ଥମୁନି ମହାନଦୀ ରାଜନୀତି

ଭୁବନେଶ୍ୱର : ପୁଣି ମହାନଦୀ ବିବାଦ ଘନେଇଛି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଗତକାଲି ସଂସଦରେ ଏହି ପ୍ରସଙ୍ଗରେ ଉତ୍ତର ରଖିଲା ପରେ ରାଜନୀତିକୁ ସରଗରମ କରିବା ପାଇଁ ଏହା ଖୋରାକ ଯୋଗାଇଛି। ରାଜ୍ୟର ସବୁ ଦଳ ଏହି ପ୍ରସଙ୍ଗରେ ପରସ୍ପରକୁ ଘେରିଛନ୍ତି। ଛତିଶଗଡ଼ ପ୍ରକଳ୍ପ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହୋଇସାରିଥିବାରୁ ସାନି ଆଲୋଚନାରୁ ଫଳ ମିଳିବ ନାହିଁ ବୋଲି ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର କହିଥିଲା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଅପରପକ୍ଷରେ ଗତ ବିଧାନସଭା ଅଧିବେଶନରେ ମହାନଦୀ ପ୍ରସଙ୍ଗରେ ଗଢ଼ାଯାଇଥିବା ଗୃହ କମିଟି ପଛରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ବି ପ୍ରଶ୍ନ ଉଠିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଲେଖିଥିବା ଚିଠି ଆଜି ଗଣମାଧ୍ୟମକୁ ଆସିଛି। ଗତ ଦୁଇ ତାରିଖରେ ସେ ଲେଖିଥିବା ଏହି ଚିଠିରେ ନବୀନଙ୍କୁ ତାରିଖ ମାଗିଛନ୍ତି। ନବୀନ ଯେବେ ତାରିଖ ଦେବେ, ସେହି ଅନୁଯାୟୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସେ ସାକ୍ଷାତ ଆଲୋଚନା ପାଇଁ ବ୍ୟବସ୍ଥା କରିବେ ବୋଲି ଗଡ଼କରୀ କହିଛନ୍ତି। ସହଯୋଗୀ ସଂଘୀୟ ବ୍ୟବସ୍ଥା ଭାବନାରେ ଏହି ବିବାଦକୁ ସମାଧାନ କରିବା ପାଇଁ ଆଉ ଏକ ନିଷ୍ଠାପର ଉଦ୍ୟମ କରିବାକୁ ସେ ଅନୁରୋଧ କରିଛନ୍ତି।

ଚିଠିରେ ଗଡ଼କରୀ ଆହୁରି ଦର୍ଶାଇଛନ୍ତି, ଆନ୍ତଃରାଜ୍ୟ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ ଗଠନ ଫଳପ୍ରଦ ସମାଧାନ ଦେଇ ନାହିଁ। ଏପରିକି ରାବି, ବ୍ୟାସ ତଥା କାବେରୀ ନଦୀ ବିବାଦ ମାମଲାରେ ଯଥାକ୍ରମେ ୩୦ ଓ ୨୭ ବର୍ଷ ଧରି ବିବାଦର ସମାଧାନ ନ ହୋଇ ପଡ଼ି ରହିଛି। ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ୨୭.୪.୧୯୮୩ରେ ହୋଇଥିବା ବୁଝାମଣାରେ ମହାନଦୀ ନେଇ ବିବାଦକୁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ରାଜ୍ୟ ମଧ୍ୟରେ ନଦୀ ଜଳ ବିବାଦର ସମାଧାନ ପାଇଁ ନଦୀ ବୋର୍ଡ ଗଠନ କରାଯାଇଛି। ତେଣୁ ଓଡ଼ିଶା ମହାନଦୀ ବିବାଦର ଲମ୍ବା କଥାବାର୍ତ୍ତା ପାଇଁ ଛତିଶଗଡ଼ ସହ ନଦୀ ବୋର୍ଡ ସମ୍ପର୍କରେ ଚିନ୍ତା କରୁ।

ତେବେ ଛତିଶଗଡ଼ ନିର୍ମାଣ କାର୍ଯ୍ୟ ବନ୍ଦ ନ କଲେ ଆଲୋଚନା ସମ୍ଭବ ନୁହେଁ ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ ଆଜି ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଗଡ଼କରୀଙ୍କ ଆଲୋଚନା ପ୍ରସ୍ତାବ ନେଇ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଗଡ଼କରୀଙ୍କ ପ୍ରସ୍ତାବକୁ ନା ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ନା ଗ୍ରହଣ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ଆଜି ଗଣମାଧ୍ୟମରେ ରଖି ନାହାନ୍ତି।

ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବନ୍ଧ ବାନ୍ଧୁଥିବାରୁ ଓଡ଼ିଶା କ୍ଷତିଗ୍ରସ୍ତ ହୋଇସାରିଲାଣି। ମହାନଦୀରୁ ହୀରାକୁଦକୁ ଆସୁଥିବା ଉଦ୍‌ବୃତ୍ତ ଜଳ ଆଉ ଆସୁନାହିଁ। ଓଡ଼ିଶା ଅନ୍ୟାୟର ଶିକାର ହୋଇସାରିବା ପରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା, ତାହା କରାଯାଉ ନାହିଁ। ଟ୍ରିବ୍ୟୁନାଲ୍‌ ଗଠନ କଲେ କ୍ଷତି କ’ଣ ଜଣାପଡ଼ୁନି।

ସାନି ଆଲୋଚନା ପ୍ରସଙ୍ଗରେ ବିଜୟ କହିଛନ୍ତି, ପୂର୍ବରୁ ସଚିବ ସ୍ତରୀୟ ଓ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ବିଫଳ ହୋଇଛି। ତେଣୁ ଆଉ ଥରେ ଆଲୋଚନା କଲେ କିଛି ଫଳ ମିଳିବ ନାହିଁ। ଯଦି କେନ୍ଦ୍ର ସରକାର ବାତାବରଣ ସୃଷ୍ଟି କରନ୍ତି, ତେବେ ଫଳ ମିଳିପାରେ।

ସଂସଦରେ ଗଡ଼କରୀଙ୍କ ମନ୍ତବ୍ୟ ସମ୍ପର୍କରେ ବିଜୟ କହିଛନ୍ତି, ନୀତିନ ଗଡ଼କରୀ ଜଣେ ଦକ୍ଷ ମନ୍ତ୍ରୀ। କିନ୍ତୁ ତାଙ୍କ ମନ୍ତବ୍ୟରେ କିଛି ସ୍ପଷ୍ଟ ନ ଥିଲା ପରି ମନେ ହେଉଛି। ତାଙ୍କୁ ଜଳସମ୍ପଦ ମନ୍ତ୍ରଣାଳୟ ଓ ସିଡବ୍ଲ୍ୟୁସି ଠିକ୍‌ ଭାବେ ଅବଗତ କରାଇ ନାହାନ୍ତି। ଆଉ ବିଳମ୍ବ ନ କରି ବିଧାନସଭା ଗୃହ କମିଟି ତୁରନ୍ତ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସେ ଆହ୍ଵାନ ଦେଇଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଥରେ ସଂସଦରେ ଘୋଷଣା କଲେ ଯେ ଆଲୋଚନା ବିଫଳ ହୋଇଛି। ତାହା ଅର୍ଥ ଆଉ ଆଲୋଚନା କଲେ ଲାଭ ନାହିଁ। ତେଣୁ ପ୍ରଚଳିତ ଆଇନ୍‌ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ଏହା ପରେ ପୁଣି ଜଳସମ୍ପଦ ମନ୍ତ୍ରୀ ଆଲୋଚନା ପାଇଁ କହୁଛନ୍ତି। ଯାାହ ଜଣାପଡ଼ୁଛି ସେମାନେ ସମୟ ଗଡ଼ାଇବାକୁ ଚାହୁଁଛନ୍ତି। କେନ୍ଦ୍ର ନୂଆ ଆଇନ୍‌ ପ୍ରଣୟନ କରିବେ, ଯେଉଁଥିରେ ଓଡ଼ିଶାର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସମ୍ଭବ ହେବ ନାହିଁ।
ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ବିରୋଧୀ ଦଳ ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗୃହ କମିଟି ଗଠନ କରାଗଲା। କିନ୍ତୁ ଗୃହ କମିଟି ବୈଠକ ଏ ଯାଏଁ ଡକାଗଲାଣି କି ? ଗୃହ କମିଟି ଗଠନ ଏକ ପ୍ରହସନ ଥିଲା ନା ଆନ୍ତରିକତା ଥିଲା?

ବିଜେପି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ମହାନଦୀରେ ଯାହା ବି କ୍ଷତି ହୋଇଛି, ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ। ଦୀର୍ଘ ୧୦ ବର୍ଷ ପୂର୍ବରୁ ଛତିଶଗଡ଼ ଡ୍ୟାମ ନିର୍ମାଣ କରିବା ସମୟରେ ରାଜ୍ୟ ସରକାର କାହିଁକି ଚୁପ୍‌ ହୋଇ ବସିଥିଲେ ? ରାଜ୍ୟ ସରକାର ଏ କଥା ବି କହିଥିଲେ ଯେ ଛତିଶଗଡ଼ ସରକାର ମହାନଦୀ ଉପରେ ୧୦୦ଟି ଡ୍ୟାମ୍‌ ନିର୍ମାଣ କଲେ ମଧ୍ୟ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏବେ ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ କେନ୍ଦ୍ରକୁ ଦୋଷ ଠେଲୁଛନ୍ତି। ତେବେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଦେଇଥିବା ଆପୋସ ଆଲୋଚନା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ କି ନାହିଁ, ତାହା ସ୍ପଷ୍ଟ କରିବାକୁ ବିଜେପି ଆହ୍ଵାନ ଦେଇଛି।

ସମ୍ବନ୍ଧିତ ଖବର