ରତ୍ନାକର ଭୋଇ
ସମ୍ବଲପୁର: ଏକଦା ମହାନଦୀର ସ୍ବଚ୍ଛ ନିର୍ମଳ ଜଳରାଶିକୁ ଦେଖି ପ୍ରସିଦ୍ଧ ସମ୍ବଲପୁରୀ କବି ସତ୍ୟନାରାୟଣ ବହିଦାର ଲେଖିଥିଲେ ‘ସମ୍ବଲପୁରର୍ ମାଟିପାନି ଝର୍ସି ହୀରାନୀଲା..’। ଆଜି ସେହି ସ୍ଥିତି ନାହିଁ। ଓଡ଼ିଶାର ଜୀବନରେଖା ମହାନଦୀ ପାଣି ସମ୍ବଲପୁରରୁ କଟକ, ପାରାଦୀପ ପର୍ଯ୍ୟନ୍ତ ସବୁଠି ପ୍ରଦୂଷିତ। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ସମେତ ଚାରି ପାର୍ଶ୍ବ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଗଢ଼ିଉଠଛି ଅନେକ କଳକାରଖାନା। ଏସବୁର ବର୍ଜ୍ୟ ହୀରାକୁଦ ଡ୍ୟାମ୍ ଜଳରେ ମିଶୁଛି। ନିର୍ଗତ ବିଷାକ୍ତଜଳ ବିଶୋଧନ କରିବାକୁ କାରଖାନାଗୁଡ଼ିକରେ ବ୍ୟବସ୍ଥା ରହିଛି। ବିଶୋଧନ ପରେ ହିଁ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପାଳନ କରାଯାଉନାହିଁ ବୋଲି ଏଭଳି ସ୍ଥିତି ହୋଇଛି। ଛୋଟବଡ଼ ନାଳ ଦେଇ କାରଖାନାଗୁଡ଼ିକର ଦୂଷିତ ପାଣି ହୀରାକୁଦ ଜଳଭଣ୍ଡାରରେ ମିଶୁଛି। ଏହାର ପ୍ରଭାବ ଜଳଭଣ୍ଡାରର ମାଛବଂଶ ଉପରେ ପଡ଼ୁଛି। ଅନେକ ପ୍ରଜାତିର ମାଛ ଏବେ ଆଉ ମିଳୁନାହାନ୍ତି।
ସମ୍ବଲପୁରରେ ୧୪ଟି ଜାଗାରେ ମିଶୁଛି ନାଳପାଣି
ଲୋପ ପାଇଗଲେଣି ଅନେକ ପ୍ରଜାତିର ମାଛ
ମୁଖ୍ୟ ଆବର୍ଜନା ଜଳ ନିଷ୍କାସନ ପଥ ଧୋବିଯୋର ସମେତ ୧୪ଟି ଛୋଟବଡ଼ ନାଳ ଜରିଆରେ ସମ୍ବଲପୁର ସହରର ଆବର୍ଜନା ପାଣି ମହାନଦୀରେ ମିଶୁଛି। ସମ୍ବଲପୁରରେ ସ୍ବେରେଜ୍ ପ୍ଲାଣ୍ଟ କାମ ଦୀର୍ଘ ୭ ବର୍ଷରୁ ସରୁନି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ସତ୍ୟନାରାୟଣ ନନ୍ଦ କହିଛନ୍ତି, ଜଳପ୍ରବାହ ସମୟରେ ମହାନଦୀର ପାଣି ସ୍ବଚ୍ଛ ଅର୍ଥାତ୍ ବ୍ୟବହାରଯୋଗ୍ୟ ରହୁଛି। ମୁଖ୍ୟତଃ ମାର୍ଚ୍ଚରୁ ଜୁନ ମଧ୍ୟରେ ମହାନଦୀ ଜଳସ୍ତର ‘ସି’ ବର୍ଗରୁ ଚାଲିଯାଉଛି, ଯାହା ବ୍ୟବହାର ପାଇଁ ଆଦୌ ଉପଯୋଗୀ ନୁହେଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/djdgjcb-2025-11-14-01-03-13.jpg)