ମହାନଦୀ ସୁରକ୍ଷା ପାଇଁ ମହାଆଳତି

ସମ୍ବଲପୁର :‘ଛତିଶଗଡ଼ ସରକାରକୁ ସଦ୍‌ବୁଦ୍ଧି ଦିିଅ ଆଉ ଓଡ଼ିଶାକୁ ସୁରକ୍ଷା।’ ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ମାରଓ୍ଵାଡ଼ିପଡ଼ା ଘାଟରେ ମହାନଦୀରେ ମହାଆଳତି ବେଳେ ଏଭଳି ପ୍ରାର୍ଥନା କରାଯାଇଛି। ଏହି ମହାଆଳତିରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ବହୁ ବିଜେଡି ନେତା ଓ ସମ୍ବଲପୁରର ହଜାର ହଜାର ଜନତା ଏକାଠି ହୋଇଥିଲେ। ପଣ୍ଡିତମାନଙ୍କ ପଞ୍ଚ ଉପଚାରରେ ମହାନଦୀ ପୂଜା ପରେ ଗଙ୍ଗା ସହସ୍ରନାମ ପାଠ ସାଙ୍ଗକୁ ବିଧିମତେ ଆଳତି ସମ୍ପନ୍ନ ହୋଇଥିଲା।

ଆଜି ଅପରାହ୍‌ଣ ସାଢ଼େ ୫ଟାରେ ସୁଖାସୋଢ଼ାରୁ ବାହାରି ଥିବା ମହାନଦୀ ସୁରକ୍ଷା ଅଭିଯାନର ବାଇକ୍‌ ଶୋଭାଯାତ୍ରା ଝାରସୁଗୁଡ଼ା, ରେଂଗାଲି ଦେଇ ସମ୍ବଲପୁର ନିର୍ବାଚନମଣ୍ଡଳୀରେ ପ୍ରବେଶ କରିଥିଲା। ଭାଲୁପାଲିରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣ୍ରଗାହୀ, ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ ପ୍ରମୁଖ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେହିପରି ଡାକ୍ତର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‌ ରାଲି ଅଇଁଠାପାଲି ଛକ, ଫାଟକ, ହସ୍‌ପିଟାଲ ରୋଡ, ମୁଦିପଡ଼ା ଛକ, ଭିଏସ୍‌ଏସ୍‌ ମାର୍ଗ ହୋଇ ସହର ପରିକ୍ରମା କରି ମାରଓ୍ଵାଡ଼ିପଡ଼ା ଘାଟରେ ପହଞ୍ଚ ଥିଲା।

ଅପରପକ୍ଷରେ ବରଗଡ଼ ଜିଲ୍ଲା ଚିଖିଲିରୁ ବାହାରିଥିବା ଶୋଭାଯାତ୍ରା ଭଟଲି, ବରଗଡ଼, ଅତାବିରା ଅତିକ୍ରମ କରି ସମ୍ବଲପୁର ନିର୍ବାଚନମଣ୍ଡଳୀରେ ପ୍ରବେଶବେଳେ ବୁର୍ଲା ପିସି ବ୍ରିଜ ନିକଟରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ପୁଣି ଏକ ବିଶାଳ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିର ନିକଟରେ ପହଂଚି ଥିଲା। ମାରଓ୍ଵାଡ଼ି ଘାଟରେ ସନ୍ଧ୍ୟା ୫ଟାରୁ ହଜାର ହଜାର ମହିଳା ଓ ପୁରୁଷ ଅପେକ୍ଷା କରିଥିଲେ। ପଣ୍ଡିତ ସଚିଦାନନ୍ଦ ମିଶ୍ର ମନ୍ତ୍ରପାଠ କରିଥିବା ବେଳେ ପଣ୍ଡିତ କାଳିଦାସ ପଣ୍ଡାଙ୍କ ପରିଚାଳନାରେ ପଣ୍ଡିତ ସରିତ ପାଢ଼ୀ, ସନତ ପାଢ଼ୀ, ବିନିତ ପାଣ୍ଡେ, ଗୋପୀନାଥ ପଣ୍ଡା, ଶୈଳେନ୍ଦ୍ର ପୂଜାହାରୀ, ଡମ୍ବରୁଧର ତ୍ରିପାଠୀ, ଦଧିବାମନ ପଣ୍ଡା, କୁନ୍ଦନ ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଗୌରବ ପଣ୍ଡା ପ୍ରମୁଖ ଆଳତି କରିଥିଲେ। ତିନି ମନ୍ତ୍ରୀ ନିରଂଜନ ପୂଜାରୀ, ସ୍ନେହାଂଗିନୀ ଛୁରିଆ, ସୁଶାନ୍ତ ସିଂ, ସମ୍ବଲପୁର ପର୍ଯ୍ୟବେକ୍ଷକ ସାଂସଦ ପ୍ରତାପ ଦେବ, ବିଜେଡି ରାଜ୍ୟ ଉପସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ପ୍ରଭାସ ସିଂ, ରାଜ୍ୟସଭା ସାଂସଦ ଭାସ୍କର ରାଓ, ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ରେଂଗାଲି ବିଧାୟକ ରମେଶ ପଟୁଆଙ୍କ ସମେତ ସଂଜୟ ଦାସବର୍ମା, ଦେବୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅନୁପ ସାଏ, ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଯୁବବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, କୁନ ବିହାରୀ ଦାଶ, ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ, ଯୁବନେତା ସିଦ୍ଧାର୍ଥ ସାହା ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ରହି ଛତିଶଗଡ଼ର ରମଣ ସିଂ ସରକାରଙ୍କୁ ସଦ୍‌ବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ। ସମ୍ବଲପୁର ଟାଉନ ସଭାପତି ପ୍ରଫୁଲ୍ଲ ଦାଶ, ବୁର୍ଲା ଟାଉନ ସଭାପତି ଦେବାଶିଷ ନନ୍ଦ, ହୀରାକୁଦ ଟାଉନ ସଭାପତି ଶାନ୍ତନୁ ବଡ଼ପଣ୍ଡା ପ୍ରମୁଖ ରାଲିର ନେତୃତ୍ୱ ନେଇଥିବା ବେଳେ ଯୁବନେତା ଶିବ ପ୍ରଧାନ, ରବିନ୍ଦର ସିଂ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଏଥିସହ ମହାନଦୀ ସୁରକ୍ଷା ଅଭିଯାନରେ ବାହାରିଥିବା ବିଶାଳ ବାଇକ୍‌ ରାଲି ଆସନ୍ତାକାଲି ସମ୍ବଲପୁରରୁ ବାହାରି ହୁମା ମନ୍ଦିର ଦେଇ ଆଗକୁ ବଢ଼ିବ। ଗୋଟିଏ ଦଳ ରେଢ଼ାଖୋଲ ଅଭିମୁଖରେ ଓ ଅନ୍ୟଟି ସୁବର୍ଣ୍ଣପୁର ଅଭିମୁଖରେ ଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର