ମହାନଦୀ ପାଣି ବିଷାକ୍ତ

ଅନୁଧ୍ୟାନରୁ ଉଦ୍‌ବେଗଜନକ ତଥ୍ୟ, କୋଲିଫୋରମ୍‌ ଅଣୁଜୀବ ତୀବ୍ର ଗତିରେ ବଢୁଛି, ଜଣ୍ଡିସ, ଜଳଜନିତ ରୋଗ ଆଶଙ୍କା

ବରଗଡ଼ : ଛତିଶଗଡ଼ ମହାନଦୀ ଉପର ମୁଣ୍ଡ‌ରେ ମାତ୍ରାଧିକ ବ୍ୟାରେଜ୍‌ ନିର୍ମାଣ ଏବଂ ମନମୁଖୀ ଜଳ ପରିଚାଳନା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଓଡ଼ିଶା ଏକ ନୂଆ ସଂକଟର ସମ୍ମୁଖୀନ ହେବାକୁ ଯାଉଛି। ମହାନଦୀ ମାତ୍ରାଧିକ ପ୍ରଦୂଷିତ ବୋଲି ପୂର୍ବରୁ ବିଭିନ୍ନ ଗବେଷଣାରୁ ତଥ୍ୟ ମିଳିଛି। ବିଶେଷକରି, ଶିଳ୍ପ ବର୍ଜ୍ୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ମହାନଦୀ ପାଣି ବ୍ୟବହାର ପାଇଁ ଅନୁପଯୋଗୀ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି। ଏବେ ମହାନଦୀ ପାଣିରେ ମାରାତ୍ମକ କୋଲିଫୋରମ୍‌ ଅଣୁଜୀବ ତୀବ୍ର ମାତ୍ରାରେ ବଢ଼ି ଚାଲିଥିବା ସଦ୍ୟ ଏକ ଗବେଷଣାତ୍ମକ ରିପୋର୍ଟରୁ ଜଣାପଡ଼ିଛି।

ଅଣୁଜୀବ ଗବେଷିକା ଡ. ମୀରାମ୍ବିକା ମିଶ୍ର ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ, ମହାନଦୀରେ ପୂର୍ବରୁ ଇବୋଲି ଅଣୁଜୀବ ଉପସ୍ଥିତି ରହିଛି। ଏହି ଅଣୁଜୀବ ଉପସ୍ଥିତି‌େର ପାଣି ବ୍ୟବହାର କରିବା ଅତି ମାରାତ୍ମକ। ତେବେ ମହାନଦୀ ପାଣିରେ କୋଲିଫୋରମ୍‌ ଅଣୁଜୀବ ବଂଶ ବିସ୍ତାର କରିବା ଆହୁରି ଘାତକ ବୋଲି ଡ. ମିଶ୍ର ଦର୍ଶାଇଛନ୍ତି। କାରଣ ଏହି ଅଣୁଜୀବ ନିଜ ଶରୀରରେ ୪୮ଟି ଦୁର୍ଲଭ ଆଣ୍ଟିବା‌େୟାଟିକ୍‌ ସୃଷ୍ଟି କରିପାରୁଛି। ଫଳରେ ଏହାକୁ ନିପାତ କରିବାକୁ ସ୍ବତନ୍ତ୍ର ଯୋଜନା କରିବା କଥା। କିନ୍ତୁ ଓଡ଼ିଶା ସରକାରଙ୍କୁ ପରିବେଶବିତ୍‌ମାନେ ଏନେଇ ଆଗୁଆ ସୂଚନା ଦେଇଥିଲେ ହେଁ କିଛି ବିହୀତ ପଦକ୍ଷେପ ହୋଇନାହିଁ। ଡ. ମିଶ୍ରଙ୍କ ତଥ୍ୟ କହୁଛି, ସମ୍ବଲପୁର ସହରର ମହାନଦୀ ଗର୍ଭରେ ଥିବା ଅଯୋଧ୍ୟା ସରୋବରର ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ ମହାନଦୀ ଅବବାହିକାର ମଧ୍ୟ ଭାଗରେ ଏହି କୋଲିଫୋରମ୍‌ ଅଣୁଜୀବର ଉପସ୍ଥିତି କମ୍‌ ରହିଥିଲା। କାରଣ ଏହା ଜନବସତିଠାରୁ ଦୂରରେ ରହିଛି। କିନ୍ତୁ ସହରର ବର୍ଜ୍ୟବସ୍ତୁ ମିଶୁଥିବା ପାଣିସ୍ରୋତରେ ଏହାର ପରିମାଣ ମାତ୍ରାଧିକ ରହିଛି। ଫଳରେ ଆଗକୁ ମହାନଦୀ ପାଣିରୁ ଜଣ୍ଡିସ୍‌ ବ୍ୟାପିବା ଆଶଙ୍କା ରହିଛି।

ଅନ୍ୟପକ୍ଷରେ, ମହାନଦୀ ଉପରମୁଣ୍ଡରେ (ଛତିଶଗଡ଼) କଠିନ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟ ଏବଂ ବାୟୋ ବର୍ଜ୍ୟବସ୍ତୁ ସିଧାସଳଖ ପଡ଼ୁଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟ ଅନୁସାରେ ଛତିଶଗଡ଼ ମହାନଦୀରେ ଦୈନିକ ୩ହଜାର କିଲୋଲିଟର୍‌ କେବଳ ଶିଳ୍ପ ବର୍ଜ୍ୟ ଛାଡ଼ୁଛି। ଅନ୍ୟ ବର୍ଜ୍ୟକୁ ଆକଳନ କଲେ ଏହା ଦୁଇଗୁଣା ହେବ। ସେହିପରି ମହାନଦୀ ଅବବାହିକାରେ କୋଇଲା ଖଣି ଆହୁରି ଚିନ୍ତା ବଢ଼ାଇଛି। ଦେଶର ୧୪ ପ୍ରତିଶତ କୋଇଲା ଛତିଶଗଡ଼ରୁ ମିଳିଥାଏ। କୋଇଲା ଗୁଣ୍ଡରେ ମାରାତ୍ମକ ‘କାର୍‌ସିନୋଜେନିକ୍‌’ ଧାତବ ପଦାର୍ଥ  ମହାନଦୀର ପ୍ରଦୂଷଣ ବଢ଼ାଉଛି। ଉପରମୁଣ୍ଡରେ ମହାନଦୀ ମାତ୍ରାଧିକ ପ୍ରଦୂଷଣ ନେଇ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ରଖୁଛି। ତେଣୁ ପ୍ରଦୂଷିତ ପାଣିରେ ବିଭିନ୍ନ ଅଣୁଜୀବ କାୟା ବିସ୍ତାର କରୁଛନ୍ତି। ଓଡ଼ିଶା ଭାଗରେ ଥିବା ମହାନଦୀର ତଳମୁଣ୍ଡରେ ଏହି ଅଣୁଜୀବ ଆହୁରି ସକ୍ରିୟ ହେବା ଆଶଂକା ଥିବା ଗବେଷକମାନଙ୍କ ଉଦ୍‌ବେଗଜନକ ରିପୋର୍ଟରୁ ଜଣାପଡ଼ୁଛି।

ସମ୍ବନ୍ଧିତ ଖବର