ମହାନଦୀ ଶଯ୍ୟାକୁ ପୋତି ବିପଦକୁ ଡାକୁଛନ୍ତି!

ଏନ୍‌ଜିଟି ନିର୍ଦ୍ଦେଶକୁ ଖାତିର୍‌ ନାହିଁ
ପୋତା ଚାଲିଛି କଟକର ଜୀବନରେଖା
ନଦୀଶଯ୍ୟାରେ ଚାଲିଛି ସହରର ବିକାଶ

କଟକ : ମହାନଦୀ, କାଠ‌ଯୋଡ଼ି ଶଯ୍ୟାକୁ ପୋତି କଟକ ସହର ପାଇଁ ବିପଦକୁ ବରଣ କରାଯାଉଛି କି? ନଦୀଶଯ୍ୟାରେ ସହରର ବିକାଶ ପାଇଁ ଯେଉଁଭଳି ଭାବେ କଟକର ଜୀବନରରେଖା କୁହାଯାଉଥିବା ମହାନଦୀ ଓ କା‌ଠଯୋଡ଼ି ଶଯ୍ୟାକୁ ପୋତାଚାଲିଛି, ସେଥିରୁ ସାଧାରଣରେ ଏହିଭଳି ପ୍ରଶ୍ନ ଉଙ୍କି ମାରିଛି।

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଚ ମେଡିକାଲ କ‌ଲେଜ(ଏସ୍‌ସିବି)ର ନବକଳେବର କରାଯିବ। ଏମ୍‌ସ ପ୍ଲସ ଢାଞ୍ଚାରେ ଏହି ବୃହତ୍‌ କ୍ୟାମ୍ପସରେ ବିଶ୍ବସ୍ତରୀୟ ଚିକିତ୍ସ‌ା ସୁବିଧା ମିଳିବ। ୧୭୫ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ୨୦୨୪ ସୁଦ୍ଧା ସରିବ। ସେହିଭଳି ବରଫି (ବାଲିଯାତ୍ରା ରିଭର୍‌ ଫ୍ରଣ୍ଟ ପ୍ରୋଜେକ୍ଟ)ରେ ମଧ୍ୟ ବହୁବିଧ ବିକାଶ ହେବ। ଏଥିପାଇଁ ଗତ କିଛିମାସ ହେବ ମହାନଦୀର ଶଯ୍ୟାକୁ ବାଲିରେ ପୋତାଯାଉଛି। ବାଲିଯାତ୍ରା ପଡ଼ିଆକୁ ମଧ୍ୟ ବାଲିରେ ପୂରଣ କରାଯାଉଛି। ପାଖାପାଖି ୬ ଫୁଟ ଉଚ୍ଚର ବାଲି ପୋତାଯାଇ ମହାନଦୀ ଶଯ୍ୟା ପୋତା କାମ ସରିବା ଉପରେ। ମହାନଦୀ ପଠାରେ ସମୁଦ୍ର ବେଳାଭୂମିର ଭ୍ରମ ସୃଷ୍ଟି କରୁଥିବା ଏ ବିକାଶର ବିପରୀତ ଦିଗକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।

କିଛି କଟକବାସୀ ପ୍ରଶ୍ନ କରିଛନ୍ତି , କଟକର ବିକାଶ ହେଉ, ମାତ୍ର ବିକାଶ ଆଳରେ ନଦୀପଠାରେ କଂକ୍ରିଟ ସହର ଗଢ଼ି ଉଠିବା କେତେ ଯୁକ୍ତିଯୁକ୍ତ? ଆହୁରି ମଧ୍ୟ ଦାବି ଉଠୁଛି ଯେ, ସହରର ଜୀବନରେଖା ନ ବଦଳାଯାଉ। ସେମିତି ‌ହେଲେ, ହଜାର ବର୍ଷର ସହର ବିପଦ ମୁହଁକୁ ଠେଲି ହୋଇଯିବା ନେଇ ଆଶଙ୍କା ରହିବ। କେବଳ ମହାନଦୀ ନୁହେଁ, ବର୍ଷ ବର୍ଷ ଧରି କାଠଯୋଡ଼ି ନଦୀପଠାକୁ ପୋତି ଦିଆଯାଉଛି। ଶଯ୍ୟା ପୋତା ହେଲେ ନଦୀର ଗତିରୋଧ ‌ହେବ। ନଦୀର ଗତିପଥ ବଦଳିଯିବ। ‌ଅପରପ‌ାର୍ଶ୍ବ କୂଳ ଖାଇବ। ବନ୍ୟା ସମୟରେ ପ୍ରବାହିତ ଜଳ ସମାନ ସ୍ରୋତରେ ଯାଇପାରିବନି। ଏଠାରେ ଯେଉଁ ନିର୍ମାଣ ହେବ, ରାମ ମନ୍ଦିର ସରାୟୁ ନଦୀ ଭଳି ଭୁଶୁଡିବ।

ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି , ପୋତାଯାଇଥିବା ବାଲି ଡ୍ରେଜିଂ ଫଳ ଶୂନ୍ୟ ହେବନି ତ? ନଦୀରୁ ‌ ଖୋଳାଯାଇଥିବା ବାଲି ସେହି ନଦୀଶଯ୍ୟାରେ ପକାଯାଉଥିବାରୁ ଶହ ଶହ କୋଟି ଟଙ୍କା ଅକାରଣେ ବରବାଦ ହୋଇଯିବନି ତ? ଏଭଳି ଅନେକ ପ୍ରଶ୍ନ ବିଶେଷଜ୍ଞମ‌ାନେ ଉଠାଇଛନ୍ତି।

ପୂର୍ବରୁ ଅନ୍ୟ ଏକ ପ୍ରସଙ୍ଗରେ ଏନ୍‌ଜିଟି ନିର୍ଦ୍ଦେଶକ୍ରମେ ଗଠିତ କମିଟି ମହାନଦୀ ଶଯ୍ୟାରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିସାରିଥିଲା। ୨୦୨୦, ଜୁଲାଇ ମାସରେ ଏନଜିଟିଙ୍କ ନିର୍ଦ୍ଦେଶରେ ଗଠିତ କମିଟି କଟକ ଉପ-ଜିଲ୍ଲାପାଳ, କିଶନନଗର ତହସିଲଦାର, ସାଲେପୁର ବିଡିଓ ଓ ଅନ୍ୟ ଅଧିକାରୀମାନେ ପଞ୍ଚମୁଖୀ ହନୁମାନ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଏନ୍‌ଜିଟିଙ୍କ ନିକଟରେ କମିଟି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ମହାନଦୀ ଶଯ୍ୟାରେ ମନ୍ଦିର ନିର୍ମାଣ ବେଆଇନ। ଏଭଳି ନିର୍ମାଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ ମାର୍କଟ କଂପ୍ଲେକ୍ସ, ପାଇଖାନା ଇତ୍ୟାଦି ନଦୀଶଯ୍ୟାରେ ନିର୍ମାଣ କରାଯାଇ ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ନଦୀଶଯ୍ୟାରେ ଜବରଦଖଲ ଓ ନିର୍ମାଣ ଦ୍ବାରା ବନ୍ୟାଜଳ ପ୍ରବାହିତ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ନଦୀଜଳ ପ୍ରବାହର ଗତିପଥ ପରିବର୍ତ୍ତନ ହେବା ସହିତ ଭବିଷ୍ୟତରେ ଆଖପାଖ ଗାଁ ଓ ଅଞ୍ଚଳରେ ବନ୍ୟାଜଳ ପ୍ରବେଶର ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା।

ଏହି ସମାନ ପ୍ରସଙ୍ଗରେ ଏସ୍‌ସିବି ପାଇଁ ନିର୍ମାଣ ଅନୁମତି କିଭଳି ମିଳିବ , ତାକୁ ନେଇ ପ୍ରଶ୍ନ ଉଠିଛି। ନଦୀଶଯ୍ୟାରେ ନିର୍ମାଣ ବେଆଇନ ବୋଲି କହିବା ପ‌ରେ ବର୍ଫି ‌ଯୋଜନାର ସଫଳ ରୂପାୟନକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। କେବଳ ମହାନଦୀ ନୁହେଁ, ସେପ‌ଟେ କାଠଯୋଡ଼ି ନଦୀଶଯ୍ୟାକୁ ମଧ୍ୟ ମନଇଚ୍ଛା ପୋତାଚାଲିଛି। କାଠଯୋଡ଼ି ନଦୀର ଖାନ୍‌ନଗର ବିଶ୍ବନାଥ ପାର୍କ ସମ୍ମୁଖ ନଦୀପଠାକୁ ଆବର୍ଜନା ପକାଇ ପୋତି ଦିଆଯାଇଛି। ସେଠ‌ାରେ ଏକାଧିକ ପାର୍କ ନିର୍ମାଣ କରାଯାଇଛି। ସେହିଭଳି କେଉଁଠି ପାର୍କିଂ ପାଇଁ ପଠା ପୋତାହେଉଛି ତ ଆଉ କେଉଁଠି ଶହ ଶହ ବେଆଇନ ନିର୍ମାଣ କରାଯାଉଛି। ଦୁଇ ନଦୀ ମଝିରେ କଟକ ସହରର ବିକାଶର ଅନ୍ତରାଳେ ବିନାଶ ମୁହଁକୁ ଯିବା ଆଶଙ୍କା ଦେଖାଦେଇଛି। ମହାନଦୀପଠାରେ ପ୍ରସ୍ତାବିତ ଉନ୍ନୟନମୂଳକ କାର୍ଯ୍ୟ ବେଳେ ନିୟମ କଡ଼ାକଡ଼ି ପାଳନ ଉପରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ(ଏନ୍‌ଜିଟି) ମଧ୍ୟ ପୂର୍ବରୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ବଡ଼ ମେଡିକାଲ ଓ ବାଲିଯାତ୍ରା ପଡ଼ିଆ ନିକଟରେ ମହାନଦୀ ଶଯ୍ୟ‌ାରେ ନିର୍ମାଣ ବେ‌ଳେ ଯେପରି କୌଣସି ନିୟମ ଉଲ୍ଲଂଘନ ନ ହେବ , ସେ ନେଇ ଏନ୍‌ଜିଟି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପଠାରେ ପ୍ରସ୍ତାବିତ ଏସ୍‌ସିବି ମେଡିକାଲ କଲେଜର ନୂଆ କୋଠା ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଯେପରି ଆଇନ ଅନୁସାରେ କରାଯାଏ, ତାହା ସୁନିଶ୍ଚିତ କରିବା ପାଇଁ କମିଟି ଏହି ପ୍ରସଂଗକୁ ବିଚାରକୁ ନେବା ସହିତ ଏଥିପାଇଁ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ଏହି ମାନଦଣ୍ଡ ଅନୁସାରେ ବନ୍ୟାଜଳ ପ୍ରବାହିତ ହେଉଥିବା ଅଞ୍ଚଳ ଚିହ୍ନଟ କରାଯିବା ସହିତ ସୀମା ନିରୂପଣ କରାଯିବ। ନଦୀ ଦାଢ଼ରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ମହାନଦୀର ସକ୍ରିୟ ବନ୍ୟାଜଳ ପ୍ରବାହିତ ଅଞ୍ଚଳ ରହିଛି, ତାହା କମିଟି ପକ୍ଷରୁ ନିରୂପଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ଏହା ଚିହ୍ନଟ ନହେଲେ କାମ ଆଗକୁ ଆଗେଇ ପାରିବ ନାହିଁ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର