧୩ ତାରିଖରେ ମହାନଦୀ ସଂସଦ ବସିବ। ଆଜି ଏନେଇ ଭୁବନେଶ୍ୱରସ୍ଥିତ ହୋଟେଲ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଘୋଷଣା କରାଯାଇଛି। ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି ଯେ ଏହି ସଂସଦରେ ଓଡ଼ିଶା, ଛତିଶଗଡ଼ରୁ ପ୍ରତିନିଧିମାନଙ୍କ ସହିତ ଦେଶର ବିଭିନ୍ନ ନଦୀର ସୁରକ୍ଷା ନେଇ କାର୍ଯ୍ୟରତ ନେତୃତ୍ବ, ମହାନଦୀ ଟ୍ରିବ୍ୟୁନାଲରେ ନିଯୁକ୍ତ ଅଧିବକ୍ତା, ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟର ଓକିଲ ତଥା ଦେଶର ବିଶିଷ୍ଟ ନଦୀ ବିଶେଷଜ୍ଞମାନେ ଯୋଗ ଦେବେ। ବିଜେପି, ବିଜେଡି, କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ନିବେଦନ କରାଯାଇଛି।
ପୂର୍ବରୁ ନଦୀ ଜଳ ବିବାଦ ନେଇ ଯେତେସବୁ ଟ୍ରିବ୍ୟୁନାଲ ହୋଇଛି ତାହା ସଫଳ ହୋଇନାହିଁ। କିନ୍ତୁ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ସରକାର ମଧ୍ୟସ୍ଥତା ଭିତ୍ତିରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ବାଗତ କରିବା ସହିତ କେବଳ ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏହାକୁ ସୀମାବଦ୍ଧ କଲେ ସୁଫଳ ମିଳିବ ନାହିଁ l ମହାନଦୀର ଜଳ ଓ ଏହାର ବେସିନ୍ ସହିତ ଜଡିତ ବିଭିନ୍ନ ବର୍ଗ ଓ ଗୋଷ୍ଠୀ, ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ବିଶେଷଜ୍ଞମାନଙ୍କ ଭିତରେ ମଧ୍ୟ ସହମତି ଆସିବା ଦରକାର। ସେଥିପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ପଦକ୍ଷେପ ନେବା ଜରୁରୀ। ମହାନଦୀ ସଂସଦରେ ଆପୋସ ସମାଧାନର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହେବ ଓ ଏହାର ସୁପାରିସଗୁଡ଼ିକୁ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଅନ୍ୟ ପକ୍ଷରେ ଏହି ସମ୍ମିଳନୀରେ ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି। ଓଡ଼ିଶାର ଆଡ୍ଭୋକେଟ ଜେନେରାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ‘ମହାନଦୀ ଜଳ ବିବାଦ ଏକ କୃତ୍ରିମ ବିବାଦ’। ଏଭଳି ବକ୍ତବ୍ୟ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପ୍ରକ୍ରିୟାର ପରିପନ୍ଥୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭାରତର ଜଳମାନବ ରାଜେନ୍ଦ୍ର ସିଂ, ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ମନୋଜ ଜେନା, ସଚ୍ଚିକାନ୍ତ ପ୍ରଧାନ, ପ୍ରସନ୍ନ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।