କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ମହାନଦୀ ସୁରକ୍ଷା ଅଭିଯାନ : ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ଘୋଷଣା

କଟକ : କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବିଜେଡି ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଛି। ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସମାବେଶ, ପଥପ୍ରାନ୍ତ ସଭା ଏବଂ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରିରହିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିର ବରିଷ୍ଠ ନେତାମାନେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନୀଳାଞ୍ଚଳ ବଜାର ନିକଟ ମହାନଦୀ ପଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମାବେଶରେ ସ୍ୱାସ୍ଥ୍ୟପରିବାର କଲ୍ୟାଣ ଓ ଆଇନମନ୍ତ୍ରୀ ପ୍ରତାପ ଜେନା, ବିଜେଡି ଉପସଭାପତି ତଥା ସାଂସଦ ପ୍ରତାପ ଦେବ, ବିଧାୟକ କିଶୋର ତରାଇ, ଜିଲ୍ଲା ପଯ୍ୟର୍ବେକ୍ଷିକା ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲା ସଭାପତି ଧ୍ରୁବ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିବା ସହିତ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସେହିଭଳି ଜଗତସିଂହପୁରରେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ପସନ୍ନ ଆଚାର୍ଯର୍୍ୟ, ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ, ଯୁବ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଅନ୍ୟପଟେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବଜାର ଠାରେ ଆୟୋଜିତ ପ୍ରତିବାଦ ସଭାରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କଟକ ଜିଲ୍ଲା ପର୍ଯବେକ୍ଷକ ତଥା ବୟନ ଶିଳ୍ପ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଂଜୟ ଦାସବର୍ମା, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ପୂର୍ବତନ ଶିଶୁ ବିଭାଗ କମିସନର କସ୍ତୁରୀ ମହାପାତ୍ର, କଟକ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ପ୍ରଶାନ୍ତ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ବ୍ଲକ୍‌ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ୍‌ ଅଧ୍ୟକ୍ଷା ସବିତା ଓଝା, ବ୍ଲକ୍‌ ଉପାଧ୍ୟକ୍ଷା ସବିତା ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇ କେନ୍ଦ୍ରରେ ଓ ଛତିଶଗଡ଼ରେ ବିଜେପି ସରକାରର ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

କଟକ ଜିଲ୍ଲା ନିଆଳି ବ୍ଲକ୍‌ ଶିଖରଘାଟ ନିକଟରେ ମଧ୍ୟ ଏକ ସମାବେଶର ଆୟୋଜନ କରାଯାଇଥିଲା। ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଆୟୋଜିତ ସମାବେଶରେ ରାଜ୍ୟ ବିଜେଡ଼ି ଉପସଭାପତି ତଥା ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ ଯୋଗଦେଇ ମହାନଦୀ ଜଳକୁ ଛତିଶଗଡ଼ ଠାରେ ଯେଉଁମାନେ ଷଡ଼ଯନ୍ତ୍ର କରି ବନ୍ଦ କରିଛନ୍ତି ସେମାନଙ୍କୁ ଜବାବ୍‌ ଦିଆଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସାଂସଦ ନରେନ୍ଦ୍ର ସ୍ୱାଇଁ, ନିଆଳି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣି, ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର