ମହାନଦୀ ସୁରକ୍ଷା ଅଭିଯାନକୁ ରାଜଧାନୀରେ ସମ୍ବର୍ଦ୍ଧନା

ଭୁବନେଶ୍ୱର : ମହାନଦୀ ଆମର ଜୀବନ ଜୀବିକା ସହ ଜଡ଼ିତ। ମହାନଦୀର ପାଣି ଉପରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ ନିର୍ଭର କରୁଛି। ଛତିଶଗଡ଼ ପାଣି ନ ଛାଡ଼ିଲେ ହାହାକାର ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ଆମକୁ ଶପଥ ନେବାକୁ ହେବ ମହାନଦୀରେ ଯେପରି ଜଳ ପ୍ରବାହ କମିବନି। ଯିଏ ପାଣି ରୋକିବ ତାହା ବିରୋଧରେ ସଂଗ୍ରାମ ଜାରି ରହିବ। ରାଜଧାନୀବାସୀ ଆଜି ଏହି ଶପଥ ନେଇଛନ୍ତି।

ମହାନଦୀ ସୁରକ୍ଷା ଅଭିଯାନ ପକ୍ଷରୁ ବାହାରିଥିବା ଶୋଭାଯାତ୍ରାକୁ ଆଜି ରାଜଧାନୀରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆସିଥିବା ଅଭିଯାନକୁ ବାଇକ୍‌ ରାଲିରେ ରାଜଧାନୀ ପରିକ୍ରମା କରାଯିବା ସହ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମେୟର ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ବାଇକ୍‌ ରାଲି ମହାନଦୀ ସୁରକ୍ଷା ଅଭିଯାନର ସଦସ୍ୟମାନଙ୍କୁ ପାହାଳ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ଭୁବନେଶ୍ୱରକୁ ପାଛୋଟି ଆଣିଥିଲେ। ପାହାଳ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଶତାଧିକ ସମର୍ଥକଙ୍କ ସହ ସ୍ୱାଗତ କରିଥିବାବେଳେ ରସୁଲଗଡ଼-ବମିଖାଲରେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି ଓ ଶତାଧିକ ସମର୍ଥକ ସ୍ୱାଗତ କରିଥିଲେ। ଭଞ୍ଜକଳା ମଣ୍ଡପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ଦୟା ନଦୀ କୂଳରେ ସାଧାରଣ ସଭା ହୋଇଥିଲା। ଏଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱରର ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜୁ ଛାତ୍ର ଜନତା ସଭାପତି ରାଣା ପ୍ରତାପ ଏବଂ ବହୁ ବିଜେଡି ନେତା ସାମିଲ୍‌ ହୋଇ ମହାନଦୀ ସୁରକ୍ଷା ପାଇଁ ବକ୍ତବ୍ୟ ଦେଇଥିଲେ। କୌଣସି ପରିସ୍ଥିତିରେ ବି ମହାନଦୀ ଉପରେ ଛତିଶଗଡ଼ର ଦାଦାଗିରିକୁ ସହ୍ୟ କରାଯିବନି। ଯିଏ ମହାନଦୀ ଅଭିଯାନକୁ ବିରୋଧ କରିବ ସିଏ ଆମର ଶତ୍ରୁ ଭାବିବା ବୋଲି ବକ୍ତାମାନେ କହିଥିଲେ।

ଏହାପରେ ଶୋଭାଯାତ୍ରା ପୁରଣା ଭୁବନେଶ୍ୱର, ଖଣ୍ଡଗିରି ଦେଇ ଖୋର୍ଦ୍ଧାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର