ମହାନଦୀ ମୁହାଣ ବନ୍ଦର ପ୍ରକଳ୍ପର ସ୍ଥିତି : ଅକ୍ଟୋବର ସୁଦ୍ଧା ବନ୍ଦର ନିର୍ମାଣ ପାଇଁ କାର୍ଯ୍ୟାଦେଶ

ଭୁବନେଶ୍ୱର : ମହାନଦୀ ମୁହାଣରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ବନ୍ଦର ପ୍ରତିଷ୍ଠା ପ୍ରସ୍ତାବ ରହିଛି। ଏ ନେଇ ପାଖାପାଖି ଚାରିବର୍ଷ ତଳେ ପ୍ରସ୍ତାବ ଆସିଥିିଲେ ବି ଏ ଦିଗରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇନାହିଁ। ତେବେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିବ। ଅକ୍ଟୋବର ମାସ ସୁଦ୍ଧା ବନ୍ଦର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ ବୋଲି ଆଜି ସରକାରୀ ସ୍ତରରେ ସ୍ଥିର କରାଯାଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ପାଇଁ କ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପ୍ରଥମ ପର୍ଯ୍ୟାୟ ଟେଣ୍ଡର ପ୍ରକ୍ରିୟା ନିମନ୍ତେ ଅନୁଷ୍ଠିତ ଆରପିଏଫ୍‌ ଜରିଆରେ କମ୍ପାନିଗୁଡ଼ିକର ମନୋନୟନକୁ ମଞ୍ଜୁରି ଦିଆଯାଇଥିଲା। ସେହି କମ୍ପାନିଗୁଡ଼ିକ ହେଉଛି ଆଦାନୀ ପୋର୍ଟସ୍‌ ଆଣ୍ଡ ଏସ୍‌ଇଜେଡ୍‌, ହିନ୍ଦୁସ୍ଥାନ ପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏସାର ପୋର୍ଟ ଲିମିଟେଡ୍‌, ନବଯୁଗ ଇଞ୍ଜିନିୟରିଂ କମ୍ପାନି। ପ୍ରସ୍ତାବିତ ବନ୍ଦରକୁ ରାସ୍ତା ଏବଂ ରେଳ ସଂଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ।

ସୂଚନା ମୁତାବକ ପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡ଼ାଶଳି ଗ୍ରାମରେ ସ୍ଥାପନ କରାଯିବ। ଏଥିପାଇଁ ଆବଶ୍ୟକ ହେବ ପ୍ରାୟ ୩୦୦ ହେକ୍ଟର ଜମି। ଏହା ସରକାରୀ-ଘରୋଇ ଭାଗିଦାରୀ ବ୍ୟବସ୍ଥାରେ ନିର୍ମାଣ କରାଯିବ। ଏହାର ବାର୍ଷିକ କାର୍ଗୋ ପରିବହନ କ୍ଷମତା ରହିବ ପ୍ରାୟ ୧୮.୪୩ ନିୟୁତ ଟନ୍‌। ପରବର୍ତୀ ପର୍ଯ୍ୟାୟରେ ଏହାର କ୍ଷମତା ୨୭.୪୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର