ବୌଦ୍ଧ: ବିପଦ ସଂକେତ ଉପରେ ମହାନଦୀ ପ୍ରବାହିତ

୭ପଂଚାୟତ, ୨୫ଟି ଗାଁର ୬୪୩୪ଲୋକ ପ୍ରଭାବିତ, ୧୮ଗାଁ ଜଳବନ୍ଦୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ମହାନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବିପଦ ସଂକେତ ୮୭.୭୦ ମିଟର ରହିଥିବା ବେଳେ ଶନିବାର ରାତି ୧୦ଟା ସୁଦ୍ଧା ଜଳସ୍ତର ୮୭.୮୦ ମିଟରରେ ସ୍ଥିର ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଅପରପକ୍ଷେ ହୀରାକୁଦ ନଦୀବନ୍ଧରୁ ୪୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ କ୍ରମଶଃ ବୌଦ୍ଧ ଜିଲ୍ଲାରେ ମହାନଦୀ ଫୁଲିବାରେ ଲାଗିଛି। ଫଳରେ ତଳମୁଣ୍ଡର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବର୍ତମାନ ସୁଦ୍ଧା ଦୁଇ ବ୍ଲକର ୭ଟି ପଂଚାୟତର ୨୨ଟି ଗାଁ ଓ ୬୪୩୪ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶନିବାର ମଧ୍ୟ ୧୮ଟି ଗାଁର ପ୍ରାୟ ୫୦୯୫ଜଣ ଜଲବନ୍ଧି ହୋଇ ରହିଛନ୍ତି। ସେମାନଙ୍କ ପାଖକୁ ଚୁଡା ଗୁଡ଼ ଓ ଅନ୍ୟ ଶୁଖିଲା ଖାଦ୍ୟ ଓ ରିଲିଫ ସାମଗ୍ରୀ ପହଂଚା ଯାଉଥିବା ବେଳେ ଫସି ରହିଥିବା ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୋଟେ ସ୍ୱାସ୍ଥ୍ୟ ଟିମ ଓ ଗୋଟେ ପ୍ରାଣୀ ଚିକିତ୍ସକ ଟିମ ଅଂଚଳରେ ନିୟୋଜିତ ହୋଇଛନ୍ତି। ୫ଟି ବନ୍ୟା ଆଶ୍ରୟ କେନ୍ଦ୍ରରେ ୪୮୫ଜଣଙ୍କୁ ଆଶ୍ରୟ ଦିଆଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଜିଲ୍ଲା ପ୍ରସାଶନ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବନ୍ୟା ପରିସ୍ଥିତି ଓ ଗତ ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାର ମୋଟ ୧୫୦ହେକ୍ଟର ଜମି ପାଣି ମାଡ଼ି ଯାଇଥିବା ବେଳେ ମୋଟ ୫୮୨ଟି ଘର ଭାଙ୍ଗିଛି। ସେଥିରୁ ୧୫ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୫୬୭ଟି ଘର ଆଂଶିକ ଭାଙ୍ଗିଥିବା କୁହାଯାଉଛି। ସେହିପରି ବନ୍ୟା ଯୋଗୁଁ ବୌଦ୍ଧ ଏନଏସିର ଦୁଇଟି ୱାର୍ଡ ପ୍ରଭାବିତ ହୋଇଛି। ହରଭଙ୍ଗା ବ୍ଲକର ୬ଟି ଗାଁ ମାରଡ଼ା, ଅତଳସରା, କୁମାରୀ, ସୁରୁଣ୍ଡି, ଭେଜିଗୋରାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ଓ ଦୁଇଟି କଲଭର୍ଟ ଓ ୫ଟି ରାସ୍ତା ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର