ସମ୍ବଲପୁରରେ ମହାନଦୀ ଦୂଷିତ, ମିଶୁଛି ତିନି ସହରର ନର୍ଦ୍ଦମା ପାଣି

ସ୍ବେରେଜ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆସିପାରେ ସୁଧାର

ସମ୍ବଲପୁର : ହୀରାକୁଦ ବନ୍ଧର ତଳମୁଣ୍ଡରେ ବହୁଦୂର ପର୍ଯ୍ୟନ୍ତ ମହାନଦୀର ପାଣି ବର୍ଷତମାମ ଅତ୍ୟନ୍ତ ପ୍ରଦୂଷିତ ହୋଇରହୁଛି। ବିଶେଷକରି, ହୀରାକୁଦରୁ ବାହାରିବା ପରେ ଏହାର ୧୦ କିଲୋମିଟର ତଳେ ଥିବା ସମ୍ବଲପୁର ସହର ସଂଲଗ୍ନ ମହାନଦୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଠି ମହାନଦୀର ସ୍ଥିତି ମୁଖ୍ୟତଃ ହୀରାକୁଦ ପାଣି ଉପରେ ନିର୍ଭର କରେ। ହୀରାକୁଦରୁ ପାଣି ଛାଡ଼ିଲେ ମହାନଦୀ ଫୁଲେ, ନଚେତ ବର୍ଷସାରା ପ୍ରାୟତଃ ଶୁଖିଲା। ହୀରାକୁଦ ଗେଟ୍‌ ବନ୍ଦ ଥିବାସମୟରେ ମହାନଦୀରେ ଯେଉଁ ଅଳ୍ପ ପାଣି ଥାଏ, ତାହା ଅତ୍ୟନ୍ତ ଦୂଷିତ ଓ ବ୍ୟବହାର ଅନୁପଯୋଗୀ। ଏଠି ବର୍ଷତମାମ ମହାନଦୀ ପାଣି ‘ସି ବା ‘ଡି ଗ୍ରେଡ୍’ ମାନର ଯାହା ଗାଧୋଇବା ପାଇଁ ଅନୁପଯୁକ୍ତ। ଖରାଦିନେ ପାଣି ସବୁଠୁ ଅଧିକ ଦୂଷିତ ହୁଏ ଓ ଏହାର ମାନ ‘ଡି ଗ୍ରେଡ୍’ ରହିଥାଏ।

ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରର ସବୁ ଯାକ ନର୍ଦ୍ଦମା ପାଣି ମହାନଦୀରେ ମିଶୁଛି। ସମ୍ବଲପୁରରୁ ହୀରାକୁଦ ମଧ୍ୟରେ ୬ଟି ସ୍ଥାନରେ ଏହି ତିନି ସହରର ବର୍ଜ୍ୟ ଜଳ ନଦୀଶଯ୍ୟାରେ ପଡ଼ୁଛି। ମହାନଦୀରେ ଥିବା ପତଳା ଧାରରେ ଏହି ଅସନା ପାଣି ମିଶିବାପରେ ନଈ ପାଣି ଅତ୍ୟନ୍ତ ଦୂଷିତ ହୋଇଯାଉଛି। ସହରାଞ୍ଚଳରେ ବର୍ଜ୍ୟ ଜଳ ବିଶୋଧନ କରିବାକୁ ନିୟମ ରହିଥିଲେ ବି ସମ୍ବଲପୁର କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ।

ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନଥିଲାବେଳେ ମହାନଦୀ ସବୁ ପ୍ରକାର ବର୍ଜ୍ୟ ଜଳର ଏକମାତ୍ର ନିଷ୍କାସନସ୍ଥଳ ପାଲଟିଛି। କେବଳ ବର୍ଜ୍ୟ ଜଳ ନୁହେଁ, ସହରରୁ ନିର୍ଗତ ଶୁଷ୍କ ଆବର୍ଜନା ମଧ୍ୟ ମହାନଦୀ ଶଯ୍ୟାରେ ପକାଇ ଦିଆଯାଉଛି। ଲକ୍ଷ୍ମୀ ଡୁଙ୍ଗୁରୀ ନିକଟସ୍ଥ ମହାନଦୀ ଶଯ୍ୟା ଅଘୋଷିତ ଡମ୍ପିଂ ୟାର୍ଡ ପାଲଟିଛି। ପ୍ଲ‌ାଷ୍ଟିକ୍ ବର୍ଜ୍ୟ ସମେତ ମୃତ ଗାଈ, କୁକୁର ଆଦି ପ୍ରାଣୀଙ୍କ ପଚାସଢ଼ା ଶରୀର ମଧ୍ୟ ସେଠାରେ ପକାଇ ଦିଆଯାଉଛି। ବିଭିନ୍ନ ଘରୋଇ କଳ କାରଖାନା, ବ୍ୟବସାୟ ପ୍ରତିଷ୍ଠାନ ରାତାରାତି ସେମାନଙ୍କ ଆବର୍ଜନା ଗୁଡ଼ିକ ନେଇ ମହାନଦୀ ପଠାରେ ପକାଉଛନ୍ତି। ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ଓ ଭଗ୍ନାବଶେଷ ମଧ୍ୟ ନଦୀ ଶଯ୍ୟାରେ ପାହାଡ଼ ପରି ଗଦା କରି ଦିଆ ଯାଉଛି। ହୀରାକୁଦରୁ ବନ୍ୟା ଜଳ ଛଡ଼ା ଯିବା ମାତ୍ରେ ଏହି ସବୁ ମଇଳା ବଢ଼ି ପାଣିରେ ମିଳାଇ ତଳ ମୁଣ୍ଡକୁ ଯାଉଛି ଓ ନଈକୁ ପ୍ରଦୂଷିତ କରୁଛି। ବର୍ତ୍ତମାନ ବି ଲୋକଙ୍କ ଖୋଲାରେ ଶୌଚ କରିବା ଅଭ୍ୟାସ ଯାଇନାହିଁ। ବ୍ୟାପକ ସଚେତନତା ଓ ସାଧାରଣ ଶୌଚାଳୟ ନିର୍ମାଣ ସତ୍ତ୍ବେ ହଜାର ହଜାର ଲୋକ ଆଜି ବି ନଈକୂଳରେ ଶୌଚ ଅଭ୍ୟାସ ଛାଡ଼ି ନାହାନ୍ତି।

ସହରର ବର୍ଜ୍ୟ ଜଳ ବ୍ୟତୀତ ହୀରାକୁଦରେ ଥିବା ବୃହତ ଶିଳ୍ପ ସଂସ୍ଥାର ବର୍ଜ୍ୟ ଜଳ ମଧ୍ୟ ମହାନଦୀରେ ମିଶୁଥିବା ଅଭିଯୋଗ ହୁଏ। ହୀରାକୁଦର ନର୍ଦ୍ଦମା ନିଷ୍କାସନ ହେଉଥିବା ନାଳରେ ଏହି କାରଖାନା ପାଣି ମିଶାଇ ଦିଆ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କୌଣସି ଶିଳ୍ପର ବର୍ଜ୍ୟ ଜଳ ମହାନଦୀରେ ମିଶୁ ନାହିଁ। ଶିଳ୍ପ କାରଖାନା ଗୁଡ଼ିକ ବ୍ୟବହାର କରୁଥିବା ଜଳକୁ କାରଖାନା ମଧ୍ୟରେ ବିଶୋଧନ କରି ପୁଣି ବ୍ୟବହାର କରିଥାଆନ୍ତି। କିନ୍ତୁ ସହରାଞ୍ଚଳ ନର୍ଦ୍ଦମା ପାଣି ନିଷ୍କାସନ ଯୋଗୁଁ ହିଁ ହୀରାକୁଦରୁ ସମ୍ବଲପୁର ମଧ୍ୟରେ ମହାନଦୀ ଜଳ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ତେଣୁ ତିନି ସହରରୁ ନିର୍ଗତ ଜଳର ବିଶୋଧନ କରି ନଈରେ ଛଡ଼ାଗଲେ, ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଅବଶ୍ୟ ଶୀଘ୍ର ସ୍ବେରେଜ୍‌ ପ୍ରକଳ୍ପର ଆଂଶିକ କମିସନିଂ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି। ଏହା ହେବାପରେ ବିନାଖଣ୍ଡିଠାରେ ମହାନଦୀରେ ମିଶୁ ଥିବା ନର୍ଦ୍ଦମା ଜଳକୁ ଆଉ ନଦୀର ଛଡ଼ା ନଯାଇ କମିସନର୍‌ କଲୋନି ପମ୍ପିଂ ଷ୍ଟେସନ୍‌ରୁ ପମ୍ପିଂ କରି ଭତରାସ୍ଥିତ ଏସ୍‌ଟିପିକୁ ପଠାଯିବ। ସେଠାରେ ବିଶୋଧନ ପରେ ତାହା ନଦୀକୁ ଛଡ଼ାଯିବ ବୋଲି କୁହାଯାଉଛି। ଏହା ହେଲେ ନଦୀ ପାଣିର ମାନରେ କେତେ ସୁଧାର ଆସିବ ଜଣାପଡ଼ିବ।

ସମ୍ବନ୍ଧିତ ଖବର