ସାତକୋଶିଆ ଗଣ୍ଡର ସ୍ଥିତି ପରଖିଲେ ମହାନଦୀ ଟ୍ରିବ୍ୟୁନାଲ

ଅନୁଗୁଳ : ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ବୁଧବାର ଦିନ ମହାନଦୀର ସାତକୋଶିଆ ଗଣ୍ଡରେ ପାଣିର ସ୍ଥିତି ପରଖିଛନ୍ତି। ଟ୍ରିବ୍ୟୁନାଲ୍‌ର ସଦସ୍ୟମାନେ ଦୁଇଟି ଟିମ୍‌ରେ ଭାଗ ହୋଇ ଏଠାରେ ଆସି ପହଞ୍ଚିଥିଲା ବେଳେ ଗଣ୍ଡରେ କେତେ ପାଣି ଅଛି ଓ ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣ ହେଲା ପରେ ଏହି ଗଣ୍ଡ ଉପରେ ଏହାର କି ପ୍ରଭାବ ପଡ଼ିଛି ତାହା ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ବର୍ଷ ମହାନଦୀରେ ରହୁଥିବା ପାଣିର ସ୍ଥିତି ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଏହି ଗସ୍ତ ପାଇଁ ଆଜି ଟିକରପଡ଼‌ାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାହାର ଲୋକ ଓ ପର୍ଯ୍ୟଟକଙ୍କୁ ଟିକରପଡ଼ା ଛଡ଼ା ଯାଇ ନ ଥିଲା।

ମହାନଦୀ ଉପରେ ଛତିଶଗଡ଼ ସରକାର ଏକାଧିକ ବ୍ୟା‌ରେଜ୍‌ ନିର୍ମାଣ କରିବା ଫଳରେ ଖରାଦିନେ ମହାନଦୀ ଶୁଖିଲା ପଡ଼ୁଛି। ଏଥିପାଇଁ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଛି। ଏପଟେ ବର୍ଷାଦିନେ ମହାନଦୀରେ ବନ୍ୟା ଆସି ପ୍ରଳୟ କରୁଛି। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ ବିବାଦ ଲାଗି ରହିଥିଲାବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷଙ୍କ ସମେତ ୯ଜଣିଆ ଟିମ୍‌ ଏବଂ ଛତିଶଗଡ଼ର ଏକ ଟିମ୍‌ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଟିକରପଡ଼ାରେ ପହଞ୍ଚିଥିଲେ। ଗୋଟିଏ ଟିମ୍‌ ହେଲିକପ୍ଟର ଯୋଗେ ଆସିଥିଲେ। ଅନ୍ୟ ସଦସ୍ୟମାନେ ସଡ଼କପଥରେ ଆସି ଟିକରପଡ଼ାରେ ପହଞ୍ଚିଥିଲେ। ଏଠା‌ରେ ଥିବା ବନବିଭାଗର ଅତିଥି ଭବନରେ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍‌ ମାଧ୍ୟମରେ ‌ଟ୍ରିବ୍ୟୁନାଲର ସଦସ୍ୟମାନଙ୍କୁ ସାତକୋଶିଆ ଗଣ୍ଡରେ ବିଭିନ୍ନ ସମୟରେ ରହୁଥିବା ଜଳସ୍ତର ଏବଂ ବର୍ତ୍ତମାନର ସ୍ଥିତି ନେଇ ଅବଗତ କରାଯାଇଥିଲା। ମହାନଦୀର ଗଣ୍ଡ ‌ନେଇ ଟ୍ରିବ୍ୟୁନାଲକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବା ପରେ ସେମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଡଙ୍ଗାରେ ଭାଗ ଭାଗ ହୋଇ ମହାନଦୀର ଜଳରାଶି ଦେଖିବା ସହ ପାଣିର ସ୍ତର ନେଇ ରହିଥିବା ଚିହ୍ନ ସବୁ ଅନୁଧ୍ୟାନ କରିଥିଲେ। ସେହିପରି ଟିକରପଡ଼ାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟାଳୟ ନିକଟରେ ଜଳସ୍ତର ନେଇ ମଧ୍ୟ ସେମାନେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏପଟେ ଟିକରପଡ଼ାର ରାମସାର୍‌ ସାଇଟ୍‌ ମଧ୍ୟ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ।

ଟିକରପଡ଼ାରେ ମହାନଦୀର ସ୍ଥିତି ପରଖିବା ପରେ ସନ୍ଧ୍ୟା ପୂର୍ବରୁ ଫେରି ଯାଇଛନ୍ତି। ସେମାନଙ୍କ ଗସ୍ତ ସମୟରେ ପିସିସିଏଫ୍‌, ଆରଡିସି, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବନବିଭାଗ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀମାନେ ଟ୍ରିବ୍ୟୁନ‌ାଲର ସଦସ୍ୟମାନଙ୍କୁ ବିଭିନ୍ନ ତଥ୍ୟ ଓ ସୂଚନା ଯୋଗାଇ ଦେଇଥିଲେ। ଏପଟେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାତକୋଶିଆକୁ ଗଣମାଧ୍ୟମ ପ୍ରତିନିଧି ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ସେହିପରି ବନବିଭାଗ ଅତିଥି ଭବନ ଅଞ୍ଚଳକୁ ସ୍ଥାନୀୟ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ନ ଥିଲା।

ସମ୍ବନ୍ଧିତ ଖବର