ମହାନଦୀ ପ୍ରଦୂଷଣ ମାମଲା, ଆକ୍ସନ ପ୍ଲାନ୍‌ ଦାଖଲ କଲା ପିସିବି

ଭୁବନେଶ୍ୱର : ମହାନଦୀ ପ୍ରଦୂଷଣ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲଙ୍କ ତାଗିଦ୍‌ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିସିବି)ର ନିଦ ଭାଙ୍ଗିଛି। ରିଭର୍‌ ରିଜୁଭେନ୍‌ସନ୍‌ କମିଟି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଦାଖଲ କରିଛି। ପ୍ରଦୂଷିତ ନଦୀ ତୁଠ କିଭଳି ପ୍ରଦୂଷଣମୁକ୍ତ ହୋଇପାରିବ, ସେଥିପାଇଁ ଏଥିରେ ସ୍ବତନ୍ତ୍ର ଯୋଜନା ରହିଛି। ଏଥିରେ ପ୍ରମୁଖ ତିନୋଟି ପ୍ରସ୍ତାବ ବା ଆକ୍ସନ ପ୍ଲାନ୍‌ ରହିଛି। କଟକ ଓ ଭୁବନେଶ୍ୱର ମଧ୍ୟରେ ଥିବା ମହାନଦୀ ଅବବାହିକାର ବିଭିନ୍ନ ସ୍ଥାନରେ ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏସଟିପି) ସ୍ଥାପନ କରାଯିବ। ଗୋରୁ ମଇଁଷି ଗାଧୋଉଥିବା ଓ ଲୁଗା ସଫା ହେଉଥିବା ତୁଠଗୁଡ଼ିକୁ ପ୍ରଦୂଷଣମୁକ୍ତ କରାଯିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ନଦୀ କୂଳରେ ଥିବା ଗାଁଗୁଡ଼ିକର ଲୋକମାନେ ନଦୀପଠାରେ ମଳତ୍ୟାଗ କରୁଥିବାରୁ ପ୍ରଦୂଷଣ ବଢ଼ୁଛି। ଏଣୁ ଏହି ସବୁ ଗାଁଗୁଡ଼ିକୁ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ତା’ସହ ମହାନଦୀରେ ଅଧିକ ଜଳ ଛଡ଼ାଯାଇ ପ୍ରଦୂଷଣର ମାତ୍ରାକୁ କମାଇବାକୁ ଉଦ୍ୟମ କରାଯିବ। ଏହି ସବୁ ସମସ୍ୟା ଯୋଗୁଁ ପାଣିରେ ବିଓଡି(ପାଣିର ପ୍ରଦୂଷଣ ମାପକ) ସ୍ତର ମାତ୍ରାଧିକ ରହୁଛି। ଏଣୁ ପ୍ରଦୂଷଣ ବଢ଼ୁଛି। ଏଥିପାଇଁ ଜୁନ୍‌ ୩୦ ସୁଦ୍ଧା ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଦାଖଲ କରିବାକୁ ଏନ୍‌ଜିଟି ଆଦେଶ ଦେଇଥିଲେ। ନିର୍ଧାରିତ ସମୟ ପୂର୍ବରୁ ଏହି ପ୍ଲାନ୍ ଦାଖଲ ହୋଇଥିବା ପିସିବି ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି।

ଆଜି ପିସିବି କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ୧୧୯ତମ ବୋର୍ଡ ବୈଠକ ବସିଥିଲା। ବୋର୍ଡରେ କର୍ମଚାରୀ ଅଭାବ, ପିସିବି ଗାଇଡ୍‌ଲାଇନ୍‌ରେ କେତେକ ଜରୁରୀ ସଂଶୋଧନ ଓ ଗତ ବର୍ଷର ଅଡିଟ୍‌ ରିପୋର୍ଟ ଅନୁମୋଦନ ଉପରେ ଆଲୋଚନା ହୋଇଥିଲା। ମହାନଦୀ ପ୍ରସଙ୍ଗ ନେଇ ଏଜେଣ୍ଡା ପ୍ରସ୍ତୁତ ହୋଇନଥିଲେ ମଧ୍ୟ ଜଣେ ସଦସ୍ୟ ଏ ନେଇ ପ୍ରଶ୍ନ ଉଠାଇଥିଲେ, ଯାହାକୁ ନେଇ ତନାଘନା ହୋଇଥିଲା। ରାଜ୍ୟରେ ୧୯ଟି ପ୍ରଦୂଷିତ ନଦୀ ତୁଠ ରହିଛି। ସେଥିମଧ୍ୟରୁ ମହାନଦୀରେ କେବଳ ୧୧ଟି ରହିଛି। ଏନ୍‌ଜିଟିଙ୍କ ଆଦେଶ କ୍ରମେ ପ୍ରସ୍ତୁତ ହୋଇଥିବା ଆକ୍ସନ ପ୍ଲାନ୍‌ ଉପରେ ଆଲୋଚନା ହୋଇଥିଲା। ଆକ୍ସନ ପ୍ଲାନ୍‌ରେ ମହାନଦୀରେ ଅଧିକ ଜଳ ପ୍ରବାହିତ କରି ପ୍ରଦୂଷଣ ମାତ୍ରାକୁ କମାଇବା ଉପରେ ତର୍ଜମା ହୋଇଥିଲା। ମହାନଦୀରେ ଅଧିକ ପାଣି ନଥିବା ବେଳେ କେଉଁଠୁ ପାଣି ଆଣି ଅଧିକ ଜଳ ପ୍ରବାହିତ କରାଯିବ, ସେ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ ଯେ ମହାନଦୀକୁ ପ୍ରଦୂଷଣମୁକ୍ତ କରିବା ପ୍ରସଙ୍ଗ ବର୍ଷ ବର୍ଷ ଧରି ଏକ ଆହ୍ବାନ ହୋଇରହିଛି। ବିଭିନ୍ନସ୍ତରରେ ଉଦ୍‌ବେଗ ପ୍ରକାଶ ପାଇବା ସହ ପ୍ରସଙ୍ଗ ଏନ୍‌ଜିଟିରେ ପହଞ୍ଚିଛି। ଏନ୍‌ଜିଟିଙ୍କ ତନାଘନା ପରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରିଭର ରିଜୁଭେନ୍‌ସନ୍‌ କମିଟି ବସିବା ପରେ ଏହି ସବୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ପୂର୍ବରୁ ପିସିବି, ଜଳସମ୍ପଦ ବିଭାଗ ଓ ଅନ୍ୟ ଲାଇନ୍‌ ବିଭାଗ ଦ୍ବାରା ମାନସ ମନ୍ଥନ ହେବା ସହ ଯୋଜନା ହୋଇଥିଲେ ମଧ୍ୟ କିଛି କାଟୁ କରିନାହିଁ।

ସମ୍ବନ୍ଧିତ ଖବର