ଚିଲିକାର ସ୍ଥିତି ପରଖିଲେ ମହାନଦୀ ଟ୍ରିବ୍ୟୁନାଲ୍‌

ବ୍ରହ୍ମଗିରି : ମହାନଦୀ ଟ୍ରିବ୍ୟୁନାଲ୍‌ର ସଦସ୍ୟମାନେ ଶନିବାର ଦିନ ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଓ ବ୍ରହ୍ମଗିରି ବ୍ଲକ୍‌ରେ ଚିଲିକାର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆଜି ମଧ୍ୟାହ୍ନରେ ଦୁଇଟି ହେଲିକପ୍ଟରରେ ଟ୍ରିବ୍ୟୁନାଲ୍‌ର ସଦସ୍ୟମାନେ ସାତପଡ଼ାଠାରେ ପହ‌ଞ୍ଚିଥିଲେ। ସେଠାରୁ ଦହିଖିଆ ଦେଇ ମିର୍ଜାପୁର ଜେଟିଠାରେ ପହ‌ଞ୍ଚିଥିଲେ। ସ୍ବତନ୍ତ୍ର ଡଙ୍ଗା ଯୋଗେ ଟ୍ରିବ୍ୟୁନାଲ ଟିମ୍‌, ଓଡ଼ିଶା ଓ ଛତିଶଗଡ଼ର ପ୍ରତିନିଧି ମଣ୍ତଳୀ, ବିଶେଷଜ୍ଞ, ଜିଲ୍ଲା ପ୍ରଶାସନ ଚିଲିକା–ସମୁଦ୍ର ମିଳନସ୍ଥଳ ନୂଆମୁହାଣ ଓ ପ୍ରାକୃତିକ ମୁହାଣ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିଭଳି ଚିଲିକାରେ ଜଳସ୍ତର କିଭଳି ଅଛି ଓ ମୁହାଣର ସ୍ଥିତି କଣ ରହିଛି ତାହା ରେକର୍ଡ କରିଛନ୍ତି ଟିମ୍।

ମହାନଦୀର ପାଣି ଚିଲିକାର ଜଳସ୍ତର ଓ ଏହାର ଲବାଣାଂଶକୁ ନିର୍ଦ୍ଧାରଣ କରିଥାଏ। ଚିଲିକାରେ ୫୨ଟି ନଦୀ ଓ ନାଳ ମିଶିଛି। ସେଥିମଧ୍ୟରୁ କଣାସ ବ୍ଲକ୍‌ ଦେଇ ଦୟା, ମକରା, ରାଜୁଆ ଭଳି ପ୍ରମୁଖ ନଦୀ ଆସି ଚିଲିକାର ବଡ଼ଗୋଠଠାରେ ମିଶିଛି। ବ୍ରହ୍ମଗିରି ବ୍ଲକ୍‌ ଦେଇ ଭାର୍ଗବୀ, ଲୁଣା, ରତ୍ନଚିରା ଭଳି ପ୍ରମୁଖ ନଦୀ ମଧ୍ୟ ମିଶିଛନ୍ତି। ଦକ୍ଷିଣକାଣିଆ, ଏକନାଳିଆ, ଗବନାଳିଆ, ଚଉଦମୈାଜା ପ୍ରଭୃତି କେନାଲ ମଧ୍ୟ ଚିଲିକାରେ ପଡ଼ିଛି। ଚିଲିକାର ଜୈବବିବିଧତା ନଦୀ ଓ ନାଳ ପାଣ ମିଶିବା ଦ୍ବାରା ସନ୍ତୁଳିତ ରହିଥାଏ। ମତ୍ସ୍ୟସମ୍ପଦ ବଢ଼ିବା ସହିତ ଚିଲିକା ଉପରେ ନିର୍ଭର କରୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ଓ ନଦୀ ଓ ୫ ବ୍ଲକ୍‌ର ଲୋକେ ଚାଷବାସ କରିଥାନ୍ତି। ମହାନଦୀର ପାଣି କମିବାରୁ ଚିଲିକାରେ ଜୈବ ବିବିଧତା ବିଗିଡ଼ିବାରେ ଲାଗିଛି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ମୁହାଣ ଖୋଲିବା ଯୋଗୁ ଚିଲିକାର ପାଣି ଶୁଖିଯାଉଛି। ଫଳରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଭାତହାଣ୍ତି କୁହାଯାଉଥିବା ଚିଲିକାରେ ଆଉ ରୋଜଗାର ମିଳୁନାହିଁ। କେବଳ ସେତିକି ନୁହେଁ, ଚିଲିକାରେ ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ିଛି।

ଏହି ଅବସରରେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାନଦୀ ଜଳର ଠିକ୍‌ ପରିଚାଳନା ପାଇଁ କମିଟିର ଆବାହକ ବିହାରୀବନ୍ଧୁ ପଲାଇଙ୍କ ନେତୃତ୍ବରେ ଏକ ଦୁଇ ଜଣିଆ ଟିମ୍‌ ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କୁ ଏହି ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର