ମହାନଦୀ ସୁରକ୍ଷା ସମିିତିର ଆନ୍ଦୋଳନ : ସମ୍ବଲପୁର ସମାବେଶ ୨୩ରେ

ସମ୍ବଲପୁର : ମହାନଦୀର ସୁରକ୍ଷା ପାଇଁ ବିଜେଡି ରାଜ୍ୟବ୍ୟାପୀ ମହାନଦୀ ସୁରକ୍ଷା ଅଭିଯାନ ଚଲାଇଥିବା ବେଳେ ଏବେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ୨୩ ତାରିଖ ଦିନ ୧୦ଟାରେ ସମ୍ବଲପୁରରେ ବିଶାଳ ଜନସଭାର ଆୟୋଜନ କରାଯାଉଛି। ମହାନଦୀକୁ ବଞ୍ଚାଇବା ପାଇଁ ହେଉଥିବା ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଂଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଆଦି ୬ଟି ଜିଲ୍ଲାର ପ୍ରାୟ ୨୦ ହଜାର ଲୋକ ସାମିଲ ହେବେ। ଦଳମତ ନିର୍ବିଶେଷରେ ସବୁଦଳର ଲୋକଙ୍କୁ ଏଥିରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି ବୋଲି ମହାନଦୀ ସୁରକ୍ଷା ସମିତିର ସଂଯୋଜକ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ସୂଚନା ଦେଇଛନ୍ତି।

ଜନ ସମାବେଶ ଅବସରରେ ମହାନଦୀର ସୁରକ୍ଷା ଏବଂ ଛତିଶଗଡ଼କୁ ସଦ୍‌ବୁଦ୍ଧି ପ୍ରଦାନ ନିମନ୍ତେ ସବୁ ଧର୍ମର ଲୋକେ ଏକାଠି ମହାନଦୀ ତଟରେ ପ୍ରାର୍ଥନା କରିବେ ବୋଲି ସେ କହିଛନ୍ତି। ଆସନ୍ତା ୨୩ ତାରିଖ ବୁଧବାର ସକାଳ ୯ଟାରେ ସମଲେଶ୍ୱରୀ ମନ୍ଦିର, ଚର୍ଚ ଛକ ଏବଂ ଲକ୍ଷ୍ମୀ ଟକିଜ ଛକରୁ ୩ଟି ବିଶାଳ ରାଲି ଭିନ୍ନ ରାସ୍ତାରେ ସହର ପରିକ୍ରମା କରି ସଭାସ୍ଥଳ ନେଲ୍‌ସନ୍‌ ମଣ୍ଡେଲା ଛକରେ ପହଂଚିବ। ଇତିମଧ୍ୟରେ ଜନସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ସାମିଲ ହେବାକୁ ବିଧାୟକ ନବ ଦାସ, ପ୍ରଫୁଲ୍ଲ ମାଝୀ, ଯୋଗେଶ ସିଂ, ସିପିଆଇଏମ୍‌ ନେତା ଜନାର୍ଦନ ପତି, ଅଳକିଶୋର ପଟ୍ଟନାୟକ, ସିିପିଆଇ ନେତା ଅଶୋକ ବିଶି, ମହାନଦୀ ସୁରକ୍ଷା ସମିତିର ଦୁଇ ଆବାହକ ଭାଗବତ ପ୍ରସାଦ ନନ୍ଦ, ଅରବିନ୍ଦ ମହାପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର