ମହାନଦୀ ସୁରକ୍ଷା ଅଭିଯାନରେ ଗର୍ଜିଲେ ବିଜେଡି ନେତା : କଟା ଘା’ରେ ଚୂନ ଲଗାଇବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ?

ଭୁବନେଶ୍ୱର : ମହାନଦୀ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅନୁରୋଧ କରିଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ ଶୁଣିଲେ ନାହିଁ। ଓଲଟା ଛତିଶଗଡକୁ ସୁରକ୍ଷା ଦେଇ ଆସୁଛନ୍ତି। ଏଭଳିସ୍ଥଳେ ଆସନ୍ତା ୨୬ ତାରିଖ ଦିନ ଏ ସଂପର୍କରେ କ’ଣ କହିବାକୁ ପ୍ରଧାନମନ୍ତ୍ରୀ କଟକ ଆସୁଛନ୍ତି? ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନର ଅଷ୍ଟମ ଦିନରେ ବିଜେଡି ନେତାମାନେ ଏଭଳି ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରିଛନ୍ତି।

ଆଜି ମହାନଦୀ ଡାହାଣ ପାର୍ଶ୍ୱରେ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଟିମ୍‌ ମୁଖ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁରୀର ସାକ୍ଷୀଗୋପାଳ, ସାତଶଙ୍ଖ ଦେଇ ପିପିଲି ଦେଇ ଖେଲାର ଓ ନିମାପଡ଼ା ଆସିଥିଲେ। ତା’ପରେ ଚାରିଛକ ଓ କାକଟପୁର ଦେଇ ଅସ୍ତରଙ୍ଗ, ଆନନ୍ଦବଜାର ଆସି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ଓ ସାଧାରଣ ସଭା କରିଥିଲେ। ସଭାଗୁଡିକରେ ଉଦ୍‌ବୋଧନ ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାନଦୀ ଓଡ଼ିଶାରେ ଏବେ ଶୁଖିଶୁଖି ଯାଉଛି। ଛତିଶଗଡ଼ର ବିଜେପି ସରକାର ଷଡ଼ଯନ୍ତ୍ର କ୍ରମେ ଉପର ମୁଣ୍ଡରେ ବହୁ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା ବେଳେ କେନ୍ଦ୍ରର ବିଜେପି ସରକାର କିଛି ନଜାଣିଲା ଭଳି କାହିଁକି ଚୁପ୍‌ ରହିଛନ୍ତି? ୨୬ ତାରିଖରେ କାହିଁକି ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି? କଟକରେ ମହାନଦୀ ନିକଟସ୍ଥ ପଡ଼ିଆରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କ ସଭା କ’ଣ ଓଡ଼ିଶାର କଟା ଘା’ରେ ଚୁନ ମାରିବା ପାଇଁ ହେଉଛି? ସେ ଏହି ମହାନଦୀ ଜଳ ବିବାଦ କ୍ଷେତ୍ରରେ ଓଡ଼ିଶାକୁ ବିପଦମୁକ୍ତ କରିବା ଲାଗି ଛତିଶଗଡ଼ ସରକାରକୁ ପରାମର୍ଶ ଓ ନିର୍ଦ୍ଦେଶ ଦେବା ପରିବର୍ତ୍ତେ କାହିଁକି ନିଦାବିଷ୍ଣୁ ସାଜିଛନ୍ତି?

ଏହିସବୁ ସଭାଗୁଡିକରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଧାୟକ ସମୀର ରଞ୍ଜନ ଦାଶ, ଉମାକାନ୍ତ ସାମନ୍ତରାୟ, ସୁରେନ୍ଦ୍ର ସେଠୀ, ପ୍ରମୋଦ ମଲ୍ଲିକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଆଜି ଏହି ଦଳ କାକଟପୁର ଠାରେ ରାତ୍ର ରହଣୀ ପରେ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିବ।

ସେହିପରି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମ ପାର୍ଶ୍ୱ ଟିମ୍‌ ଆଜି ପୂର୍ବାହ୍ନରେ ସାଲେପୁରରୁ ବାହାରିଥିଲେ। ଏକ ବିରାଟ ବାଇକ୍‌ ଶୋଭାଯାତ୍ରାରେ ଜନଜାଗରଣ ଅଭିଯାତ୍ରୀଙ୍କୁ ପାଛୋଟି ନିଆଯାଇଥିଲା ନଇନ୍ଦିପୁର ପର୍ଯ୍ୟନ୍ତ। ସେଠାରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ମିଶ୍ର କହିଥିଲେ ଯେ ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ରର ବିଜେପି ସରକାର ମୁକ ସାକ୍ଷୀ ରୂପେ କାହିଁକି ଅଭିନୟ କରୁଛି? ଛତିଶଗଡ଼ ପକ୍ଷରୁ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଏଥିରେ କାହିଁକି ହସ୍ତକ୍ଷେପ କରୁନାହାନ୍ତି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ରକୁ କଠୋର ସମାଲୋଚନା କରିଥିଲେ। ଆଜି ଏହି ଦଳ କେନ୍ଦ୍ରାପଡ଼ାରେ ରାତ୍ର ରହଣୀ ପରେ ଆସନ୍ତାକାଲି ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବ।

ସମ୍ବନ୍ଧିତ ଖବର