ସମ୍ବଲପୁରରେ ମହାନଦୀ ପାଣି ପ୍ରଦୂଷିତ : ମିଶୁଛି ତିନିଟି ସହରର ନର୍ଦ୍ଦମା ଜଳ

ମହାନଦୀ ଶଯ୍ୟା ପାଲଟିଛି ଅଘୋଷିତ ଡମ୍ପିଂ ୟାର୍ଡ, ବିନା ବି‌େଶାଧନରେ ନଦୀକୁ ଛଡ଼ାଯାଉଛି ବର୍ଜ୍ୟ ଜଳ

ସମ୍ବଲପୁର : ହୀରାକୁଦ ବନ୍ଧର ତଳ ମୁଣ୍ଡରେ ବହୁ ଦୂର ପର୍ଯ୍ୟନ୍ତ ମହାନଦୀର ପାଣି ବର୍ଷ ତମାମ ଅତ୍ୟନ୍ତ ପ୍ରଦୂଷିତ ହୋଇ ରହୁଛି। ବିଶେଷ କରି ହୀରାକୁଦରୁ ବାହାରିବା ପରେ ଏହାର ୧୦ କିଲୋମିଟର ତଳେ ଥିବା ସମ୍ବଲପୁର ସହର ସଂଲଗ୍ନ ମହାନଦୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଠି ମହାନଦୀର ସ୍ଥିତି ମୁଖ୍ୟତଃ ହୀରାକୁଦ ପାଣି ଉପରେ ନିର୍ଭର କରେ। ହୀରାକୁଦରୁ ପାଣି ଛାଡ଼ିଲେ ମହାନଦୀ ଫୁଲେ , ନଚେତ ବର୍ଷ ସାରା ପ୍ରାୟତଃ ଶୁଖିଲା। ହୀରାକୁଦ ଗେଟ ବନ୍ଦ ଥିବା ସମୟରେ ଏଠି ମହାନଦୀରେ ଯେଉଁ ଅଳ୍ପ ପାଣି ଥାଏ ତାହା ଅତ୍ୟନ୍ତ ଦୂଷିତ ଓ ବ୍ୟବହାର ଅନୁପଯୋଗୀ। ଏଠି ବର୍ଷ ତମାମ ମହାନଦୀ ପାଣି ‘ସି’ ବା ‘ଡି’ ଗ୍ରେଡ୍ ମାନର ଯାହା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଖରା ଦିନେ ପାଣି ସବୁଠୁ ଅଧିକ ଦୂଷିତ ହୁଏ ଓ ଏହାର ମାନ ‘ଡି’ ଗ୍ରେଡ୍ ରହିଥାଏ ବୋଲି ଜଣାପଡ଼ିଛି।

ହୀରାକୁଦ ତଳ ମୁଣ୍ଡରେ ମହାନଦୀରେ ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରର ସବୁ ଯାକ ନର୍ଦ୍ଦମା ଜଳ ମିଶୁଛି। ସମ୍ବଲପୁରରୁ ହୀରାକୁଦ ମଧ୍ୟରେ ୬ଟି ସ୍ଥାନରେ ଏହି ତିନି ସହରର ବର୍ଜ୍ୟ ଜଳ ନଦୀ ଶଯ୍ୟାରେ ପଡ଼ୁଛି। ମହାନଦୀରେ ଥିବା ପତଳା ଧାରରେ ଏହି ଅସନା ପାଣି ମିଶିବା ପରେ ନଈ ପାଣି ଅତ୍ୟନ୍ତ ଦୂଷିତ ହୋଇଯାଉଛି। ସହରାଞ୍ଚଳରେ ବର୍ଜ୍ୟ ଜଳ ବିଶୋଧନ କରିବାକୁ ନିୟମ ରହିଥିଲେ ବି ସମ୍ବଲପୁର କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରି ନାହିଁ। ବର୍ତ୍ତମାନ ସମ୍ବଲପୁରରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନ ଥିଲାବେଳେ ମହାନଦୀ ସବୁ ପ୍ରକାର ବର୍ଜ୍ୟ ଜଳର ଏକମାତ୍ର ନିଷ୍କାସନ ସ୍ଥଳ ପାଲଟିଛି। କେବଳ ବର୍ଜ୍ୟ ଜଳ ନୁହେଁ, ସହରରୁ ନିର୍ଗତ ଶୁଷ୍କ ଆବର୍ଜନା ମଧ୍ୟ ମହାନଦୀ ଶଯ୍ୟାରେ ପକାଇ ଦିଆଯାଉଛି। ଲକ୍ଷ୍ମୀ ଡୁଙ୍ଗୁରୀ ନିକଟସ୍ଥ ମହାନଦୀ ଶଯ୍ୟା ଅଘୋଷିତ ଡମ୍ପିଂ ୟାର୍ଡ ପାଲଟିଛି। ବିଭିନ୍ନ ଘରୋଇ କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ରାତାରାତି ସେମାନଙ୍କ ଆବର୍ଜନା ନେଇ ମହାନଦୀରେ ପକାଉଛନ୍ତି। ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ଓ ଭଗ୍ନାବଶେଷ ମଧ୍ୟ ନଦୀ ଶଯ୍ୟାରେ ପାହାଡ଼ ପରି ଗଦା କରି ଦିଆଯାଉଛି। ହୀରାକୁଦରୁ ବନ୍ୟା ଜଳ ଛଡ଼ା ଯିବା ମାତ୍ରେ ଏହି ସବୁ ମଇଳା ବଢ଼ି ପାଣିରେ ମିଶି ତଳ ମୁଣ୍ଡକୁ ଯାଉଛି ଓ ନଦୀକୁ ପ୍ରଦୂଷିତ କରୁଛି। ବର୍ତ୍ତମାନ ବି ଲୋକଙ୍କର ଖୋଲାରେ ଶୌଚ କରିବା ଅଭ୍ୟାସ ଯାଇ ନାହିଁ। ବ୍ୟାପକ ସଚେତନତା ଓ ଶୌଚାଳୟ ନିର୍ମାଣ ସତ୍ତ୍ବେ ହଜାର ହଜାର ଲୋକ ନଈ କୂଳରେ ଶୌଚ ଅଭ୍ୟାସ ଛାଡ଼ି ନାହାନ୍ତି।

ସହରର ବର୍ଜ୍ୟ ଜଳ ବ୍ୟତୀତ ହୀରାକୁଦରେ ଥିବା ତିନିଟି ବୃହତ ଶିଳ୍ପର ବର୍ଜ୍ୟ ଜଳ ମଧ୍ୟ ମହାନଦୀରେ ମିଶୁଥିବା ଅଭିଯୋଗ ହୁଏ। ହୀରାକୁଦର ନର୍ଦ୍ଦମା ନିଷ୍କାସନ ହେଉଥିବା ନାଳରେ ଏହି କାରଖାନା ପାଣି ମିଶାଇ ଦିଆ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା ଅନୁଯାୟୀ କୌଣସି ଶିଳ୍ପର ବର୍ଜ୍ୟ ଜଳ ମହାନଦୀରେ ମିଶୁ ନାହିଁ। ଶିଳ୍ପ କାରଖାନାଗୁଡ଼ିକ ବ୍ୟବହାର କରୁଥିବା ଜଳକୁ କାରଖାନା ମଧ୍ୟରେ ବିଶୋଧନ କରି ପୁଣି ପୁନଃ ବ୍ୟବହାର କରିଥାଆନ୍ତି। କିନ୍ତୁ ସହରାଞ୍ଚଳ ନର୍ଦ୍ଦମା ପାଣି ନିଷ୍କାସନ ଯୋଗୁଁ ହିଁ ହୀରାକୁଦରୁ ସମ୍ବଲପୁର ମଧ୍ୟରେ ମହାନଦୀ ଜଳ ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ। ତେଣୁ ତିନି ସହରରୁ ନିର୍ଗତ ଜଳର ବିଶୋଧନ କରି ନଈରେ ଛଡ଼ାଗଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇ ପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର