ରାଜନୀତିର ଚକ୍ରବ୍ୟୂହରେ ମହାନଦୀ

ସମସ୍ତେ ଚିତ୍କାର କଲେ, ଏବେ ଶୋଇଗଲେ, ବିପଦରେ ୧୬ ଜିଲ୍ଲାର ଲକ୍ଷଲକ୍ଷ ଜୀବନ

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ‘‘କେଉଁ ଅବସ୍ଥାରେ ମହାନଦୀ ଜଳକୁ ରାଜଧାନୀ ଅଣାଯାଉଛି, ଏକଥା ସମସ୍ତେ ଜାଣିବା ଦରକାର। ତାହାହେଲେ ମହାନଦୀର ପ୍ରଭାବ କେତେ ଭୟଙ୍କର, ତାହା ଯେ କେହି ହୃଦୟଙ୍ଗମ କରିପାରିବେ। କୁଆଖାଇ ନଦୀରେ ବାଲିବନ୍ଧ ପକାଇ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଭୁବନେଶ୍ୱରର ପାନୀୟ ଜଳ ବ୍ୟବହାର ପାଇଁ ପାଣି ଅଣାଯାଉଛି। କେନାଲରୁ ଦୈନିକ ୨୦୦ କ୍ୟୁସେକ୍ ପାଣି ଆସିଲେ, ରାଜଧାନୀବାସୀ ପାଣି ପିଉଛନ୍ତି। ଦିନ ଆସିବ, ରାଜଧାନୀରେ ବାସନ ମାଜିବାକୁ ବି ପାଣି ମିଳିବନି।’’

ମହାନଦୀ ସଂକ୍ରାନ୍ତରେ ବିଧାନସଭାରେ ଯେଉଁ ଆଲୋଚନା େହାଇଥିଲା, ସେ ସମୟରେ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ। ଏକଥା ବି ଡରାଇଥିଲେ ଯେ ମହାନଦୀ ସମେତ ଏହାର ବିଭିନ୍ନ ଶାଖା ନଦୀ ମାନଙ୍କରେ ଦୈନିକ ସନ୍ତୁଳନ ବ୍ୟାହତ ହେଲାଣି। ଦୟା, ଭାର୍ଗବୀ ନଦୀରେ ପାଣି ବୋହିବା ଆଶାତୀତ ଭାବେ କମିଯାଉଛି। ଚିଲିକାକୁ ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ଫଳରେ ଚିଲିକାର ଜୈବ ବିବିଧତା ଆଜି ସଙ୍କଟାପନ୍ନ। ଏଣୁ ମହାନଦୀ ଉପରେ ଚାଲୁ ରହିଥିବା ସମସ୍ତ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ରାଜ୍ୟର ପ୍ରାଥମିକତା।

ଦୁଇବର୍ଷ ତଳେ ମନ୍ତ୍ରୀଙ୍କର ଏଭଳି ବିବୃତି ସହିତ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ନେତାଙ୍କ ଉଦ୍‌ବେଗ ରାଜ୍ୟବାସୀଙ୍କ ମନରେ ଢେର୍ ଆଶା ସୃଷ୍ଟି କରିଥିଲା। ଗୋଟିଏ ମତ ତିଆରି ହେଉଥିଲା ଯେ ମହାନଦୀ ସମେତ ରାଜ୍ୟର ସମସ୍ତ ନଦୀର ସୁରକ୍ଷା ଏବେ ସରକାରଙ୍କ ମୁଖ୍ୟ କାର୍ଯ୍ୟ ଏବଂ ବିରୋଧୀ ମଧ୍ୟ ଏ କ୍ଷେତ୍ରରେ ପଛକୁ ହଟିବେ ନାହିଁ। ହେଲେ ଏହାର ଦୁଇବର୍ଷ ପରେ ଯେଉଁ ଚିତ୍ର ରାଜ୍ୟ ସାମ୍ନାରେ ଅଛି, ତାହା ତାହା ହେଲା, ସରକାର ବଦଳିନାହିଁ। କିନ୍ତୁ ଜଳସଂପଦ ମନ୍ତ୍ରୀ ବଦଳିଛନ୍ତି। ଟ୍ରିବ୍ୟୁନାଲରେ ତାରିଖ ଗଡୁଛି। ଛତିଶଗଡ ସରକାର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ନିଜ ନିଜର ମତ ରଖୁଛନ୍ତି। କିନ୍ତୁ ବିରୋଧୀ ଦଳ ଏହି ପ୍ରସଙ୍ଗ ଭୁଲିଯାଇଛନ୍ତି। ରାଜ୍ୟ ସରକାର ମହାନଦୀ ଉପରେ ଛତିଶଗଡ଼ ସରକାର ଯେଉଁ ପ୍ରକଳ୍ପ ତିଆରି କରୁଥିଲେ, ତାହା ଉପରେ ନା ସ୍ଥଗିତାଦେଶ ଆଣିପାରିଛନ୍ତି ନା ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରି ନଦୀ ଜଳ ଅଟକାଇବା ଦିଗରେ କୌଣସି ପଦକ୍ଷେପ ନେଇଛନ୍ତି। ବରଂ ସ୍ଥିତି ଆହୁରି ସାଂଘାତିକ ହୋଇଛି।

ମନ୍ତ୍ରୀ କଥା ମିଛ ନଥିଲା। ଦୂରକୁ ନ ଯାଇ ରାଜଧାନୀ ଛାତି ଉପରେ ଛିଡାହେଲେ ଯେ କେହି ଏହି ଭୟାବହ ଚିତ୍ରର ବାସ୍ତବ ରୂପ ଦେଖିପାରିବ। କାଠଯୋଡି ନଦୀର ପାଣି ଆଉ କୁଆଖାଇକୁ ଆସୁନାହିଁ। ବର୍ଷକୁ ୮ମାସରୁ ଅଧିକ ସମୟ ଧରି କୁଆଖାଇର ପ୍ରମୁଖ ଶାଖା ଦୟା ନଦୀ ମଧ୍ୟ ଶୁଖିଲା ପଡୁଛି। କୁଆଖାଇ ନଦୀ ଉପରେ ବାଲି ବନ୍ଧ କରି ପାଣି ଅଟକାଯାଉଛି ଓ ଜୁନ୍ ମାସ ପର୍ଯ୍ୟନ୍ତ ଏହି ଉପାୟରେ ରାଜଧାନୀବାସୀ ପାଣି ପାଉଛନ୍ତି। ନଦୀର ସ୍ଥିତି ଯଦି ଏମିତି, ତେବେ କେନାଲ ସ୍ଥିତି କେତେ ଭୟଙ୍କର ହୋଇଥିବ, ତାହା ଯେ କେହି ଅନୁମାନ ଲଗାଇପାରିବ।
ସରକାର ନିଜେ ତଥ୍ୟ ରଖିଥିଲେ ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ୮ଟି ବୃହତ୍‌, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭୧ଟି ଆନିକଟ ନିର୍ମାଣ କରିଥିବା ବେଳେ ୪ଟି ବୃହତ୍‌, ୩ଟି ମଧ୍ୟମ, ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୨୫ଟି ଆନିକଟ୍‌ ଓ ୬ଟି ଶିଳ୍ପ ଭିତ୍ତିକ ବ୍ୟାରେଜ୍‌ ନିର୍ମାଣାଧୀନ ରହିଛି। ବର୍ତ୍ତମାନ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରିଥିବା ପ୍ରକଳ୍ପଗୁଡ଼ିକର ଜଳ ବ୍ୟବହାର କ୍ଷମତା ୮.୩୧ ନିୟୁତ ଏକର ଫୁଟ ରହିଛି। ଏହା ୨୭.୪୮ ନିୟୁତ ଏକର ଫୁଟକୁ ବଢ଼ିପାରେ। ସେହିଭଳି ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିଛନ୍ତି। ଆଉ ତିନିଟି ବନ୍ଧର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।

ସରକାରଙ୍କ ରେକର୍ଡରେ ଏତେ ସାଂଘାତିକ ଚିତ୍ର ଥିବା ବେଳେ ଟ୍ରିବ୍ୟୁନାଲରେ ମାମଲା ରଖି ସମସ୍ତେ କେମିତି ଚୁପ୍ ବସିଗଲେ? ରାଜ୍ୟବାସୀଙ୍କ ଜୀବନ ରେଖା ଟ୍ରିବ୍ୟୁନାଲରେ କେମିତି ବନ୍ଧା ପଡ଼ିଗଲା? ୨୦୧୮ ମାର୍ଚ୍ଚ ୧୨ ତାରିଖ ଦିନ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ ୩ବର୍ଷ ସମୟସୀମା ମଧ୍ୟରେ ତାଙ୍କ ରାୟ ଦେବା କଥା। ଚୂଡାନ୍ତ ରାୟ ଦେବା ଦୂରର କଥା, ଏଯାଏ ନିର୍ମାଣଧୀନ ପ୍ରକଳ୍ପ ଉପରେ ସ୍ଥଗିତାଦେଶ ବି ଦେଲେ ନାହିଁ। ମାର୍ଚ୍ଚମାସରେ ଟ୍ରିବ୍ୟୁନାଲ ଗଠନର ତିନିବର୍ଷ ପୂରଣ ହୋଇଯିବ। ଆଉ ଦେଢ ମାସରେ ଓଡ଼ିଶାକୁ ନ୍ୟାୟ ମିଳିଯିବ କି? ରାଜ୍ୟର ୧୬ଟି ଜିଲ୍ଲାର ସମସ୍ୟା ସୁଧୁରଯିବ କି?

ଯଦିଓ ରାଜ୍ୟ ସରକାରଙ୍କ ପାଖରେ ତଥ୍ୟ ରହିଛି ଯେ ଓଡ଼ିଶାରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି, ତା ସତ୍ତ୍ବେ ଏତେବଡ଼ ପ୍ରସଙ୍ଗ ଉପରେ ସରକାରୀ ତନାଘନା ନାହିଁ। ଆନ୍ଦୋଳନ ତ ଦୂରର କଥା, ଗତ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେଥର କଥାବାର୍ତ୍ତା କରିଛନ୍ତି, ସେଥିରେ ଏହି ପ୍ରସଙ୍ଗଟି ପ୍ରାଥମିକତା ପାଇନାହିଁ। ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଥରୁଟିଏ ବି ଅଧିକାରୀଙ୍କ ସହିତ ଯାଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିପାରିନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ବି ଆଉ ତନାଘନା ନାହିଁ। ସେହିଭଳି ବିରୋଧୀ ରାଜନୈତିକ ଦଳ ଓଡ଼ିଶାର ଜୀବନ ସହିତ ଯୋଡ଼ି ହୋଇଥିବା ଏହି ପ୍ରସଙ୍ଗକୁ ଅଣଦେଖା କରି ଆସୁଛନ୍ତି।

ଏବେ ସବୁଠି ଆଲୋଚନା ହେଲେଣି ଯେ ସମ୍ଭବତଃ ମହାନଦୀ ପ୍ରସଙ୍ଗଟି କେବଳ ଭୋଟ ରାଜନୀତି ପଶାପାଲିରେ କେବଳ ଗୋଟି ଭଳି ବ୍ୟବହାର ହୋଇଛି। କଂଗ୍ରେସ ରାଜ୍ୟ ସରକାର ଓ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ି ଦାୟିତ୍ବ ସାରିଦେଇଛି। ବିଜେପି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ନିରବ ରହିଯାଇଛି। ଆଉ ଶାସକ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ ଲଦି ନିଜ କର୍ତ୍ତବ୍ୟକୁ ଭୁଲିଯାଇଛି।

ମହାନଦୀ ସହିତ ଯୋଡ଼ି ହୋଇରହିଥିବା ୧୬ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ପଶୁ ପକ୍ଷୀ, ବୃକ୍ଷ ଲତା, ଜୈବ ବିବିଧତା ଆଦି ସବୁ କଣ ମୂଲ୍ୟହୀନ?

ସମ୍ବନ୍ଧିତ ଖବର