ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ନିଷେଧାଦେଶ ହୋଇନି
ବୈଠକ ପରେ ବୈଠକ ଜାରି, କେନ୍ଦ୍ର ସରକାର ବି ନିରବ
ବିଜେଡି ଚୁପ୍, ବିରୋଧୀ ରାଜନୈତିକ ଦଳଙ୍କ ପଛଘୁଞ୍ଚା
ବର୍ଜ୍ୟ ମିଶୁଛି, ସାତକୋଶିଆ, ଚିଲିକା, ଅଂଶୁପାକୁ ବିପଦ ବଢୁଛି
ଭୁବନେଶ୍ୱର,(ଭବାନୀ ଶଙ୍କର ତ୍ରିପାଠୀ) : ମହାନଦୀ ପାଇଁ ୟେସା କରିବୁ। ତେସା କରିବୁ। ମହାନଦୀ ସୁରକ୍ଷା ଲାଗି ଯେକୌଣସି ସ୍ତରକୁ ଯିବୁ; ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼ିବୁ।
୨୦୧୯ ସାଧାରଣ ନିର୍ବାଚନର ଠିକ୍ ବର୍ଷେ ଦୁଇବର୍ଷ ଆଗରୁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏମିତି ଗର୍ଜନ ତର୍ଜନ କରିଥିଲେ। ସର୍ବଦଳୀୟ କମିଟି ଗଠନ ହେଲା। ରାଜ୍ୟ ସରକାର ଜାତୀୟସ୍ତରରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଲେ। ଖୋଦ୍ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଉ ପାଦେ ଆଗକୁ ଯାଇ ସଂସଦର କେନ୍ଦ୍ରୀୟ କକ୍ଷରେ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ସମ୍ବୋଧନ କରିବା ଅବସରରେ ଅନ୍ୟ ନଦୀ ସମେତ ମହାନଦୀକୁ କିଭଳି ପ୍ରଦୂଷଣ ମୁକ୍ତ କରାଯିବ ସେ ନେଇ କେନ୍ଦ୍ର ସରକାର କାମ କରିବେ ବୋଲି ଜଣାଇଥିଲେ।
ହେଲେ ଏଯାଏ ମହାନଦୀକୁ ନ୍ୟାୟ ମିଳିପାରିଲା ନାହିଁ। ନା ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ଛତିଶଗଡ ସରକାରଙ୍କୁ ନିର୍ଦେଶ ଦେଲେ ନା ଟ୍ରିବ୍ୟୁନାଲରୁ ଏ ସଂକ୍ରାନ୍ତ ଆଶ୍ବସ୍ତି ମିଳିଲା। ରାଜ୍ୟ ସରକାର ମହାନଦୀ ଉପରେ ଗୋଟିଏ ବି ବ୍ୟାରେଜ୍ର ଶୁଭ ଏଯାଏ ଦେଇନାହାନ୍ତି କିମ୍ବା ନଦୀକୁ ପ୍ରଦୂଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ସରକାର କୌଣସି ଠୋସ୍ କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି। ଟ୍ରିବ୍ୟୁନାଲରେ ଆଜି ବି ମହାନଦୀର ଭାଗ୍ୟ ଝୁଲୁଛି। ତାରିଖ ପରେ ତାରିଖ ଗଡୁଛି। କୌଣସି ସକାରାତ୍ମକ ସଙ୍କେତ ଆସିନାହିଁ। ଆଉ ଏପଟେ ରାଜନୈତିକ ନେତା ଚୁପ୍। ବିଭିନ୍ନସ୍ତରରେ ମହାନଦୀ ସୁରକ୍ଷା ପାଇଁ ନିଆଯାଇଥିବା ସଂକଳ୍ପ ବି ପ୍ରଭାବହୀନ।
ଉଲ୍ଲେଖଥାଉକି, ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ବିବାଦ ଏଭଳି ତୀବ୍ର ରୂପ ଧାରଣ କରିଥିଲା ଯେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଏ କମ୍ପିଲା। ଏବେ କିନ୍ତୁ ବିଜେଡି ଏ ମହାବିବାଦ ସଂପର୍କରେ ରାମବିଷ୍ଣୁ କିଛି କହୁନାହିଁ। ସରକାରୀସ୍ତରରୁ କେନ୍ଦ୍ର ଉପରେ ଯେଭଳି ଚାପ ସୃଷ୍ଟି କରାଯିବା କଥା ତାହା ମଧ୍ୟ ନାହିଁ। ବର୍ଷକ ମଧ୍ୟରେ ଟ୍ରିବ୍ୟୁନାଲରୁ କୌଣସି ବି ଗୋଟିଏ ନିଷ୍ପତ୍ତି ମହାନଦୀ ସପକ୍ଷରେ ଆସିପାରିନାହିଁ। ବିଶେଷକରି ଛତିଶଗଡ ସରକାର ଉପରମୁଣ୍ଡରେ ସବୁ ଆଇନକାନୁନକୁ ଭାଙ୍ଗି ଯେଭଳି ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରିଥିଲେ, ସେ ସଂପର୍କରେ ବିଜେଡି ଓ ରାଜ୍ୟ ସରକାର ଏବେ ଚୁପ୍ ବସିଛନ୍ତି।
ଇତିମଧ୍ୟରେ ଛତିଶଗଡରେ ସରକାର ପରିବର୍ତ୍ତନ ଘଟିଛି। କଂଗ୍ରେସ ସରକାର କ୍ଷମତାସୀନ େହାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ନେତା ବି ମହାନଦୀ ସଂପର୍କରେ ଉଁ କି ଚୁଁ କହୁନାହାନ୍ତି। ନିର୍ମାଣ କାମ ବନ୍ଦ କରିବା ଲାଗି ଛତିଶଗଡ ଉପରେ ଚାପ ପକାଇବା ପାଇଁ ଥରୁଟିଏ ବି କଂଗ୍ରେସ ନେତାମାନେ ଏକାଠି ହୋଇପାରିନାହାନ୍ତି।
ବିଜେପି କଥା ନ କହିବା ଭଲ। ସେବେ ବି ବିବାଦରେ ଥିଲା ଦଳର ଭୂମିକା। ଏବେ ଯାଏ ସକାରାତ୍ମକ ପଦକ୍ଷେପ ନେଇ ଏ ଅପବାଦରୁ ନିଜକୁ ମୁକ୍ତ କରିପାରିନାହାନ୍ତି ନେତାମାନେ।
କୌତୂହଳର କଥା ହେଲା, ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ କେନ୍ଦ୍ର ସରକାର ଅସତ୍ୟ କରିଦେବା ଭଳି ମନେ ହେଉଛି। ଏଯାଏ ମହାନଦୀ ପ୍ରଦୂଷଣ ଲାଗି କୌଣସି ବଡ଼ ପ୍ରକଳ୍ପ ଘୋଷଣା କରାଯାଇନାହିଁ। ସମସ୍ତେ ଅଧା ରାସ୍ତାରେ ମହାନଦୀକୁ ଛାଡିଦେଇ ନିଜ ନିଜର ବାଟ କାଟିଛନ୍ତି।
ପ୍ରଦୂଷଣ କ୍ଷେତ୍ରରେ ମହାନଦୀ ଏବେ ବେଶି ବିପଦରେ। ଜଳ ସଂପଦ ବିଭାଗ ଅଧିକାରୀଙ୍କ ତଥ୍ୟକୁ ଗ୍ରହଣ କରାଗଲେ, ଏହି ପ୍ରସଙ୍ଗଟି ତିନିଟି ଦୃଷ୍ଟିରୁ ଓଡ଼ିଶାର ଜୀବନରେଖା ପାଇଁ ମହତ୍ତ୍ବ ରଖୁଛି। ଛତିଶଗଡ ମହାନଦୀ ଜଳକୁ ରୋକିବା ପଛରେ ଏକ ବଡ଼ କାରଣ ହେଉଛି ଶିଳ୍ପାୟନ। ସଂପୃକ୍ତ ରାଜ୍ୟ ସରକାର ଶିଳ୍ପସଂସ୍ଥାକୁ ପାଣି େଯାଗାଇ ଦେବା ପାଇଁ ମହାନଦୀର ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଛତିଶଗଡ ରାୟଗଡ ଜିଲ୍ଲାର ସମସ୍ତ ବର୍ଜ୍ୟବସ୍ତୁ କେଲୋ ନଦୀ ମଧ୍ୟ ଦେଇ ମହାନଦୀକୁ ଆସୁଛି। ସେଠାରେ ଏକାଧିକ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି ସହିତ ଶିଳ୍ପ ସଂସ୍ଥାର ପ୍ରଦୂଷଣ ମଧ୍ୟ ଏହି ନଦୀ ଗର୍ଭରେ ମିଶିବା କାରଣରୁ ଉପରମୁଣ୍ଡରୁ ସ୍ଥିତି ଗମ୍ଭୀର ହେଲାଣି।
ଛତିଶଗଡରେ ଯେ କେବଳ ମହାନଦୀ ପ୍ରଦୂଷିତ ହେଉଛି ତା ନୁହେଁ, ହୀରାକୁଦ ଜଳଭଣ୍ଡାରରୁ ସମୁଦ୍ର ଯାଏ ଆସିବା ବାଟରେ ମହାନଦୀ ଆହୁରି ଅଧିକ ପ୍ରଦୂଷିତ େହଉଛି। କାରଣ ଏକାଧିକ ସ୍ପଞ୍ଜ ଆଇରନ୍ କଂପାନି, ଶିଳ୍ପ ସଂସ୍ଥାର ମଇଳା ପାଣି ମହାନଦୀରେ ମିଶୁଛି। ଝାରସୁଗୁଡା ଜିଲ୍ଲାର ସମସ୍ତ ବର୍ଜ୍ୟ କୋଇଲା ପାଣି ମହାନଦୀ ଧାରଣ କରୁଛି। ହୀରାକୁଦ, ସମ୍ବଲପୁର ଓ ବୁର୍ଲା, ସୋନପୁର, ବୌଦ୍ଧ, ଆଠମଲ୍ଲିକ, କଟକର ମଇଳା ପାଣି ଏହି ନଦୀରେ ପଡିବା କାରଣରୁ ତଳମୁଣ୍ଡରେ ପାଣି ପହଞ୍ଚିବା ବେଳକୁ ନଦୀ ବ୍ୟବହାର ଯୋଗ୍ୟ ହୋଇ ରହୁନାହିଁ।
ତଥ୍ୟ ଅନୁସାରେ, ସମ୍ବଲପୁର ଓ କଟକରୁ ଯେଉଁ ମଇଳା ପାଣି ମିଶୁଛି, ତାହା ସି ଓ ଡି କାଟଗୋରି ଯୁକ୍ତ। ଅର୍ଥାତ୍ ଗାେଧାଇବା ପାଇଁ ମଧ୍ୟ ଅନୁପଯୁକ୍ତ।
ନଦୀ ପ୍ରଦୂଷଣର ପ୍ରଭାବ ପରିବେଶ ଉପରେ ସିଧାସଳଖ ପଡିଲାଣି। ଓଡ଼ିଶାର ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ଜୈବମଣ୍ଡଳ ଯଥା ସାତକୋଶିଆ, ଚିଲିକା, ଅଂଶୁପା, ଯୋବ୍ରା ଓ ଭିତରକନିକାକୁ ମଧ୍ୟ ଧୀରେ ଧୀରେ ବିପଦ ବଢୁଛି। ମହାନଦୀ ଯଦି ଏହିଭଳି ପ୍ରଦୂଷିତ ହୁଏ ଓ ଜଳ ସଙ୍କଟ ଦେଖାଯାଏ, ତେବେ ଆଗକୁ ସ୍ଥିତି ଗମ୍ଭୀର ରୂପ ଧାରଣ କରିପାରେ।
ଏମିତିରେ ବି ଶିଳ୍ପାୟନ କାରଣରୁ ମହାନଦୀରେ ଜଳ ସଙ୍କଟ ଯୋଗୁଁ ଓଡ଼ିଶାର ୧୬ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେଉଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଳ ଯୋଗାଣ କ୍ଷେତ୍ରକୁ ମଧ୍ୟ ଏହା ସଙ୍କଟ ଭିତରକୁ ଠେଲି ଦେଲାଣି। ଏସବୁ ଜିଲ୍ଲାର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ପାଣି କେନାଲ ମାଧ୍ୟମରେ ହେଉ ବା ସିଧାସଳଖ ଲୋକେ ବ୍ୟବହାର କରୁଛନ୍ତି। ଏଣୁ ସ୍ବାସ୍ଥ୍ୟ ସେବା ପ୍ରତି ବିପଦ ବଢାଇ ଦେଉଛି।
ତିନିଟି ମୁଖ୍ୟ କ୍ଷେତ୍ରକୁ ଅବଦାନ ପରିପ୍ରେକ୍ଷୀରେ ଏହାର ସୁରକ୍ଷା ପାଇଁ ଯେତିକି ତତ୍ପରତା ଦେଖାଇବା କଥା ତାହା ଏଯାଏ କାହାଠାରେ ବି ପରିଲକ୍ଷିତ ହୋଇନାହିଁ।
ରାଜ୍ୟ ସରକାରଙ୍କ ହେଳା ମଧ୍ୟ କିଛି କମ୍ ନାହିଁ। ସରକାରୀ ଦଳର ବିଧାୟକଙ୍କ ବିରୋଧ କାରଣରୁ ସିଣ୍ଢୋଳ ପ୍ରକଳ୍ପ ଶୀତଳଭଣ୍ଡାରକୁ ଚାଲିଗଲା। ଏବେ ସରକାର ଆଉ ୭ଟି ପ୍ରକଳ୍ପ ନିର୍ମାଣ ପାଇଁ ପାଗ ଭିଡୁଛନ୍ତି। ଖଇରମାଳ, ବଡମାଳ, ତରାପୁର ପ୍ରଥମ ପର୍ଯ୍ୟାୟରେ ହେବା କଥା। ଏଯାଏ କାଗଜପତ୍ରରେ ରହିଛି।