କଟକ-ବିଦ୍ୟାଧରପୁର : ମହାନଦୀ ହେଉଛି ଜୀବନରେଖା। କଟକରେ ମହାନଦୀର ଅବସ୍ଥା ଏକପ୍ରକାର ମୃତପ୍ରାୟ ହୋଇଗଲାଣି। ଗୋଟିଏ ପଟେ ମହାନଦୀ ପଠାରେ ବହୁତଳ ପ୍ରାସାଦର ନିର୍ମାଣ ନଦୀକୁ ସଙ୍କୁଚିତ କରିଛି। ଅନ୍ୟପଟେ, ବର୍ଜ୍ୟଜଳ ପ୍ରବେଶ କରିବା ଫଳରେ ଏହା ପ୍ରଦୂଷିତ ହେବାରେ ଲାଗିଛି। ଏମିତି ସ୍ଥିତି ଲାଗିରହିଲେ ଜଳପ୍ରବାହ ବି ପ୍ରଭାବିତ ହେବ। କିନ୍ତୁ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଯାହାକି, ପରିବେଶବିତ୍ଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ମହାନଦୀ ଜଳ କଟକ ଅଞ୍ଚଳରେ ବିଶେଷ ଭାବେ ପ୍ରଦୂଷିତ ହେଉଛି। ଯୋବ୍ରାଠାରୁ କିଶନନଗର ପର୍ଯ୍ୟନ୍ତ ମହାନଦୀ ପଠାରେ ହଜାର ହଜାର ବେଆଇନ ନିର୍ମାଣ କରାଯାଇଛି। ଏହି ଅଞ୍ଚଳରେ କେତେକ ଲୋକ ବସତି ସ୍ଥାପନ କରିଥିବାବେଳେ କେତେକ ଛୋଟବଡ଼ କାରଖାନା ବି ଗଢି ଉଠିଛି। ଘରୁ ଓ ଛୋଟବଡ କାରଖାନାରୁ ନିର୍ଗତ ବର୍ଜ୍ୟ ଜଳ ମହାନଦୀ ପାଣିରେ ସିଧାସଳଖ ମିଶୁଛି। ଯୋବ୍ରା ରେଳଲାଇନ କଡ଼େକଡ଼େ ଅରକ୍ଷିତ ଦାସ ମଠ ନିକଟରେ ଚଉଡା କଂକ୍ରିଟ ଡ୍ରେନ୍ ନିର୍ମାଣ କରାଯାଇ କଟକ ସହରର ନର୍ଦ୍ଦମା ପାଣି ମହାନଦୀରେ ଛଡ଼ାଯାଉଛି। ଏପଟେ ଗଣ୍ଡରପୁର ଠାରୁ ବାହାରିଥିବା ଏମଏସଡବ୍ଲୁ-୨ ନର୍ଦ୍ଦମା ପାଣି ନୂଆବଜାର, ବିଦ୍ୟାଧରପୁର କେଶପୁର, ଏନଆରଆରଆଇ ଦେଇ ଗୁଳୁଗୁଳି ପୋଲ ବାଟେ ସିଧାସଳଖ ମହାନଦୀରେ ମିଶୁଛି। ମହାନଦୀ କୂଳରେ ଗାନ୍ଧୀପଲ୍ଲୀ ଓ ନେହେରୁପଲ୍ଲୀ ବାସିନ୍ଦାମାନେ ମହାନଦୀରେ ଶୌଚ ହେଉଛନ୍ତି। ବର୍ଷ ତମାମ ନେହେରୁପଲ୍ଲୀ ଓ ପାଖ ବସ୍ତିରୁ ନିର୍ଗତ ଯାବତୀୟ ନର୍ଦ୍ଦମା ପାଣି ନେହେରୁପଲ୍ଲୀ ଶେଷମୁଣ୍ଡରେ ସିଏମସି ପକ୍ଷରୁ ପମ୍ପ ଯୋଗେ ମହାନଦୀକୁ ଛଡା ଯାଉଛି। ଗୁଳିଗୁଳି ପୋଲ ନିକଟରେ ନର୍ଦ୍ଦମା ପାଣି ବିଶୋଧନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବର୍ଷା ସମୟରେ ଏମଏସଡବ୍ଲୁ-୨ରେ ନର୍ଦ୍ଦମା ପାଣି ଅଧିକ ପ୍ରବାହିତ ହେବା ସମୟରେ ମହାନଦୀବିହାର, ଅପର୍ଣ୍ଣାନଗର, ନୂଆବଜାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୁଏ। ଏଭଳି ସ୍ଥିତିରେ ବିଶୋଧନ ନ କରି ଜଳ ସିଧାସଳଖ ମହାନଦୀକୁ ଛଡା ଯାଉଛି।
ଅନ୍ୟପକ୍ଷରେ, ଯୋବ୍ରା ରେଳ ଲାଇନ କଡେ କଡେ ସିଧାସଳଖ ନଦୀକୁ ନର୍ଦ୍ଦମା ପାଣି ଛଡ଼ାଯାଉଛି ବୋଲି ଅଭିଯୋଗ ହେଉଛି। ମହାନଦୀ କୂଳରେ ଥିବା ଗ୍ରାମବାସୀମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି। ନଦୀ ଜଳରେ ଗୋଡ ବୁଡ଼ାଇଲେ କୁଣ୍ଡେଇ ହେଉଛି ଓ ବିଭିନ୍ନ ଚର୍ମରୋଗ ହେଉଛି ବୋଲି ନଦୀକୂଳ ବାସିନ୍ଦା ଅଭିଯୋଗ କରୁଛନ୍ତି। ଯୋବ୍ରାଠାରୁ ଭଦିମୂଳ ପର୍ଯ୍ୟନ୍ତ ମହାନଦୀ ପଠାରେ ବହୁ ବେଆଇନ ବହୁତଳ ପ୍ରାସାଦ ନିର୍ମାଣ କରାଯାଇଥିବା ବେଳେ ଏଗୁଡ଼ିକରୁ ବହାରୁଥିବା ବର୍ଜ୍ୟଜଳ ନଦୀ ଜଳକୁ ପ୍ରଦୂଷିତ କରୁଛି। ଗତବର୍ଷ କିଶନନଗର ନିକଟରେ ନଦୀପଠାରେ ବେଆଇନ ନିର୍ମାଣ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ଗ୍ରିନ୍ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କଟକ ସହର ମଧ୍ୟରେ ଥିବା ମହାନଦୀ ପଠାରେ ବେଆଇନ ବହୁତଳ ପ୍ରାସାଦ ନିର୍ମାଣ ଓ ନଦୀକୁ ବର୍ଜ୍ୟଜଳ ଛାଡିବା ପ୍ରସଂଗରେ ଗ୍ରିନ୍ ଟ୍ରିବୁନାଲ, ସିଡିଏ, ସିଏମସି ଓ ଜିଲ୍ଲା ପ୍ରଶାସନ ସବୁ ଦେଖି କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ ଉଠୁଛି।