ମହାନଦୀର ସୁରକ୍ଷା ପାଇଁ ନାରାବାଜି

ଚାଷ, ବାସ, ପାଣି କଥା କହିଲା ବିଜେଡି

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଭ୍ୟମାନେ ଚାଷ, ବାସ ଓ ପାଣି କଥା ଉଠାଇଥିଲେ। ବିଜେଡି ସଭ୍ୟ ଅରୁଣ ସାହୁ କହିଲେ, ବିଧାନସଭାରେ ଚାଷ, ବାସ କଥା ଆଲୋଚନା ହେଉ। ସାଧାରଣ ଜନତାଙ୍କର ଏହା ପ୍ରସଙ୍ଗ। କେନ୍ଦ୍ର ସରକାର ଚାଉଳ କାଟିଲେ। ଫଳରେ ଚାଷୀଙ୍କ ସର୍ବନାଶ କରିବାକୁ ବାଟ ଖୋଲିଲେ। ପୁଣି ବାସ ଅର୍ଥାତ ଆବାସ ଯୋଜନାରେ ବି ଗରିବ ଲୋକଙ୍କୁ ହଇରାଣ କଷଲ। ବିଜେପିର ସାଂସଦମାନେ ଦିଲ୍ଲୀରେ ଯାଇ କି କେଞ୍ଚ ମାରିଲେ ଯେ ଆବାସ ଯୋଜନାରେ ଓଡ଼ିଶାକୁ ହଇରାଣ କରାଗଲା। ଓଡ଼ିଶାରେ ଗୃହ ପାଇଁ କେନ୍ଦ୍ର ସରକାର ଗୃହ ଯୁଦ୍ଧ ଲଗାଇଦେଲେ। ଏସବୁ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଦରକାର।

ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର କହିଲେ, ଆଜି ବିଶ୍ବ ଜଳ ଦିବସ। କେନ୍ଦ୍ରରେ ଉଭୟ ୟୁପିଏ ଓ ଏନ୍‌ଡିଏ ସରକାର ଓଡ଼ିଶାର ଜଳଭଣ୍ଡାର ଉପରେ ଶକ୍ତ ପ୍ରହାର କରିଛନ୍ତି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ଡ୍ୟାମ୍ କରି ପାଣି ଅଟକାଉଛି। ଅଣମୌସୁମୀ ସମୟରେ ଓଡ଼ିଶାକୁ ଜଳପ୍ରବାହ କମ୍ ରହୁଛି। ମହାନଦୀର ସଙ୍ଗୀନ ଅବସ୍ଥା ପାଇଁ କିଏ ଦାୟୀ? ମହାନଦୀର ସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀ ଗୃହରେ ଏକ ବିବୃତି ରଖନ୍ତୁ।

ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତାବ ଆଣନ୍ତୁ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ସମୁଦ୍ରରେ ପାଣି ବୋହିଯାଉଛି, ବିନିଯୋଗ କରିପାରୁନ। ଅନ୍ୟକୁ ଦୋଷ ଦେଲେ କ’ଣ ହେବ?

କିନ୍ତୁ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ମହାନଦୀର ସୁରକ୍ଷା ଦାବିରେ ନାରାବାଜି କରିଥିଲେ। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟର ପ୍ରତିବାଦ କରିଥିଲେ। ମହାନଦୀର ଜଳସ୍ଥିତିକୁ ନେଇ ମନ୍ତ୍ରୀ ରିପୋର୍ଟ ଦେବାକୁ ବାଚସ୍ପତି ରୁଲିଂ ଦେବା ପାଇଁ ଦାବି କରିଥିଲେ। ଜଳସମ୍ପଦ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଲା ପରେ ଗୃହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର