ଅନୁଗୁଳରେ ମହାନଦୀ ସୁରକ୍ଷା ଅଭିଯାନ : ଓଡ଼ିଶାବାସୀଙ୍କ ଜୀବନ ଜୀବିକାର ଆଧାର ମହାନଦୀ

ଆଠମଲ୍ଲିକ/ବନ୍ତଳା/ମହୀଧରପୁର : ମହାନଦୀ ଓଡ଼ିଶାବାସୀଙ୍କର ଜୀବନ ଜୀବିକାର ଆଧାର। ଏହାର ଅବବାହିକାରେ ଥିବା ୧୫ଟି ଜିଲ୍ଲାର ଅଧିବାସୀ ଏହି ନଦୀ ଉପରେ ନିର୍ଭରଶୀଳ। ସାତକୋଶିଆ ଗଣ୍ଡ ସଂଲଗ୍ନ ଜୈବ ବିବିଧତା ମହାନଦୀର ଅବଦାନ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ, ହସ୍ତୀ ପ୍ରକଳ୍ପ, ଟିକରପଡ଼ା କୁମ୍ଭୀର ଗବେଷଣା କେନ୍ଦ୍ର ପ୍ରଭୃତି ପ୍ରତ୍ୟକ୍ଷ ଭାବେ ମହାନଦୀ ଉପରେ ଜଡ଼ିତ। କେବଳ ଏ ଅଞ୍ଚଳ ନୁହେଁ, ଓଡ଼ିଶାବାସୀଙ୍କ ଜୀବନଧାରା ମହାନଦୀର ଜଳ ଉପରେ ନିର୍ଭରଶୀଳ ବୋଲି ମହାନଦୀ ସୁରକ୍ଷା ଅଭିଯାନ ଅବସରରେ ଆଠମଲ୍ଲିକ ବରଗାଁରେ ଅନୁଷ୍ଠିତ ସଭାରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରତାପ ଜେନା ମତ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ପୁଣି କହିଛନ୍ତି କେନ୍ଦ୍ର ସରକାର ଓ ଛତିଶଗଡ଼ର ଶାସକ ବିଜେପି ସରକାର ଆଇନର ଖୋଲା ଉଲ୍ଲଙ୍ଘନ କରି ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ଭ୍ରୂକ୍ଷେପ ନକରି ମହାନଦୀ ଜଳ ଲୁଟ୍‌ କରିଛନ୍ତି।

ଗତକାଲି ଓ ଆଜି ଦୁଇଦିନ ଧରି ଅନୁଗୁଳ ଜିଲ୍ଲା କିଆକଟାଠାରୁ ମହୀଧରପୁର ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଗତକାଲି କିଆକଟାରୁ ଟୁସର, କନ୍ଧପଡ଼ା ଦେଇ ସଂଧ୍ୟାରେ ଆଠମଲ୍ଲିକ ବ୍ଲକ୍‌ ମାଧପୁରରେ ପହଞ୍ଚିଥିଲେ। ସେଠାରେ ସଚେତନତା ସଭା ଶେଷ କରି ଅଭିଯାତ୍ରୀମାନେ ଆଠମଲ୍ଲିକ ଏନ୍‌ଏସି ବରଗାଁଠାରେ ରାତି ସାଢ଼େ ୭ଟାବେଳେ ପହଞ୍ଚିଥିଲେ। ଆଠମଲ୍ଲିକ ବିଧାୟକ ସଂଜୀବ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପଥପ୍ରାନ୍ତ ସଭା ହୋଇଥିଲା। ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ କର୍ଣ୍ଣ ଅତିଥି ପରିଚୟ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ଆଠମଲ୍ଲିକ ବିଧାୟକ ଶ୍ରୀ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ମହେଶ ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ରନେତା ରାଜୀବ କର୍ଣ୍ଣ, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ପ୍ରମୁଖ ମହାନଦୀ ବଞ୍ଚାଅ ଅଭିଯାନ ଉପରେ ଆଲୋକପାତ କରିବା ସହିତ ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର